Satyagraha at Rajghat: ଜସ୍ଟିସ୍ ସ୍ୱର୍ଣ୍ଣକାନ୍ତାଙ୍କ ବିରୋଧରେ କେଜ୍ରିୱାଲଙ୍କ ‘ସତ୍ୟାଗ୍ରହ’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କୁ ବହିଷ୍କାର କରି ଏହାକୁ ସତ୍ୟାଗ୍ରହ ନାମ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅଭିଯୋଗ ନେଇ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ସ୍ଥଳରେ ପହଞ୍ଚିଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ମନିଷ ସିସୋଦିଆ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଓ ଅନ୍ୟ ନେତାମାନେ ମଧ୍ୟ ରାଜଘାଟରେ ପହଞ୍ଚିଥିଲେ।

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ନ୍ୟାୟପାଳିକାକୁ ସମ୍ମାନ କରନ୍ତି, କିନ୍ତୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସତ୍ୟାଗ୍ରହ କରିବାକୁ ପଡିବ। ଆମେ ବିଚାରପତିଙ୍କ ନିକଟକୁ ପଠାଇଥିବା ଚିଠିରେ ସବୁକିଛି ଲେଖିଛୁ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ, ତେଣୁ ମୁଁ ଗଣମାଧ୍ୟମରେ ଅଧିକ କିଛି କହିବି ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ ସକାଳେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ଯେ ସେ ମନିଷ ସିସୋଦିଆଙ୍କ ସହ ମଧ୍ୟାହ୍ନ ୧୨ଟାରେ ରାଜଘାଟ ଯାଇ ବାପୁଙ୍କ ଆଶୀର୍ବାଦ ନେବେ। କାର୍ଯ୍ୟସୂଚୀ ଅନୁଯାୟୀ, କେଜ୍ରିୱାଲ ମନୀଷ ସିସୋଦିଆ, ଆତିଶୀ ମାର୍ଲେନା ଓ ଦଳର ଅନ୍ୟ ଅନେକ ନେତାଙ୍କ ସହ ରାଜଘାଟ ଯାଇଥିଲେ।

କେଜ୍ରିୱାଲ ଓ ସି‌େସାଦିଆ ମଦ ଦୁର୍ନୀତି ମାମଲାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କୁ ବହିଷ୍କାର କରିଛନ୍ତି। ଉଭୟ ନେତା ଏହାକୁ ସେମାନଙ୍କର ସତ୍ୟାଗ୍ରହ ବୋଲି ବର୍ଣ୍ଣନା କରିଛନ୍ତି। ଏହାକୁ ବାପୁଙ୍କ ପ୍ରସ୍ତାବିତ ପଥ ବୋଲି ବର୍ଣ୍ଣନା କରି କେଜ୍ରିୱାଲ କହିଛନ୍ତି ଯେ ପ୍ରଥମେ ସେ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତାଙ୍କ ସମ୍ମୁଖରେ ନିଜର ମତ ରଖିଥିଲେ, କିନ୍ତୁ ଯେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ତାଙ୍କ ପାଖରେ କେବଳ ସତ୍ୟାଗ୍ରହର ବିକଳ୍ପ ରହିଯାଇଥିଲା। କେଜ୍ରିୱାଲ ଓ ସିସୋଦିଆ କହିଛନ୍ତି ଯେ ସେମାନେ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତାଙ୍କଠାରୁ ନ୍ୟାୟ ଆଶା କରୁନାହାନ୍ତି।

ସୂଚନାଯୋଗ୍ୟ, ନିକଟରେ କେଜ୍ରିୱାଲ ଓ ସିସୋଦିଆଙ୍କ ସମେତ ୨୩ ଜଣ ନେତାଙ୍କୁ ନିମ୍ନ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସିବିଆଇ ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠରେ ଏହି ମାମଲା ତାଲିକାଭୁକ୍ତ ହୋଇଥିଲା। ଅରବିନ୍ଦ କେଜ୍ରିୱାଲ ଚାହୁଥିଲେ ଯେ ଏହି ମାମଲାର ଶୁଣାଣି ଅନ୍ୟ ଏକ ବେଞ୍ଚରେ ହେଉ। ସେ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏହି ଆବେଦନ ଖାରଜ ହେବା ପରେ କେଜ୍ରିୱାଲ ସତ୍ୟାଗ୍ରହ ଲଢ଼େଇ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ଉପରେ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ