Baripahad forest: ବାରପାହାଡ଼ ଜଙ୍ଗଲରେ ଅସୁରକ୍ଷିତ ବନ୍ୟପ୍ରାଣୀ

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ଦ୍ୱାରୀ, ସମରଦରା, ଦେଚୁଆଁ, ଡୁଙ୍ଗୁରି ଅଞ୍ଚଳ ଭଟଲି ବନ ଅଧିକାରୀଙ୍କ ଅଧୀନରେ ରହିଛି। ସମରଦରାରୁ ଡୁଙ୍ଗୁରି ପର୍ଯ୍ୟନ୍ତ ରାସ୍ତାର ବାମପଟ ଭଟଲି ବନାଞ୍ଚଳ ଅଧୀନରେ ଏବଂ ରାସ୍ତାର ଡାହାଣ ପଟ ଲଖନପୁର (ବନ୍ୟପ୍ରାଣୀ ଅଭୟାରଣ୍ୟ) ବନାଞ୍ଚଳରେ ରହିଛି।

ଉମେଶ ସେଠ

ଅମ୍ୱାଭୋନା: ବରଗଡ଼ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ଦ୍ୱାରୀ, ସମରଦରା, ଦେଚୁଆଁ, ଡୁଙ୍ଗୁରି ଅଞ୍ଚଳ ଭଟଲି ବନ ଅଧିକାରୀଙ୍କ ଅଧୀନରେ ରହିଛି। ସମରଦରାରୁ ଡୁଙ୍ଗୁରି ପର୍ଯ୍ୟନ୍ତ ରାସ୍ତାର ବାମପଟ ଭଟଲି ବନାଞ୍ଚଳ ଅଧୀନରେ ଏବଂ ରାସ୍ତାର ଡାହାଣ ପଟ ଲଖନପୁର (ବନ୍ୟପ୍ରାଣୀ ଅଭୟାରଣ୍ୟ) ବନାଞ୍ଚଳରେ ରହିଛି। ବାରପାହାଡ଼ ଜଙ୍ଗଲରେ ବିଭିନ୍ନ ପ୍ରକାରର ଗଛ, ଗୁଳ୍ମ, ଔଷଧୀୟ ବୃକ୍ଷଲତା, ତୃଣଭୋଜୀ ଯଥା ସମ୍ବର, ହରିଣ, କୁଟୁରା, ମାଙ୍କଡ଼, ପାତିମାଙ୍କଡ଼, ବଣମଇଁଷି, ବାର୍‌ହା, ମୟୂର, ଜଙ୍ଗଲୀ କୁକୁଡ଼ା, କପୋତ ଆଦି ପକ୍ଷୀ ସାଙ୍ଗକୁ ବିଭିନ୍ନ ପ୍ରକାର ସରୀସୃପ, ନେଉଳ, ଜଙ୍ଗଲୀ ମୂଷା, ଝିଙ୍କ, ମାଂସାଶୀ ଜୀବ ମଧ୍ୟରେ କଲରାପତରିଆ, ଭାଲୁ, ସମୟକ୍ରମେ ମହାବଳ ବାଘ, ବଳିଆ କୁକୁର, ହେଟାବାଘ, ଶୃଗାଳ ଇତ୍ୟାଦି ଦେଖିବାକୁ ମିଳେ। ଉଭୟ ବନାଞ୍ଚଳରେ ବନପାଳ, ବନରକ୍ଷୀଙ୍କ ଭଳି କର୍ମଚାରୀ ନିଯୁକ୍ତି ହୋଇଥିବାବେଳେ ସେମାନଙ୍କୁ ଜଙ୍ଗଲ କାମରେ ସହଯୋଗ କରିବା ପାଇଁ ଗାଁ ଗାଁରେ ବେସରକାରୀ ଭାବେ ଜଣେ ଲେଖାଁଏ ବ୍ୟକ୍ତିଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି।

ଏହାଛଡ଼ା ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଯେଉଁମାନେ ଜଙ୍ଗଲ ଅଧିକାରୀଙ୍କୁ ସହଯୋଗ କରୁଛନ୍ତି ସେମାନଙ୍କୁ ମଧ୍ୟ ବିଭାଗ ତରଫରୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ଅଛି। ତେବେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ଏଠାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କିଛିଦିନ ତଳେ ଦେଚୁଆଁ ସଂରକ୍ଷିତ ଜଙ୍ଗଲରେ ୭ଟି ମୟୂର ମରିଥିବା ଖବର ଆସିଥିଲା। ଜଙ୍ଗଲରେ ଥିବା ପାଣି ଉତ୍ସ ନିକଟକୁ ନିରୀହ ପ୍ରାଣୀମାନେ ଶୋଷ ମେଣ୍ଟାଇବାକୁ ଆସିଥାନ୍ତି। ସେହି ପାଣିରେ ଶିକାରୀମାନେ ବିଷ ପ୍ରୟୋଗ କରି ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସମ୍ବର, କୁଟୁରା, ବାର୍‌ହା ଆଦି ବନ୍ୟପ୍ରାଣୀ ମାରିବାକୁ ଏହା କରାଯାଇଥିବା ବେଳେ ଏଥିରେ ମୟୂର ଭଳି ପକ୍ଷୀ ମରିଥିବାରୁ ଶିକାରୀମାନେ ଛାଡ଼ି ଚାଲି ଯାଇଥିଲେ। ତେବେ ବିଭିନ୍ନ ସମୟରେ ଏଠାରୁ ବନ୍ୟପ୍ରାଣୀ ଶିକାର ହେଉଥିଲେ ହେଁ ବନ ବିଭାଗ ଶିକାରୀଙ୍କୁ ଠାବ କରି ପାରୁନାହିଁ କି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେଇ ପାରୁନାହିଁ। ନିକଟରେ ଏକ କଲରାପତରିଆ ବାଘ ବାରପାହାଡ଼ ଜଙ୍ଗଲ ନିକଟ ଗାଁଗୁଡ଼ିକରେ ଆତଯାତ ହେଉଥିବା ସ୍ଥାନୀୟ ଲୋକଙ୍କ ଦୃଷ୍ଟିଗୋଚର ହୋଇଥିଲା। ହେଲେ ବାଘଟି ଏବେ ଆଉ ଦେଖାଯାଉ ନାହିଁ। ବାଘଟି ଜୀବିତ ଅଛି ନା ମରିଗଲାଣି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏବେ ପୁଣି ବାରପାହାଡ଼ ଜଙ୍ଗଲର ସବୁ ଅଞ୍ଚଳରେ ନିଆଁ ଲାଗିଛି। ବନାଗ୍ନି ରୋକିବାକୁ ସରକାରୀ ଖର୍ଚ୍ଚ କାହିଁରେ କେତେ। ତଥାପି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେଇ ପାରୁନାହିଁ ବନ ବିଭାଗ। ଏ ଦିଗରେ ବରଗଡ଼ ଓ ସମ୍ବଲପୁର ଡିଏଫ୍‌ଓ ମିଳିତ ଭାବେ ପଦକ୍ଷେପ ନେଲେ ଜଙ୍ଗଲ ସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version