Asian Games: ଏସୀୟ କ୍ରୀଡ଼ା: ଦୌଡ଼କୁଦରୁ ଭାରତକୁ ୫ ପଦକ
ଦୌଡ଼କୁଦରୁ ଭାରତକୁ ରବିବାର ୫ ଏସୀୟ କ୍ରୀଡ଼ା ପଦକ ମିଳିଛି। ତେବେ ୨ ଜଣ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ୩ ଜଣ କାଂସ୍ୟ ପଦକ ଅମଳ କରିବାରେ ସକ୍ଷମ ହୋଇଛନ୍ତି।

ଆଇଚି-ନାଗୋୟା: ଦୌଡ଼କୁଦରୁ ଭାରତକୁ ରବିବାର ୫ ଏସୀୟ କ୍ରୀଡ଼ା ପଦକ ମିଳିଛି। ତେବେ ୨ ଜଣ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ୩ ଜଣ କାଂସ୍ୟ ପଦକ ଅମଳ କରିବାରେ ସକ୍ଷମ ହୋଇଛନ୍ତି। ମହିଳା ୩୦୦୦ ମିଟର୍ ଦୌଡ଼ରେ ଭାରତୀୟ ଯୁବତୀ ପାରୁଲ ଚୌଧୁରୀ କାଂସ୍ୟ ପଦକ ହାସଲ କରିଛନ୍ତି। ପାରୁଲ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୯:୦୮.୬୭ ସହିତ କାଂସ୍ୟ ପଦକ ଜିତିଥିଲେ। ବାହାରିନ୍ର କିଂବଦନ୍ତି ୱିନଫ୍ରେଡ୍ ୟାଭି (୯:୦୪.୩୬) ସ୍ବର୍ଣ୍ଣ ଏବଂ କାଜାଖସ୍ତାନର ନୋରା ତନୁଇ (୯:୦୬.୮୨) ରୌପ୍ୟ ପଦକ ହାସଲ କରି ନେଇଥିଲେ। ମହିଳା ୨୦୦ ମିଟରରେ ହାରିତା ଭଦ୍ରା କାଂସ୍ୟ ପଦକ ହାସଲ କରିଛନ୍ତି। ମାତ୍ର ୦.୦୧ ସେକେଣ୍ଡ୍ କମ୍ ସମୟ ନେଇ ହାରିତା (୨୩.୨୦ ସେକେଣ୍ଡ୍) ଚତୁର୍ଥ ସ୍ଥାନରେ ଥିବା ଧାବିକାକୁ ପଛରେ ପକାଇ ଅପ୍ରତ୍ୟାଶିତ ପଦକ ଜିତିଥିଲେ।
ମହିଳା ଲଙ୍ଗ ଜମ୍ପ୍ରେ କିନ୍ତୁ ଆନ୍ସି ସୋଜନ ବହୁ ପ୍ରତୀକ୍ଷିତ ରୌପ୍ୟ ପଦକ ଜିତି କିଂବଦନ୍ତି ଅଞ୍ଜୁ ବବି ଜର୍ଜଙ୍କ ରେକର୍ଡକୁ ପଛରେ ପକାଇନ୍ତି। ଆନ୍ସୀ ରୌପ୍ୟ ପଦକ ଜିତିଥିବାବେଳେ ଦୁଇ ଦଶନ୍ଧି (୨୦୦୩) ତଳେ ଅଞ୍ଜୁ ଏହି ଇଭେଣ୍ଟ୍ରେ କାଂସ୍ୟ ପଦକ ଜିତିଥିଲେ। ଆନ୍ସି ୬.୫୩ ମିଟର୍ ଲମ୍ଫ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲେ। ଚୀନର ହୁଆଙ୍ଗ ୟିଙ୍ଗ୍ୟିଙ୍ଗ୍ (୯୬.୫୫) ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତ ପାଇଁ ଅନ୍ୟ ଦୌଡ଼କୁଦ ପଦକଟି ଜିତିଥିଲେ ତେଜସ୍ବିନ ଶଙ୍କର। ଡେକାଥଲନ୍ ଇଭେଣ୍ଟ୍ରେ ଶଙ୍କର ମୋଟ ୭୯୩୪ ପଏଣ୍ଟ୍ ସହିତ ତୃତୀୟ ସ୍ଥାନରେ ରହିଥିଲେ। ଏହା ତାଙ୍କ ଦ୍ବିତୀୟ ଏସିଆଡ୍ ପଦକ। ୩ ବର୍ଷ ତଳେ ହାଙ୍ଗ୍ଝୁରେ ରୌପ୍ୟ ପଦକ ଜିତିଥିବା ଶଙ୍କର ଏବେ କାଂସ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସର୍ବେଶ କୁଶାରେ ପୁରୁଷ ହାଇଜମ୍ପ୍ରେ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ନିଜ ଶ୍ରେଷ୍ଠ ଲମ୍ଫ ୨.୨୫ ମିଟର ସହିତ ସର୍ବେଶ ଦ୍ବିତୀୟ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସମାନ ଲମ୍ଫ ମାରିଥିବା ଚାଇନିଜ୍ ତାଇପେର ଫୁ ଚାଓ ସୁଆନ୍ଙ୍କୁ କାଉଣ୍ଟ୍ବ୍ୟାକ୍ ଭିତ୍ତିରେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସମାନ ଲମ୍ଫ ଆସିଲେ ଯେଉଁ ଖେଳାଳି ସବୁଠାରୁ କମ୍ ଥର ବିଫଳ ପ୍ରୟାସ କରିଥିବେ ସେମାନେ ଆଗରେ ରହିଥା’ନ୍ତି।
ସ୍କ୍ବାସ୍ରେ ଅଭୟ, ଅନାହତଙ୍କୁ ରୌପ୍ୟ
ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ରବିବାର ସ୍କ୍ବାସ୍ ଇଭେଣ୍ଟ୍ରୁ ୨ଟି ରୌପ୍ୟ ପଦକ ଆସିଛି। ପୁରୁଷ ଓ ମହିଳା ଏକକ ଫାଇନାଲ୍ରେ ପହଞ୍ଚିଥିବା ଦୁଇ ଭାରତୀୟ ଅଭୟ ଅଭୟ ସିଂହ ଓ ଅନାହତ ସିଂହ ରବିବାର ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଅଭୟ ୯-୧୧, ୫-୧୧, ୫-୧୧ରେ ମାଲେସିଆର ଏନ୍ଜି ଇଆନ୍ ୟୋଙ୍କଠୁ ପରାସ୍ତ ହୋଇଛନ୍ତି। ଫାଇନାଲ୍ରେ ପହଞ୍ଚିବା ପର୍ଯ୍ୟନ୍ତ ଗୋଟିଏ ବି ଗେମ୍ ହାରି ନଥିବା ଅଭୟ ସୋମବାର ଗତ ସଂସ୍କରଣ ବିଜେତାଙ୍କୁ ପ୍ରଥମ ଗେମ୍ରେ କଡ଼ା ଟକ୍କର ଦେଇଥିଲେ। ହେଲେ ବିଶ୍ବର ୧୮ ନମ୍ବର ମାଲେସିଆ ଖେଳାଳି ପ୍ରଥମ ଗେମ୍କୁ ୧୧-୯ରେ ଜିତି ନେଇଥିଲେ। ଦ୍ବିତୀୟ ଓ ତୃତୀୟ ଗେମ୍ରେ ବିଶ୍ବର ୨୬ ନମ୍ବର ଅଭୟ ସମାନ ୫-୧୧ ବ୍ୟବଧାନରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ୟୋ ନିଜ ସ୍ବର୍ଣ୍ଣ ବଜାୟ ରଖିଥିଲେ। ପାକିସ୍ତାନର ନୁର ଜାମନ କାଂସ୍ୟ ପାଇଥିଲେ। ଅନ୍ୟପକ୍ଷରେ ଅନାହତ ୪-୧୧, ୪-୧୧, ୭-୧୧ରେ ମାଲେସିଆର ଶିବାସଙ୍ଗାରି ସୁବ୍ରମନ୍ୟୁମଙ୍କଠୁ ପରାଜିତ ହୋଇଥିଲେ। ଜାପାନର ସାତୋମି ୱାତାନାବେ କାଂସ୍ୟ ପାଇଥିଲେ।
ସୌଜନ୍ୟ ସମ୍ବାଦ




