Tamil Nadu: ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ; ମେ’ ୬ରେ ରାଜ୍ୟପାଳଙ୍କୁ ଭେଟିବେ

ନୂଆଦିଲ୍ଲୀ: ଟିଭିକେ (ତାମିଲଗା ଭେଟ୍ରି କାଝାଗମ) ମୁଖ୍ୟ ଏବଂ ଅଭିନେତାରୁ ରାଜନେତା ବନିଥିବା ଥାଲାପତି ବିଜୟ ଆସନ୍ତା ମେ ୭ ତାରିଖରେ ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚେନ୍ନାଇର ଜବାହରଲାଲ ନେହରୁ ଇଣ୍ଡୋର୍ ଷ୍ଟାଡିୟମ୍ରେ ଶପଥ ଗ୍ରହଣ ଉତ୍ସବ ହେବ ଏବଂ ଆସନ୍ତାକାଲି ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ବୋଲି ଜଣାପଡ଼ିଛି।
ତାମିଲନାଡ଼ୁ ନିର୍ବାଚନରେ ବିଜୟଙ୍କ ଦଳ ୧୦୮ ଆସନରେ ବିଜୟୀ ହୋଇ ସର୍ବବୃହତ୍ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଏହା ପଛରେ ରହିଛି। ସରକାର ଗଠନ ପାଇଁ ଟିଭିକେକୁ ଆଉ ୧୦ ସଂଖ୍ୟା ଆବଶ୍ୟକ। କିନ୍ତୁ ଟିଭିକେ କାହା ସହ ମେଣ୍ଟ କରିବ ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। ତେବେ ସରକାର ଗଠନ ପାଇଁ ଏହା କଂଗ୍ରେସ, ପିଏମ୍କେ, ବାମ ଦଳ, ସିପିଏମ୍ ଓ ଭିସିକେ ଭଳି ଦଳମାନଙ୍କ ସହ ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଟିଭିକେ ସହ ମେଣ୍ଟ ପ୍ରସଙ୍ଗରେ ତାମିଲନାଡ଼ୁ ଏଆଇସିସି ପ୍ରଭାରୀ ଗିରିଶ ଚୋଡ଼ଙ୍କର କହିଛନ୍ତି, ନେତୃବୃନ୍ଦ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବେ।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ଆଜି ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ବିଜୟ ଚିଠି ଲେଖି ସରକାର ଗଠନ ପାଇଁ ଦାବି କରିଛନ୍ତି। ଆମର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ସେ ରାଜ୍ୟପାଳଙ୍କ ନିକଟକୁ ଇମେଲ୍ କରି ଦାବି କରିଛନ୍ତି।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଜୟଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେବା ପୂର୍ବରୁ ରାଜ୍ୟପାଳ ଆଇନ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରିପାରନ୍ତି। ଟିଭିକେ ସୂତ୍ରରୁ ଜଣାଯାଇଛି ଯେ, ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ତାଙ୍କ ଦଳ ୨ ସପ୍ତାହ ସମୟ ମାଗିଛି।
ସୌଜନ୍ୟ ସମ୍ବାଦ




