ରାଜ୍ୟ

Assembly session begins today: ଆଜିଠୁ ବିଧାନସଭା: ଆସିପାରେ ୬ଟି ବିଲ୍, ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି

ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହା ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ୍ ୯ଟି କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନରେ ୬ଟି ବିଲ୍ ଆସିବାର ସମ୍ଭାବନା ରହିଛି।

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହା ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ୍ ୯ଟି କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନରେ ୬ଟି ବିଲ୍ ଆସିବାର ସମ୍ଭାବନା ରହିଛି। ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବ। ଆଜିର ସର୍ବଦଳୀୟ ବୈଠକ ଏବଂ ବିରୋଧୀ ଦଳ ନେତାମାନଙ୍କ ବିବୃତିରୁ ସ୍ପଷ୍ଟ ହେଉଛି ଯେ ଏଥର ଗୃହ କାର୍ଯ୍ୟ ସ୍ବାଭାବିକ ହେବାର ସମ୍ଭାବନା କମ୍। ବିଶେଷ କରି ତିନିଟି ବଡ଼ ପ୍ରସଙ୍ଗ ଗୃହରେ ଜୋରଦାର ଉଠିବ। ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ, ତ୍ରୁଟିପୂଣ୍ଣ ପାଠ୍ୟପୁସ୍ତକ ଓ ମହାନଦୀ ବିବାଦକୁ ନେଇ ବିରୋଧୀ ଦଳ ଗୃହ କମ୍ପାଇବେ। ଏଥି ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି। ବିଧାନସଭା ବାହାରେ ବିରୋଧୀ ଦଳ ବିକ୍ଷୋଭ, ସମାବେଶ କରୁଥିଲା ବେଳେ ଭିତରେ ବିଧାୟକମାନେ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ କରିବେ। ତେଣୁ ସ୍ବଳ୍ପ ଅବଧିର ଏହି ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରୁଛି।

ଅଧିବେଶନ ଅବ୍ୟବହିତ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଗୃହକୁ ସୁରୁଖୁରୁରେ ପରିଚାଳନା କରିବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଓ କଂଗ୍ରେସ ବିଧାୟକ ଅଶୋକ ଦାସ ଉପସ୍ଥିତ ଥିଲେ।

ଆସିପାରେ ୬ଟି ବିଲ୍, ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି
ଏମ୍‌ଏମ୍‌ଡିଆର୍‌, ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ କମ୍ପିବ ଗୃହ

ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚିରାଚରିତ ଢଙ୍ଗରେ ସର୍ବଦଳୀୟ ବୈଠକ ହୋଇଛି। ଆମେ ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ କଥା ଉଠାଇଲୁ। ଓଡ଼ିଶାର ଯାହା କ୍ଷତି ହୋଇଛି ସେ ନେଇ ଆଲୋଚନା କରାଯାଉ। ନଚେତ ଧନ୍ୟବାଦ ଦେଇ ଆଲୋଚନା କରାଯାଉ। ଆମେ ଏଥି ପାଇଁ ଅପେକ୍ଷା କରିଛୁ। ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ, ତାହା ଆମ ଦଳ ନିଷ୍ପତ୍ତି ନେବ। କଂଗ୍ରେସ ବିଧାୟକ ଶ୍ରୀ ଦାସ କହିଛନ୍ତି, ଆମେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଯେଉଁ ପ୍ରସ୍ତାବ ଦେଉଛୁ, ତାହାକୁ ଆଲୋଚନା ପାଇଁ କହିଛୁ। ଏମ୍‌ଏମ୍‌ଡିଆର୍‌ ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟି ନେଇ ଆଲୋଚନା ପାଇଁ କହିଛୁ। ଆମେ ଏହି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବୁ। ଏ ନେଇ ଆଲୋଚନା କରିବାକୁ ଦାବି କରିବୁ। ଏହା ସହିତ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ନହେବା ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଜୋରଦାର ଉଠାଇବ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିରୋଧୀ ଦଳ ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ ପ୍ରସଙ୍ଗ ଉଠାଇଛନ୍ତି। ତାହା ଉପରେ ବାଚସ୍ପତି ବିଚାର କରିବେ। ବିରୋଧୀ ଦଳ ଗୃହରେ ଯାହା ବି ପ୍ରସଙ୍ଗ ଉଠାଇବେ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ଅଧିବେଶନ ପାଇଁ ଏବେ ସୁଦ୍ଧା ୬ଟି ବିଲ୍‌ର ନୋଟିସ୍ ଆସିଛି। ଗୃହରେ କେଉଁ ବିଲ୍ ଆସିବ, ସେ ସମ୍ପର୍କରେ ବିଧାନସଭାର କାର୍ଯ୍ୟପରାମର୍ଶଦାତା କମିଟି ବିଚାର କରିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button