Aswini Vaishnab: ଜି-୭ ଅର୍ଥମନ୍ତ୍ରୀ ବୈଠକରେ ଯୋଗଦେଲେ ଅଶ୍ବିନୀ ବୈଷ୍ଣବ

ଆମେରିକାର ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟଙ୍କ ଦ୍ବାରା ଆହୂତ ଜି-୭ ଅର୍ଥମନ୍ତ୍ରୀ ବୈଠକରେ ଭାରତର ପ୍ରତିନିଧିତ୍ବ କରିଛନ୍ତି କେନ୍ଦ୍ର ରେଳ, ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଶ୍ବରେ ରେୟାର ଆର୍ଥ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ଏହି ବୈଠକ ହୋଇଛି

ୱାସିଂଟନ: ଆମେରିକାର ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟଙ୍କ ଦ୍ବାରା ଆହୂତ ଜି-୭ ଅର୍ଥମନ୍ତ୍ରୀ ବୈଠକରେ ଭାରତର ପ୍ରତିନିଧିତ୍ବ କରିଛନ୍ତି କେନ୍ଦ୍ର ରେଳ, ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଶ୍ବରେ ରେୟାର ଆର୍ଥ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ଏହି ବୈଠକ ହୋଇଛି। ଗୁରୁତ୍ବପୂର୍ଣ୍ଣ ଖଣିଜ ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ପାଇଁ ହୋଇଥିବା ‌ଏହି ବୈଠକ ଭାରତର ବିନିର୍ମାଣ କ୍ଷମତା ଏବଂ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ୍‌ କରିଛନ୍ତି।

ଆମେରିକାର ଟ୍ରେଜେରି ସଚିବ ବେସେଣ୍ଟ କହିଛନ୍ତି ଯେ ଅଂଶଗ୍ରହଣକାରୀମାନେ ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଯୋଗାଣ ଶୃଙ୍ଖଳରେ ରହିଥିବା ଦୁର୍ବଳତାକୁ ଦୂର କରିବା ଉପରେ ଦୃଢ଼ ମତ ରଖିଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବା କ୍ଷେତ୍ରରେ ଦେଶଗୁଡ଼ିକ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଉଚିତ ବୋଲି ସେ କହିଛନ୍ତି। ଏହି ବୈଠକରେ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ୟୁରୋପୀ ସଂଘ ଏବଂ ବ୍ରିଟେନର ଅର୍ଥମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ହୋଇଥିଲେ।

ଆମେରିକା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟକ ତଥା ହ୍ବାଇଟ୍‌ ହାଉସ କାର୍ଯ୍ୟାଳୟର ବିଜ୍ଞାନ ଓ ପ୍ରଯୁକ୍ତି ନୀତି ମହାନିର୍ଦ୍ଦେଶକ ମାଇକେଲ୍ କ୍ରେଟସିଓସ ଏବଂ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ବାତ୍ରାଙ୍କୁ ସାକ୍ଷାତ କରିଛନ୍ତି। ଆଗାମୀ ଦିନରେ ଭାରତରେ ହେବାକୁ ଥିବା ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମ୍ମିଳନୀର ପ୍ରସ୍ତୁୂତି ଉପରେ ବୈଠକରେ ଆଲୋଚନା ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତାମାସ ୧୯ ଓ ୨୦ ତାରିଖରେ ନୂଆଦିଲ୍ଲୀରେ ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହେବ।

ସୌଜନ୍ୟ ସମ୍ବାଦ

Exit mobile version