ଗୌହାଟୀ: ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର ଜମିରେ ଅବୈଧ ଭାବେ ରହୁଥିବା ଲୋକଙ୍କୁ ହଟାଇବା ଦାବିରେ ଆସାମର ପଶ୍ଚିମ କାର୍ବି ଅାଙ୍ଗଲାଙ୍ଗ ଜିଲ୍ଲା ମଙ୍ଗଳବାର ଦ୍ବିତୀୟ ଦିନ ପାଇଁ ଅଶାନ୍ତ ରହିଛି। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବାରୁ ୨ ଜଣଙ୍କର ମୃତ୍ୟୁ ହେବା ସହିତ ୪୮ ଜଣ ପୁଲିସ ଆହତ ହୋଇଛନ୍ତି। ଦଙ୍ଗା, ପୋଡ଼ାଜଳା ଓ ବ୍ୟାପକ ଭଙ୍ଗାରୁଜା ଜାରି ରହିଛି।
ବିକ୍ଷୋଭକାରୀ ଦୋକାନ ବଜାରରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବାବେଳେ ଖେରୋନିରେ ପୁଲିସ ଉପରକୁ ବୋମା, ପଥର ଓ ଧନୁତୀରରେ ଆକ୍ରମଣ କରାଯାଇଛି। ସୋମବାର ସନ୍ଧ୍ୟାରୁ ଜିଲ୍ଲାରେ ବିଏନ୍ଏସ୍ଏସ୍ ଧାରା ୧୬୩ ଲାଗୁ ହୋଇଥିଲେ ମଧ୍ୟ ହିଂସା ନିୟନ୍ତ୍ରଣକୁ ଆସିପାରି ନାହିଁ। ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ କାର୍ବି ଅାଙ୍ଗଲାଙ୍ଗ ଓ କାର୍ବି ଅାଙ୍ଗଲାଙ୍ଗ ଜିଲ୍ଲାରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବା ବନ୍ଦ କରିଦେଇଛନ୍ତି। ଏଥିସହିତ ଖେରୋନି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଧିକ ସୁରକ୍ଷା କର୍ମୀ ମୁତୟନ ହେବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି।
ବୁଧବାର ସେନାର ଫ୍ଲାଗ୍ମାର୍ଚ୍ଚ ହେବ। କର୍ବି ଆଦିବାସୀ ସମୁଦାୟ ପକ୍ଷରୁ ଗୋଚର ଭୂମିରୁ ବାହାର ଲୋକଙ୍କୁ ଉଚ୍ଛେଦ କରିବାକୁ ଦାବି କରାଯାଇଛି। ସୋମବାରଠାରୁ ସେଠାରେ ଉପସ୍ଥିତ ଥିବା ପୁଲିସ ଡିଜି ହରମିତ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ଆଇପିଏସ୍ ଅଧିକାରୀଙ୍କ ସମେତ ୪୮ ପୁଲିସ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଶ୍ରୀ ସିଂହ କହିଛନ୍ତି। ବିକ୍ଷୋଭକାରୀ ଗତକାଲି ହିଂସା ଘଟାଇବେନି ବୋଲି କହିଥିଲେ। କିନ୍ତୁ ମଙ୍ଗଳବାର ପୁଣି ଥରେ ଦୋକାନ ଉପରେ ଆକ୍ରମଣ କରିବା ସହିତ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ କରିଛନ୍ତି। ବିକ୍ଷୋଭକାରୀ ପୁଲିସ ଉପରକୁ ବୋମା ପକାଇଥିଲେ। ଜଣେ ପୁଲିସ କର୍ମଚାରୀଙ୍କ ଉପରେ ତୀରମାଡ଼ ହୋଇଥିବା ଡିଜିପି କହିଛନ୍ତି। ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ଲୁହବୁହା ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼ କରିଥିବା ଡିଜିପି ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ
