ବାରିପଦା: ମାତିଛି ଛୁଆ ଚୋରି ରାକେଟ୍ । ଦିନ ଆଲୁଅରେ ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନେଇଛି ଚୋର। ଏମିତି ଏକ ଛୁଆ ଚୋରିର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଏମିତି ଏକ ଘଟଣା ଘଟିଛି ବାରିପଦା ସହରର ଭଞ୍ଜପୁର ବଜାର ଉପରେ।
ରବିବାର ଦିନ ୧.୩୦ ପାଖାପାଖି । ବାରିପଦା ୨ନମ୍ବର ୱାର୍ଡ୍ ଭଞ୍ଜପୁର ଅଞ୍ଚଳର ରଞ୍ଜନ ବିନ୍ଧାଣୀଙ୍କ ୧୧ବର୍ଷର ପୁଅ ଶ୍ରୀୟାଂଶ ଘର ସାମନା ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଏକ ବାଇକ୍ ରେ ୩ଜଣ ଅଜଣା ଲୋକ ଆସିଥିଲେ। ସେଥିରୁ ଜଣେ ଶ୍ରୀୟାଂଶ ପାଖରେ ଓହ୍ଲାଇ ପଡ଼ିଥିବା ବେଳେ ଆଉ ଦୁଇଜଣ ସେଠାରୁ ଚାଲି ଯାଇଥିଲେ। ଓହ୍ଲାଇଥିବା ବ୍ୟକ୍ତି ଶ୍ରୀୟାଂଶ ପାଖକୁ ଯାଇ ତାଙ୍କ ବାପାଙ୍କ ଚଷମା ଖସି ପଡ଼ିଛି ବୋଲି କହିଥିଲେ। ହେଲେ ଶ୍ରୀୟାଂଶଙ୍କ ବାପା ଚଷମା ବ୍ୟବହାର କରନ୍ତି ନାହିଁ ବୋଲି କହିବାରୁ ହଠାତ୍ ଅଜଣା ବ୍ୟକ୍ତି ଜଣକ ଶ୍ରୀୟାଂଶକୁ ଜୋରଜବରଦସ୍ତି ଉଠାଇ ନେବକୁ ଚେଷ୍ଟା କରିଥିଲେ।
ତେବେ ଶ୍ରୀୟାଂଶ ସେ ଦୃର୍ବୁତ୍ତର ମୁହଁକୁ ରାମ୍ପୁଡ଼ି ଖସି ଆସି ଘରକୁ ଦୌଡ଼ି ପଳାଇଥିଲେ। ତେବେ ଛୁଆଚୋର ପିଲା ପଛରେ ତାଙ୍କ ଘର ଦ୍ବାର ଯାଏଁ ଦୌଡାଇ ଥିବାର ଭିଡିଓ ସିସି କ୍ୟାମେରାରେ ରେକର୍ଡ ହୋଇଛି। ଘରପାଖରେ ଶ୍ରୀୟାଂଶଙ୍କ କକା ଦୂର୍ବୁତ୍ତକୁ ପଚାରିବାରୁ ସେ ଭୁଲ୍ ରେ ପରିସ୍ରା କରିବାକୁ ଗଳି ଭିତରକୁ ଆସି ଥିବା କହି ସେଠାରୁ ପଳାଇ ଯାଇଥିଲା। ଶିବରାତ୍ରି ଲାଗି ମନ୍ଦିର ଯାଇଥିବା ଶ୍ରୀୟାଂଶ ର ବାପା ଓ ମାଆ ଘରକୁ ଫେରିବା ପରେ ଛୁଆଠାରୁ ସବୁକଥା ଶୁଣିଥିଲେ।
ସୋମବାର ଅପରାହ୍ନରେ ରଞ୍ଜନ ଏ ବାବଦରେ ଭଞ୍ଜପୁର ଥାନାରେ ଏତଲା ଦେଇଥିବା ବେଳେ ସିସି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ କୌଣସି ଅଧିକାରୀ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ବାରିପଦାରେ ଦିନକୁଦିନ ବଢୁଥିବା ଚୋରି , ଛିନ୍ତାଇ, ଡ୍ରଗ, ସାଙ୍ଗକୁ ଏବେ ଛୁଆଚୋରି ଘଟଣା ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୌଜନ୍ୟ Prameya News7
