Elon Musk vs Mukesh Ambani: ମୁକେଶ ଅମ୍ବାନୀଙ୍କୁ ଏଲନ ମସ୍କଙ୍କ କଡ଼ା ସମାଲୋଚନା; କହିଲେ- ‘ପ୍ରଧାନମନ୍ତ୍ରୀ ଅମ୍ବାନୀ’

ନୂଆଦିଲ୍ଲୀ, ୧୦।୧୦: ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ ଏବଂ ଭାରତର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥର ମସ୍କ ମୁକେଶ ଅମ୍ବାନୀଙ୍କୁ କଟାକ୍ଷ କରି ତାଙ୍କୁ ‘ପ୍ରଧାନମନ୍ତ୍ରୀ ଅମ୍ବାନୀ’ ବୋଲି ସମ୍ବୋଧନ କରିଛନ୍ତି । ଭାରତରେ ମସ୍କଙ୍କ କମ୍ପାନୀ ‘ଷ୍ଟାରଲିଙ୍କ’ ର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ ହେବାରେ ହେଉଥିବା ବିଳମ୍ବକୁ ନେଇ ଏହି ବୟାନ ସାମ୍ନାକୁ ଆସିଛି । ମସ୍କ ଅଭିଯୋଗ କରିଛନ୍ତି ଯେ ଅମ୍ବାନୀ ନିଜର ଏକଚାଟିଆ ବଜାର ବଜାୟ ରଖିବାକୁ ଚାହୁଁଛନ୍ତି ଏବଂ ଷ୍ଟାରଲିଙ୍କକୁ ଭାରତରେ ପ୍ରତିଯୋଗିତା କରିବାର ସୁଯୋଗ ମିଳୁନାହିଁ ।
ଅମ୍ବାନୀଙ୍କୁ କ’ଣ କହିଲେ ମସ୍କ ?
ଏଲନ ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “Dear Prime Minister Ambani” । ଏହାପରେ କଟାକ୍ଷ କରି ସେ ଲେଖିଛନ୍ତି ଯେ ଭାରତରେ ପ୍ରକୃତ କ୍ଷମତା ଯେ ଅମ୍ବାନୀଙ୍କ ହାତରେ ରହିଛି, ତାହା ବୁଝିବାରେ ତାଙ୍କୁ ଟିକିଏ ବିଳମ୍ବ ହୋଇଗଲା । ମସ୍କ ଆହୁରି ମଧ୍ୟ ଲେଖିଛନ୍ତି ଯେ ଅମ୍ବାନୀ ସ୍ୱାଭାବିକ ଭାବରେ ନିଜର ଏକଚାଟିଆ ଅଧିକାର ବଜାୟ ରଖିବାକୁ ଚାହିଁବେ, କିନ୍ତୁ ସେ କ’ଣ ଷ୍ଟାରଲିଙ୍କକୁ ମଧ୍ୟ ଭାରତରେ ପ୍ରତିଯୋଗିତା କରିବାର ଅନୁମତି ଦେବେ ? ଭାରତରେ ‘ଷ୍ଟାରଲିଙ୍କ’ ପ୍ରବେଶରେ ହେଉଥିବା ବିଳମ୍ବ ହିଁ ଏହି ସମଗ୍ର ବିବାଦର ମୂଳ କାରଣ । ଏଲନ ମୁସ୍କଙ୍କ କମ୍ପାନୀ ‘ସ୍ପେସଏକ୍ସ’ ର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଭାରତରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଦୀର୍ଘ ଦିନରୁ ପ୍ରସ୍ତୁତି ଚଳାଇଛି । କମ୍ପାନୀକୁ ଆବଶ୍ୟକୀୟ ଲାଇସେନ୍ସ ମିଳିସାରିଛି, କିନ୍ତୁ ବାଣିଜ୍ୟିକ ସ୍ତରରେ ସେବା ଆରମ୍ଭ କରିବା ପାଇଁ ଆଉ କିଛି ଅନୁମୋଦନ ବାକି ଅଛି । ମସ୍କଙ୍କ କହିବା କଥା ହେଲା ଷ୍ଟାରଲିଙ୍କ ପୃଥିବୀର ୧୬୫ରୁ ଅଧିକ ଦେଶରେ ଲାଇସେନ୍ସ ସହିତ କାମ କରୁଛି ଏବଂ କମ୍ପାନୀ ଭାରତରେ ସମସ୍ତ ନିୟମ ପାଳନ କରିବା ପାଇଁ ପ୍ରାୟ ପାଞ୍ଚ ବର୍ଷ ଧରି ଚେଷ୍ଟା କରିଆସୁଛି । ତଥାପି ସେବା ଆରମ୍ଭ କରିବାକୁ ଅନୁମତି ମିଳିବାରେ ବିଳମ୍ବ ହେଉଛି ।
ସୌଜନ୍ୟ ପ୍ରମେୟ




