ନୂଆଦିଲ୍ଲୀ: ଆଲକାଏଦା ଇନ୍ ଇଣ୍ଡିଆନ ଷ୍ଟେଟ୍ (ଏକ୍ୟୁଆଇଏସ୍) ଓ ଆଇଏସ୍ଆଇଏସ୍ ପରି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପର୍କ ଅଭିଯୋଗରେ ୧୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ପୁଲିସର ବିଭିନ୍ନ ରାଜ୍ୟରେ ମିଳିତ ଭାବେ ଚଢଉ କରିବାପରେ ଏହି ଗିରଫଦାରୀ କରାଯାଇଛି। ଆନ୍ଧ୍ରପ୍ରଦେଶର ମହମ୍ମଦ ରହମୁତୁଲ୍ଲା ସରିଫ, ମିର୍ଜା ସୋହେଲ ବେଗ ଏବଂ ମହମ୍ମଦ ଦାନିସ; ବିହାରର ଶାଦମାନ ଦିଲଖୁସ୍ ଓ ଅଜମାନୁଲ୍ଲା ଖାନ, ଦିଲ୍ଲୀର ରୋହିଣୀର ବାସିନ୍ଦା ଲକି ଅହମ୍ମଦ, ମୀର ଆସିଫ ଅଲି (ପଶ୍ଚିମବଙ୍ଗ), ଜିଶାନ୍ (ରାଜସ୍ଥାନ), ଅବଦୁଲ ସଲାମ (କର୍ଣ୍ଣାଟକ), ଶାହରୁଖ ଖାନ ଏବଂ ଶିସିଆକ ପ୍ୟାଜ୍ ଉର ରେହମାନ (ମହାରାଷ୍ଟ୍ର), ତେଲେଙ୍ଗାନାରୁ ସାଇଦା ବେଗମଙ୍କୁ ଗିରଫ କରାଯାଇଥିଲା। ଏକ୍ୟୁଆଇଏସ୍ ଓ ଆଇଏସ୍ଆଇଏସ୍ ବିଦେଶୀ ହ୍ୟାଣ୍ଡଲର୍ଙ୍କ ସହିତ ସେମାନେ ଗେମିଂ ଆପ୍ରେ ପ୍ରଥମେ ଭେଟିଥିଲେ ଓ ପରେ ଆତଙ୍କବାଦୀ ସଙ୍ଗଠନରେ ଯୋଡ଼ି ହୋଇଥିଲେ। ଆଇଏସ୍ଆଇଏସ୍ର ‘ବେନେକ୍ସ କମ୍’ ସହିତ ସେମାନଙ୍କର ଲିଙ୍କ୍ ଥିଲା।
ଜାତୀୟ ପତାକା ପୋଡ଼ିବା ସହିତ ଜାତୀୟ ସଙ୍ଗୀତ ଉପରେ ଉପହାସ କରୁଥିଲେ। ମାସକ ଭିତରେ ପାକିସ୍ତାନ ଯାଇ ପ୍ରଶିକ୍ଷଣ ନେବାକୁ ସେମାନେ ଯୋଜନା କରୁଥିବା ଜଣାପଡ଼ିଛି। ସେମାନେ ଅନ୍ୟ ଯୁବକଙ୍କୁ ପାକିସ୍ତାନ ଓ ଆଫଗାନିସ୍ତାନ ଯାଇ ପ୍ରଶିକ୍ଷଣ ନେବାକୁ ପ୍ରବର୍ତ୍ତାଉ ଥିଲେ। ତଦନ୍ତରୁ ଜଣାପଡ଼ିଛି ବିଜୟୱାଡାର ବାସିନ୍ଦା ରହମୁତୁଲ୍ଲା, ସୋହେଲ ବେଗ୍ ଓ ମହମ୍ମଦ ଦାନିସ୍ ‘ଅଲ୍ ମଲିକ୍ ଇସଲାମିକ୍ ୟୁଥ୍’ ନାମରେ ସଙ୍ଗଠନ କରି ଯୁବକଙ୍କୁ ଉଗ୍ରବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ ଓ ଜିହାଦ୍ ପାଇଁ ସେମାନଙ୍କୁ ପ୍ରସ୍ତୁତ କରୁଥିଲେ।
ସେମାନେ ଭାରତ ବିରୋଧରେ ଯୁଦ୍ଧ କରିବା ଦିଗରେ କାର୍ଯ୍ୟ କରୁଥିଲେ। ନିଜକୁ ମୁଜାହିଦ୍ଦିନ ଦର୍ଶାଇବା ସହିତ ଓସାମା ବିନ୍ ଲାଡେନର ଭିଡିଓ ଦେଖୁଥିଲେ। ରହମତୁଲ୍ଲା ବିଦେଶୀ ହ୍ୟାଣ୍ଡଲର୍ ଅଲ -ହକିମ୍ ସୁକୁର ସହିତ ସାମାଜିକ ଗଣମାଧ୍ୟମରେ ସମ୍ପର୍କ ରଖିଥିଲା।
ସୌଜନ୍ୟ ସମ୍ବାଦ
