ଭୁବନେଶ୍ବର: ବର୍ଷ ୨୦୨୫ କାହା ପାଇଁ କେମିତି ଗଲା ସେମାନେ ହିଁ କହିପାରିବେ । ପୁରୁଣା ବର୍ଷର କଥାବ୍ୟଥା ମନେପକାଇ ଆଉ କି ଅବା ଲାଭ । ବାସ୍ ପୁରୁଣାର ବର୍ଷର କ୍ଷତ, ପୁରୁଣା ବର୍ଷର ଅଧୁରା କାମକୁ ପୂରା କରିବା ଏବଂ ଠକିଥିବା ଘଟଣାରୁ ଶିକ୍ଷା ଗ୍ରହଣ କରି ଆଗାମୀ କାଲିକୁ ମଜବୁତ କରିବା ହିଁ ନୂଆବର୍ଷର ସବୁଠୁ ଶ୍ରେଷ୍ଠ ନିଷ୍ପତ୍ତି । ନୂଆବର୍ଷ ନୂଆ ସଂକଳ୍ପ, ନୂଆ ଆଶା ନେଇ ଆଗାଉ ଥିବା ବେଳେ ମହାପ୍ରଭୁଙ୍କ ସ୍ମରଣ କରି ଅନେକ ଲୋକ ନିଜର ନୂଆ କାମ ଆରମ୍ଭ କରିଛନ୍ତି ଆଉ ମଣିମାଙ୍କ ପାଦପଦ୍ମରେ ଗୁହାରୀ କରି ଏତିକି କହିଛନ୍ତି ଯେ- ପ୍ରଭୁ ଯାହା ହେଲା ହେଲା, ୨୫ ପରି ୨୬ ନଖେଳୁ ଛଳନାର ଛକିଶୂନ ଖେଳ… କି କାହା ପାଇଁ ଛଳଛଳ ନହେଉ ଛବିଶ ।
କିଏ ପୁଣି ଲୁହଲୁହ ଆଖିରେ ଅଭିମାନ କରି କହିଛି- କାଳିଆରେ ଆଜି କ୍ୟାଲେଣ୍ଡର କଡ଼ ନେଉଟାଇଛି… ତୁ ତ ସକାଳର ସୂର୍ଯ୍ୟକୁ ଶ୍ରୀମନ୍ଦିର ମଥାରେ ଶୃଙ୍ଗାର କରି ସାରା ସଂସାରକୁ ଆଲୋକିତ କରିଛୁ । ସେଥିପାଇଁ ତ ଏ ୨୦୨୬ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଖୋଲିବା ପୂର୍ବରୁ ମୋ ହୃଦୟର ସବୁ ଆଶା, ଅଭିଳାଷାକୁ ତୋ ଚରଣରେ ରଖି ଦେଇଛି । ହେ କାଳିଆ, ହେ ମୋ ମହାପ୍ରଭୁ ହାତ ଯୋଡ଼ି ଆଜି ମୁଁ ତୋ ପାଖରେ କିଛି ମାଗୁନି, ଖାଲି ଅନୁରୋଧ କରୁଛି । ଠାକୁରେ ! ଏ ସନ ସଂସାରରୁ ଭେଦ-ଭାବକୁ ଧୀରେ ଧୀରେ ଦୂରେଇ ଦେ । କେହି କାହାକୁ ଛୋଟ ବୋଲି ନଭାବୁ, ନିଚ୍ଚ ଜାତିର ବି ନଭାବୁ । ଧର୍ମ, ଜାତି ନେଇ ଯେଉଁ ହୃଦୟରେ ଘୃଣା ଭରି ରହିଛି, ସେଠି ତୋ କରୁଣାର ପ୍ରେମ ଭରିଦେରେ କାଳିଆ…
ହେ ସାଆନ୍ତେ ଏମିତି କର- ସମସ୍ତେ ସମସ୍ତଙ୍କୁ ସ୍ନେହ-ପ୍ରେମରେ ବାନ୍ଧି ରଖନ୍ତୁ । କେହି କାହା ବିଶ୍ବାସରେ ବିଷ ନଦିଅନ୍ତୁ । ଛଳନା ଭରା କଥା, ମିଛ ହସ ନହସନ୍ତୁ । କେହି କାହା ପାଇଁ ଷଡ଼ଯନ୍ତ୍ର ନରଚନ୍ତୁ । ଗାତ ଖୋଳି କାହାକୁ ତଳେ ପକାଇ ଉପରକୁ ନଉଠନ୍ତୁ । କର୍ମମୟ ଜୀବନରେ କର୍ମକୁ ଗୁରୁତ୍ବ ଦେଇ ଅଗ୍ରସର ହୁଅନ୍ତୁ ।
ହେ ଚକାଆଖି ଏ ବର୍ଷ ଏମିତି କିଛି ଚମତ୍କାର କରେ ଯେମିତି କୌଣସି ଝିଅଟିଏ ଆଉ କାନ୍ଦିବ ନାହିଁ । ତା’ ଆଖିରେ ସ୍ୱପ୍ନ ଥାଉ, ଭୟ ଯେମିତି ନରହୁ । ତୋ ଭଳି ସେ ବି ସେମିତି ଖିଲିଖିଲି ହସୁଥାଉ । ତୁ ଯେମିତି ନିରବ ରହି ସମସ୍ତଙ୍କୁ ମନକଥା ବୁଝିପାରୁଛୁ, ତା’ର ନିରବ ଯନ୍ତ୍ରଣାକୁ ଏ ସମାଜ ବୁଝୁ । ନାରୀ ଆଖିରୁ ଲୁହ ନଝରୁ… ମାଆ, ଭଉଣୀ, ଝିଅ ହୋଇ ସେ ସମ୍ମାନର ସହ ବଞ୍ଚୁ ।
କାଳିଆରେ ତୁ ପରା କଷ୍ଟ ଲାଘବ କରୁ… ଏଥର ଅନୁରୋଧ ଟେ ରଖିବୁ?? ରାସ୍ତାରେ କାହାର ଦୁର୍ଘଟଣା ନ ଘଟୁ । ଅସାବଧାନତା ପୂର୍ବରୁ ତୁ ଆଖି ଖୋଲିଦେ ଯେମିତି କାହାର ଘର ନ ଉଜୁଡ଼ି ଯାଉ । କାରଣ ମାଆର କୋଳରୁ ପୁଅ, ସ୍ତ୍ରୀ ମଥାରୁ ସିନ୍ଦୂର ଲିଭିଗଲେ ତୋ ସ୍ବର୍ଗଦ୍ବାର ଶେଷ ଠିକଣା ହୋଇଯିବ ସତ କିନ୍ତୁ ତାଙ୍କୁ ହରାଇଥିବା ପରିବାର ସେ ଜୀବନ ଜୁଇର ଯନ୍ତ୍ରଣାରେ ସବୁଦିନ ଜଳି ଜଳି ବଞ୍ଚିବେ ତୁ କ’ଣ ଦେଖିପାରିବୁ?
ହେ ମହାପ୍ରଭୁ…ଏ ନୂଆବର୍ଷରେ ଆମକୁ ଭଲ ମଣିଷଟେ କରିଦେ । ତୁ ଯେମିତି ଅନ୍ୟର ଦୁଃଖ ଦେଖି ଆଖି ଓଦା କରିଦେଉ ଆଉ ଦୁଇ ବାହୁ ମେଲାଇ କଷ୍ଟ କାଢ଼ିନେଉ । ଠିକ୍ ସେମିତି ଏ ମଣିଷ ମନର ମଲାଟରେ ସମ୍ବେଦନଶୀଳ, ସମବେଦନାର ଭାବନା ଭରିଦେରେ ଭାବବିନୋଦିଆ । ଠାକୁରେ ତୁମେ ତ ସର୍ବବ୍ୟାପି ସବୁ ଜାଣିପାରୁଛ, ସବୁ ବର୍ଷ ଭଳି କ୍ୟାଲେଣ୍ଡର ବଦଳୁଛି ହେଲେ ସେ କ୍ୟାଲେଣ୍ଡରରେ କାହାଣୀ ଭାରି କଷ୍ଟ ଦେଇ କଡ଼ ନେଉଟାଉଛି… ଏଥର ଟିକେ ମନକଥା ବୁଝିବୁ ନା, ଏ ଅଧମର ଅନୁରୋଧ ରଖିବୁ ନା?? ନୂଆବର୍ଷ ଏ ଜଗତ ପାଇଁ ମଙ୍ଗଳମୟ ହେଉ ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…
ସୌଜନ୍ୟ ସମ୍ବାଦ