ବିଶେଷ

New Moon Day: ଅମାବାସ୍ୟାର ଉପାସନା

‘ମତ୍ସ୍ୟପୁରାଣ’ରେ ଅମାବାସ୍ୟାର ମାହାତ୍ମ୍ୟ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି। ଏହି ପୁରାଣ ଅନୁସାରେ, ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଆଦି କାର୍ଯ୍ୟ କଲେ ପିତୃଗଣ ତୃପ୍ତ ହୁଅନ୍ତି।

‘ମତ୍ସ୍ୟପୁରାଣ’ରେ ଅମାବାସ୍ୟାର ମାହାତ୍ମ୍ୟ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି। ଏହି ପୁରାଣ ଅନୁସାରେ, ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଆଦି କାର୍ଯ୍ୟ କଲେ ପିତୃଗଣ ତୃପ୍ତ ହୁଅନ୍ତି। ଅମାବାସ୍ୟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଏକ ଗୁରୁତ୍ବପୂର୍ଣ୍ଣ ତିଥି। ଚିତାଲାଗି ଅମାବାସ୍ୟା ଦିନ ରତ୍ନଜଡ଼ିତ ସୁବର୍ଣ୍ଣ ଚିତା ତାଙ୍କର ମସ୍ତକରେ ଲାଗି କରାଯାଏ। ସପ୍ତପୁରୀ ଅମାବାସ୍ୟାରେ ଜଗନ୍ନାଥଙ୍କ ପାଖରେ ସପ୍ତପୁରୀ ଭୋଗ ଲାଗିଥାଏ। ସେହିପରି ପୌଷ ମାସର ବକୁଳ ଅମାବାସ୍ୟା ସମୟରେ ଆମ୍ବଗଛରେ ବଉଳ ଆସିବା ଆରମ୍ଭ ହୁଏ। ଏହା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ। ଅମାବାସ୍ୟାର ଅନ୍ଧାର  ପଛରେ ରହିଛି ଆମର ଅନେକ ଉପାସନା- ଏହାକୁ ନେଇ ଏକ ଉପସ୍ଥାପନା…
ପ୍ରଜ୍ଞା ନିବେଦିତା ନାୟକ

ଆଜି ଦୀପାବଳି ଅମାବାସ୍ୟା। ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଅନ୍ଧକାରକୁ ଦୂରୀଭୂତ କରିବାର ପର୍ବ। ପୁଣି ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବାର ପ୍ରକୃଷ୍ଟ ଅବସର। ଭାରତୀୟ ସଂସ୍କୃତିରେ ଅମାବାସ୍ୟାର ଏକ ବିଶେଷ ମହତ୍ତ୍ବ ରହିଛି। ପୁଣି ଏହାକୁ ନେଇ ଭୌଗୋଳିକ ଆଧାରରେ ଭିନ୍ନ ଭିନ୍ନ ପରମ୍ପରା ଓ ଲୋକବିଶ୍ୱାସ ମଧ୍ୟ ପ୍ରଚଳିତ। ପଞ୍ଜିକା ଅନୁସାରେ ପ୍ରତି ମାସରେ ଥରେ ଅମାବାସ୍ୟା ପଡ଼ିଥାଏ ଏବଂ ଏହିଦିନ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି ନାହିଁ। ତେବେ ଉତ୍କଳୀୟ ଧର୍ମୀୟ ପରମ୍ପରାରେ ଅମାବାସ୍ୟାର ସ୍ଥାନ ସ୍ୱତନ୍ତ୍ର। ଯଦିଓ ବର୍ଷରେ ପଡୁଥିବା ସବୁ ଅମାବାସ୍ୟାର ଗୁରୁତ୍ୱ ସମାନ ନୁହେଁ, କିନ୍ତୁ କିଛି ଅମାବାସ୍ୟା ଓଡ଼ିଶାରେ ଗୁରୁତ୍ବ ସହକାରେ ପାଳନ କରାଯାଏ। ବିଶେଷକରି ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ ଓ ସେମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ନିମନ୍ତେ ଏହାର ମହତ୍ତ୍ବ ଆମ ପରମ୍ପରା ଓ ସଂସ୍କୃତିରେ ସ୍ବୀକୃତ ହୋଇଆସିଛି।

ମତ୍ସ୍ୟ ପୁରାଣରେ ଅମାବାସ୍ୟା
ଅମାବାସ୍ୟାର ଉତ୍ପତ୍ତି ସଂପର୍କରେ ‘ମତ୍ସ୍ୟପୁରାଣ’ରେ ବର୍ଣ୍ଣନା ରହିଛି। ପୁରାଣର ଚତୁର୍ଦ୍ଦଶ ଅଧ୍ୟାୟରେ ଅମାବାସ୍ୟାର ମାହାତ୍ମ୍ୟ ଅତି ସୁନ୍ଦର ଭାବେ କରାଯାଇଛି। ଉଲ୍ଲେଖ ଅନୁସାରେ ଅମାବାସ୍ୟା ତିଥିର ଉତ୍ପତ୍ତି ଓ ମହତ୍ତ୍ବ ପିତୃପୁରୁଷ ଏବଂ ସେମାନଙ୍କର ମାନସ କନ୍ୟା ‘ଅଚ୍ଛୋଦା’ (ସତ୍ୟବତୀ)ଙ୍କ ଉପାଖ୍ୟାନ ସହ ଜଡ଼ିତ। ପିତୃପୁରୁଷଗଣଙ୍କର ଅଚ୍ଛୋଦା ନାମ୍ନୀ ଜଣେ ମାନସ କନ୍ୟା ଥିଲେ। ପିତୃଗଣଙ୍କୁ ପ୍ରସନ୍ନ କରିବା ପାଇଁ ସେ ହଜାର ହଜାର ବର୍ଷ ଧରି କଠୋର ତପସ୍ୟା କଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଯେତେବେଳେ ସମସ୍ତ ପିତୃଗଣ ତାଙ୍କୁ ବରଦାନ ଦେବାକୁ ପ୍ରକଟ ହେଲେ, ସେତେବେଳେ ଅଚ୍ଛୋଦା ସେମାନଙ୍କ ମଧ୍ୟରୁ ଅମାବସୁ ନାମକ ଜଣେ ପିତୃପୁରୁଷଙ୍କ ଅଲୌକିକ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ। ମାତ୍ର ଅମାବସୁ ଧୈର୍ଯ୍ୟ ଅବଲମ୍ବନ ପୂର୍ବକ ଅଚ୍ଛୋଦାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ।

ଅମାବସୁଙ୍କର ଏହି ସଂଯମ ଓ ପବିତ୍ର ଆଚରଣ ଯୋଗୁଁ ସେହି ଦିନଟି ପିତୃପୁରୁଷଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ହୋଇଗଲା। ଅମାବସୁଙ୍କ ନାମାନୁସାରେ ହିଁ ଚାନ୍ଦ୍ରମାସର ସେହି ବିଶେଷ ଦିନଟିକୁ ‘ଅମାବାସ୍ୟା’ ଭାବେ ନାମିତ କରାଗଲା। ଅଚ୍ଛୋଦା ନିଜର ଭୁଲ୍ ବୁଝିପାରି ଅନୁତାପ କରିବାରୁ ପିତୃଗଣ ତାଙ୍କୁ ଉଦ୍ଧାର କଲେ। ସେମାନଙ୍କ ଆଶୀର୍ବାଦରୁ ସେ ମର୍ତ୍ତ୍ୟଲୋକରେ ଚେଦିରାଜା ଉପରିଚର ବସୁଙ୍କ କନ୍ୟା ଭାବେ ଏବଂ ଏକ ମାଛ ଗର୍ଭରୁ ଜନ୍ମ ନେଲେ। ପରବର୍ତ୍ତୀ ସମୟରେ ସେ ମତ୍ସ୍ୟଗନ୍ଧା ବା ସତ୍ୟବତୀ ଭାବେ ପରିଚିତା ହେଲେ। ଏହି ସତ୍ୟବତୀ ହିଁ ମହର୍ଷି ପରାଶରଙ୍କ ସଂସର୍ଗରେ ଆସି ‘ମହାଭାରତ’ର ରଚୟିତା ଭଗବାନ ବେଦବ୍ୟାସଙ୍କୁ ଜନ୍ମ ଦେଇଥିଲେ। ପିତୃଗଣଙ୍କ ଆଶିଷ ଯୋଗୁଁ ପରବର୍ତ୍ତୀ କାଳରେ ସେ ଅଚ୍ଛୋଦା ନାମକ ଏକ ପୁଣ୍ୟସଲିଳା ନଦୀ ହୋଇଥିଲେ।

ମତ୍ସ୍ୟ ପୁରାଣ ଅନୁସାରେ, ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ପିଣ୍ଡଦାନ ଓ ତର୍ପଣ ଆଦି କାର୍ଯ୍ୟ କଲେ ପିତୃଗଣ ଅତ୍ୟନ୍ତ ତୃପ୍ତ ହୁଅନ୍ତି। ଏହି ତିଥିରେ ପିତୃପୂଜା କଲେ ପରିବାରରେ ସୁଖ, ସମୃଦ୍ଧି, ଆୟୁଷ ଓ ସନ୍ତାନ ପ୍ରାପ୍ତି ହୁଏ ବୋଲି ମତ୍ସ୍ୟପୁରାଣରେ ଉଲ୍ଲେଖ ରହିଛି। ଏହି ପ୍ରସଙ୍ଗ ଆମକୁ ଶିକ୍ଷା ଦିଏ ଯେ ଅମାବାସ୍ୟା ଏକ ଅଶୁଭ ଦିନ ନୁହେଁ। ବରଂ ଏହା ଆମ ପୂର୍ବପୁରୁଷଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଓ ମହାନ ଆଧ୍ୟାତ୍ମିକ ଦିନ।

କାର୍ତ୍ତିକ ଅମାବାସ୍ୟାର ମାହାତ୍ମ୍ୟ
ଧାର୍ମିକ ବିଶ୍ୱାସ ଅନୁସାରେ, କାର୍ତ୍ତିକ ଅମାବାସ୍ୟା ଦୀପଦାନ ପାଇଁ ଉତ୍କୃଷ୍ଟ। ଶାସ୍ତ୍ର ମତରେ-
‘‘ତୁଳାଂ ପ୍ରତ୍ୟାଗତେ ସୂ‌‌େର୍ଯ୍ୟ ଅମାବାସ୍ୟା ତିଥିର୍ଭବେତ୍‌
ଉପାସ୍ତ ସମୟେ ଦୀପାନ୍‌ ପିତୃନ୍‌ ଦଦ୍ୟାତ୍‌ ଶୁଚିଃ ଶୁଚିଃ।’’
ଅର୍ଥାତ୍‌ ସୂର୍ଯ୍ୟ ତୁଳା ରାଶିକୁ ଆସିବା ପରେ ଯେଉଁ ଅମାବାସ୍ୟା ତିଥି ଆସିଥାଏ, ତାହାର ଉପାସ୍ତ ସମୟରେ (ସନ୍ଧ୍ୟା ସମୟରେ) ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ବିଧେୟ।
ସେହିପରି ଶାସ୍ତ୍ର‌େର ରହିଛି-

‘‘ପିତୃଲୋକଂ ପରିତ୍ୟଜ୍ୟ ଆଗତା ଯେ ମହାଳୟେ
ଉଜ୍ଜ୍ବଳେ ଜ୍ୟୋତିଷାଂ ମାର୍ଗେ ସାବଧାନା ବ୍ରଜନ୍ତୁ ତେ।’’
ଅର୍ଥାତ୍, ପିତୃପକ୍ଷ ସରିବା ପରେ ଯେଉଁ ପିତୃପୁରୁଷମାନେ ପୁଣି ନିଜ ଲୋକକୁ ଫେରିଥାଆନ୍ତି, ସେମାନଙ୍କୁ ଠିକ୍ ମାର୍ଗ ଦେଖାଇବା ପାଇଁ ଏହି ଆଲୋକ ପ୍ରଦର୍ଶନର ପ୍ରଥା ରହିଛି। ଏହାକୁ ନେଇ ଓଡ଼ିଶାରେ ନିଆରା ପରମ୍ପରା ଅଛି, ଯାହାକୁ ‘ବଡ଼ବଡ଼ୁଆ ଡାକ’ କୁହାଯାଏ। ପରିବାରର ଲୋକେ କାଉଁରିଆ କାଠି ଜାଳି ତାହାକୁ ଉପରକୁ ଟେକି ବଡ଼ବଡ଼ୁଆଙ୍କୁ ଡାକି କହନ୍ତି-

‘‘ବଡ଼ବଡୁଆ ହୋ,
ଅନ୍ଧାରରେ ଆସ ଆଲୁଅରେ ଯା’,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛେ ଗଡ଼ଗଡ଼ାଉ ଥା’….’’
ଏହାର ଅର୍ଥ ହେଉଛି, ଆମ ପୂର୍ବପୁରୁଷମାନେ ଅନ୍ଧାରରେ ଘରକୁ ଆସନ୍ତୁ ଏବଂ ଆଲୋକର ପଥ ଧରି ଫେରିଯାଆନ୍ତୁ। ଏହି ଦିନ ଅନେକ ସ୍ଥାନରେ କାଳୀପୂଜା ମଧ୍ୟ ହୁଏ।
ତେବେ ଦୀପାବଳୀ ପର୍ବର ଉତ୍ପତ୍ତି ବିଷୟରେ ଅନେକ ପୌରାଣିକ ମତବାଦ, ଧାର୍ମିକ ବିଶ୍ବାସ, ଐତିହାସିକ ତଥ୍ୟ ତଥା ସାମାଜିକ ବିଧିବ୍ୟବସ୍ଥା ପ୍ରଚଳିତ ରହିଛି। ଏହାକୁ ଅନୁଶୀଳନ କଲେ ଜଣାପଡ଼େ ଏହି ପର୍ବ ପାଳନ ଅତ୍ୟନ୍ତ ପ୍ରାଚୀନ।

ଶ୍ରୀଜଗନ୍ନାଥ ଓ ଅମାବାସ୍ୟା ପରମ୍ପରା
ଅମାବାସ୍ୟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଏକ ଗୁରୁତ୍ବପୂର୍ଣ୍ଣ ତିଥି। ଆଷାଢ଼ ଅମାବାସ୍ୟାର ଅନ୍ୟ ନାମ ‘ଚିତାଲାଗି’ ଅମାବାସ୍ୟା। କାରଣ, ସ୍ନାନପୂର୍ଣ୍ଣିମାର ସମସ୍ତ ନୀତି ଶେଷ ହୋଇ ଠାକୁରମାନେ ଅଣସର ଘରକୁ ଯିବା ପରେ, ସେମାନଙ୍କର ମସ୍ତକରୁ ଯେଉଁ ରତ୍ନଜଡ଼ିତ ସୁବର୍ଣ୍ଣ ଚିତା ଉଲାଗି କରିଦିଆଯାଇଥାଏ, ଏହି ଅମାବାସ୍ୟା ଦିନ ହିଁ ତାହାକୁ ପୁନଶ୍ଚ ତାଙ୍କର ମସ୍ତକରେ ଲାଗି କରାଯାଏ। ଆଉ ଏକ ସ୍ନାନଯାତ୍ରା ପର୍ଯ୍ୟନ୍ତ ସେହି ଚିତା ରତ୍ନବେଦିରେ ବିରାଜିତ ଠାକୁରମାନଙ୍କର ମସ୍ତକରେ ସ୍ଥାନ ପାଇଥାଏ। ମାର୍ଗଶିର ଅମାବାସ୍ୟା ଏହାର ଅନ୍ତର୍ଭୁକ୍ତ। କାରଣ, ଏହି ମାସରେ ଶ୍ରୀମନ୍ଦିରରେ ତିିନିଦିନ ଧରି ଦେବ ଦୀପାବଳି ପାଳିତ ହୋଇଥାଏ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ମାର୍ଗଶିର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏହା ପାଳିତ ହୁଏ। ଏହି ତିନିଦିନ ଶ୍ରୀଜଗନ୍ନାଥ ତାଙ୍କର ସତ୍ୟଯୁଗର ବାମନ ଅବତାରର ପିତାମାତା କଶ୍ୟପ ଓ ଅଦିତିଙ୍କୁ, ତ୍ରେତାଯୁଗର ପିତାମାତା ଦଶରଥ ଓ କୌଶଲ୍ୟାଙ୍କୁ, ଦ୍ବାପରଯୁଗର ପିତାମାତା ଦେବକୀ ଓ ବସୁଦେବ ଏବଂ ନନ୍ଦ ଓ ଯଶୋଦାଙ୍କୁ ଏବଂ କଳିଯୁଗର ଦାରୁବ୍ରହ୍ମ ରୂପର ନିୟାମକ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଦୀପଦାନ କରିଥାନ୍ତି। ଏହାବ୍ୟତୀତ ଅମାବାସ୍ୟାର ଆଉ ଏକ ଗୁରୁତ୍ବ ଶ୍ରୀମନ୍ଦିରର ରୀତିନୀତିରେ ରହିଛି। ଏଥି ମଧ୍ୟରୁ ଗୋଟିଏ ମାସିକ ନୀତି ହେଉଛି ସାଗର ବିଜେ। ଏହାର ଅନ୍ୟନାମ ‘ଅମାବାସ୍ୟା ନୀତି’। ଏଥିରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀନାରାୟଣ ପାଲିଙ୍କିରେ ସାଗରବିଜେ କରିଥାଆନ୍ତି। ସେ ‘ଅମାବାସ୍ୟା ନାରାୟଣ’ ଭାବରେ ଖ୍ୟାତ। ସାଗରତଟରେ ସମୁଦ୍ରର ଜଳ ନିର୍ଦ୍ଦିଷ୍ଟ ବିଧିରେ ତାଙ୍କୁ ଲାଗି କରାଯାଏ। ମାସକୁ ଅନ୍ତତଃ ଥରେ ଶ୍ରୀଜଗନ୍ନାଥଙ୍କର ଏହି ଶ୍ବଶୁରାଳୟ ଯାତ୍ରା ଆମକୁ ଏକ ସାମାଜିକ ଓ ପାରିବାରିକ ସହାବସ୍ଥାନର ବାର୍ତ୍ତା ଦିଏ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button