Site icon Swayam News

Arms Smuggling Gang Busted: ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର ପଣ୍ଡ କଲା ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ

ନୂଆଦିଲ୍ଲୀ: ପୁଣି ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ଆତଙ୍କବାଦୀ। ପର୍ଦ୍ଦାଫାଶ କଲା କ୍ରାଇମ୍ ବ୍ରାଞ୍ଚ। ଦିଲ୍ଲୀର ଲାଲକିଲ୍ଲାରେ ଜୈସ୍-ଏ-ମହମ୍ମଦ ଦ୍ୱାରା କରାଯାଇଥିବା ବିସ୍ଫୋରଣର ମାତ୍ର ୧୦ଦିନ ପରେ, ରାଜଧାନୀରେ ଆଉ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ପାକିସ୍ତାନ, ଚୀନ୍ ଏବଂ ତୁର୍କୀ ସହିତ ଲିଙ୍କ୍ ଥିବା ଏକ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଦଳକୁ ଠାବ କରିଛି। ପୁଲିସ ଦାବି କରିଛି ଯେ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା Inter-Services Intelligence (ISI) ଏହି ସମ୍ପୂର୍ଣ୍ଣ ନେଟୱାର୍କର ପରିଚାଳନାରେ ସିଧାସଳଖ ଜଡିତ ଥିଲା।

ସୂଚନା ମୁତାବକ, ଏପର୍ଯ୍ୟନ୍ତ, ଏହି ମାମଲାରେ ଗ୍ୟାଙ୍ଗର ୪ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମନଦୀପ, ଦଳୱିନ୍ଦର, ରୋହନ ଏବଂ ଅଜୟ। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ୧୦ଟି ହାଇ-ଟେକ୍ ସେମି-ଅଟୋମେଟିକ୍ ପିସ୍ତଲ ଏବଂ ୯୨ଟି ଜୀବନ୍ତ ଗୁଳି ଜବତ କରିଛି। ଏହି ପିସ୍ତଲଗୁଡ଼ିକ ହେଉଛି ତୁର୍କୀ-ନିର୍ମିତ PX-5.7 ଏବଂ ଚୀନ୍-ନିର୍ମିତ PX-3, ଯାହା ସାଧାରଣତଃ ସ୍ୱତନ୍ତ୍ର ବାହିନୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ।

ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଭାରତ ପଠାଉଥିଲା ପାକିସ୍ତାନ

ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ପ୍ରଥମେ ତୁର୍କୀ ଏବଂ ଚୀନରୁ ପାକିସ୍ତାନକୁ ପଠାଯାଉଥିଲା। ପରେ ISI ସହାୟତାରେ ସେଗୁଡ଼ିକୁ ଭାରତକୁ ଚୋରା ଚାଲାଣ କରାଯାଉଥିଲା। ଅସ୍ତ୍ରଶସ୍ତ୍ରଗୁଡ଼ିକୁ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ପ୍ରଥମେ ପଞ୍ଜାବକୁ ପଠାଯାଉଥିବା ବେଳେ ସେଠାରୁ ଦିଲ୍ଲୀ ଏବଂ ଆଖପାଖ ରାଜ୍ୟଗୁଡ଼ିକରେ ଥିବା ଅପରାଧୀ ଓ ଗ୍ୟାଙ୍ଗଷ୍ଟରମାନଙ୍କୁ ପଠାଯାଉଥିଲା। ପୁଲିସ କହିଛି ଯେ, ଭାରତରେ ରକ୍ତପାତ ଏବଂ ଭୟର ବାତାବରଣ ସୃଷ୍ଟି କରିବା ଏହି ଗ୍ୟାଙ୍ଗର ଲକ୍ଷ୍ୟ ଥିଲା।

କିଏ ନେଇଛି ଅସ୍ତ୍ରଶସ୍ତ୍ର?

ଏହି ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଭାରତରେ କେତେ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି ଏବଂ କେଉଁ ଗ୍ୟାଙ୍ଗ କିମ୍ବା ଅପରାଧୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପହଞ୍ଚିଛି ତାହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଏଥିପାଇଁ ପୁଲିସ ମୋବାଇଲ୍ ଫୋନ୍ ଡାଟା, ବ୍ୟାଙ୍କ କାରବାର, ସୋସିଆଲ ମିଡିଆ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଫରେନସିକ୍ ଉପକରଣ ବ୍ୟବହାର କରୁଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଅନେକ ସ୍ଥାନୀୟ ଅପରାଧୀ ଏବଂ ଗ୍ୟାଙ୍ଗ ଅସ୍ତ୍ରଶସ୍ତ୍ର ଯୋଗାଣରେ ସାମିଲ ଥିଲେ।

 

ସୌଜନ୍ୟ – ସମ୍ବାଦ

Exit mobile version