Long Live Life: ଜୀବନ ଜିନ୍ଦାବାଦ୍: ପାରା ଓସ୍ତାତ
ଗୟାର ମରୁଫ୍ଗଞ୍ଜ ବାସିନ୍ଦା ଅନ୍ୱାର୍ ରିଜ୍ୱାନ୍ଙ୍କ ୧୩ ବର୍ଷୀୟ ପୁଅର ଆକସ୍ମିକ ମୃତ୍ୟୁ ହୋଇଗଲା। ସାମାନ୍ୟ ଅସୁସ୍ଥତା ତା’ର ମୃତ୍ୟୁର କାରଣ ହେଲା। ଦୁଃଖରେ ମ୍ରିୟମାଣ ହୋଇଗଲେ ସେ। ସେ ଭାବିଲେ, ପୁଅ ତ ଚାଲିଗଲା ଏବେ ମୋର ବଞ୍ଚିବା ଅକାରଣ। ଆଉ କାହା ପାଇଁ ବଞ୍ଚିବି?

ଗୟାର ମରୁଫ୍ଗଞ୍ଜ ବାସିନ୍ଦା ଅନ୍ୱାର୍ ରିଜ୍ୱାନ୍ଙ୍କ ୧୩ ବର୍ଷୀୟ ପୁଅର ଆକସ୍ମିକ ମୃତ୍ୟୁ ହୋଇଗଲା। ସାମାନ୍ୟ ଅସୁସ୍ଥତା ତା’ର ମୃତ୍ୟୁର କାରଣ ହେଲା। ଦୁଃଖରେ ମ୍ରିୟମାଣ ହୋଇଗଲେ ସେ। ସେ ଭାବିଲେ, ପୁଅ ତ ଚାଲିଗଲା ଏବେ ମୋର ବଞ୍ଚିବା ଅକାରଣ। ଆଉ କାହା ପାଇଁ ବଞ୍ଚିବି? ଥରେ ବାହାରେ ବସି ସେ ଏମିତି ଭାବୁଥାଆନ୍ତି, ହଠାତ୍ କେତୋଟି ପାରା ଫଡ଼ ଫଡ଼ ହୋଇ ତାଙ୍କ ଚାରିପାଖରେ ଉଡ଼ିଲେ। ସେମାନଙ୍କୁ ଦେଖି ରିଜୱାନ୍ଙ୍କର ଭାବାନ୍ତର ହେଲା। ତାଙ୍କ ମନକୁ ଭାବନା ଆସିଲା, ସତେ ଅବା ତାଙ୍କୁ ସେମାନେ କହୁଛନ୍ତି, ନିରାଶ ହେଲେ ଚଳିବ? ଆମ ପାଇଁ ବଞ୍ଚିଲେ ହେବନାହିଁ! ସେଇ ମୁହୂର୍ତ୍ତରୁ ପାରାଙ୍କ ପ୍ରେମରେ ବାନ୍ଧି ହୋଇଗଲେ ରିଜ୍ୱାନ୍। ଏବେ ପାରାମାନେ ହିଁ ପାଲଟିଛନ୍ତି ତାଙ୍କ ବଞ୍ଚିବାର କାରଣ।
ପିଲାବେଳୁ ରିଜ୍ୱାନ୍ଙ୍କର ପାରା ପାଲିବା ସଉକ ଥିଲା। ତାଙ୍କୁ ୧୪ ବର୍ଷ ହୋଇଥିବା ବେଳେ ମାମୁଘର ତରଫରୁ ତାଙ୍କୁ ଗୋଟିଏ ପାରା ଉପହାର ମିଳିଥିଲା। ଆଜି ରିଜ୍ୱାନ୍ଙ୍କ ଘରେ ୧୦ ପ୍ରଜାତିର ୫୦୦ରୁ ବେଶୀ ପାରା। ଶହାଜାହାନ୍ପୁରୀ, ବନାରସୀ, ଆହ୍ଲାବାଦୀ, ପାକିସ୍ତାନୀ, ବେଡ୍ରାଗ୍, ଘାଗ୍ରେ, ନାପ୍ତେ, କମ୍ଲୀ, ଗିରେଭାଜ୍ ଓ ଲାଲ୍-ଶାଗୁଆମିଶା ଆମ୍ରସାରି, ଏମିତି କେତେ ପ୍ରଜାତିର ପାରା। ପ୍ରଥମଥର ପାରା କିଣିଲା ବେଳେ ସେ ଠକି ଯାଇଥିଲେ। ବେପାରୀ ତାଙ୍କୁ ବଣୁଆ ପାରା ଧରାଇ ଦେଇଥିଲା। ପରେ ଲୋକଙ୍କଠାରୁ ବୁଝାବୁଝି କରି ସେ ବନାରସ, ଲକ୍ଷ୍ନୌ ଓ କାନପୁର ଯାଇ ଖୋଜି ଖୋଜି ଜାତିଆ ପାରା କିଣିଲେ। କେତେକ ପାରାସଉକୀ ଲୋକେ ତାଙ୍କୁ ଦୁର୍ଲଭ ପ୍ରଜାତିର ପାରା ବି ଉପହାର ଦେଲେ।
ଏହି ପାରାମାନେ ହିଁ ତାଙ୍କୁ ସମ୍ମାନ ଦେଇଛନ୍ତି। ପାରା ଉଡ଼ାଣ ପ୍ରତିଯୋଗିତାରେ ସେ ଦୁଇଥର ଗୟା ଜିଲ୍ଲା ଚାମ୍ପିୟନ୍ ହୋଇଛନ୍ତି। ସର୍ବଭାରତୀୟ ପ୍ରତିଯୋଗିତାରେ ଦ୍ବିତୀୟ ହୋଇଛନ୍ତି। ଏସିଆ ହାଇ-ଫ୍ଲାଇଙ୍ଗ୍ ପିଜନ୍ କ୍ଲବ୍ରୁ ସେ ‘ଓସ୍ତାତ’ ଉପାଧି ପାଇଛନ୍ତି। ରିଜ୍ୱାନ୍ଙ୍କୁ ଏବେ ୫୮ ବର୍ଷ। ଏଯାବତ୍ ସେ ୧୫ଟି ପାରାଉଡ଼ାଣ ପ୍ରତିଯୋଗିତାରେ ବିଜୟୀ ହୋଇସାରିଲେଣି। ଯଦି ପାରାଟିଏ ଅସୁସ୍ଥ ହୋଇଯାଏ ତେବେ ରିଜ୍ୱାନ୍ଙ୍କୁ ନିଦ ହୁଏନାହିଁ। ସେ କହନ୍ତି, ‘‘ପାରାମାନେ ମୋର ପିଲା। ଯେମିତି ପିଲାଙ୍କର ଦେଖାଶୁଣା କରାଯାଏ ସେମିତି ପାରାଙ୍କର ଦେଖାଶୁଣା କରୁଛି। ମୋର ପରିବାରର କୌଣସି ଲୋକ ରୋଗବାଧିକାରେ ପଡ଼ିଲେ ମୁଁ ଯାହା କରେ, ପାରାମାନଙ୍କ ପାଇଁ ତାହା କରୁଛି।’’
ତାଙ୍କ ଫ୍ଲାଟ୍ର ଅଧା ଅଂଶ ମାଡ଼ିବସିଛନ୍ତି ପାରା। ସବୁଦିନ ସକାଳେ ପରାମାନେ ଉଡ଼ିଯାଆନ୍ତି, ସଞ୍ଜକୁ ଲେଉଟି ଆସନ୍ତି। ଦିନକର କଥା ମନେ ପକାଇ ରିଜ୍ୱାନ୍ କହନ୍ତି, ‘‘କିଛିବର୍ଷ ତଳେ ମୋ କମ୍ଲୀ ଗିରେଭାଜ୍ ପାରା କେତୋଟି ବହୁ ଦୂରକୁ ଉଡ଼ିଗଲେ। ହଠାତ୍ ଝଡ଼ତୋଫାନ ହେବାରୁ ଆଉ ଫେରିପାରିଲେ ନାହିଁ। ମୋର ଆଶା ଥାଏ ସେମାନେ ନିଶ୍ଚୟ ଫେରି ଆସିବେ। ସେଦିନ ଝଡ଼ତୋଫାନ ଥମିଗଲା। କିଛି ସମୟ ପରେ ଅଳ୍ପ କେତୋଟି ପାରା ଫେରିଲେ। ପୁଣି ଅଧିକାଂଶ ପାରା ଫେରିଲେ ତହିଁ ଆରଦିନ।’’
ସୌଜନ୍ୟ ସମ୍ବାଦ




