Bengal Election: ନିର୍ବାଚନ ପୂର୍ବରୁ କୋଲକାତାରେ ରାଜନୈତିକ ସଂଘର୍ଷ…

କୋଲକାତା,୨୧/୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ଥିବା ବେଳେ କୋଲକାତାର ଏକବଲପୁର ଥାନା ବାହାରେ ମଙ୍ଗଳବାର ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ବିଜେପି ପ୍ରାର୍ଥୀ ରାକେଶ ସିଂଙ୍କ ନେତୃତ୍ୱରେ ଚାଲିଥିବା ଏକ କାର୍ଯ୍ୟକ୍ରମ ସମୟରେ ହୋସେନ୍ ଶାହା ରୋଡ୍ରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ନାରାବାଜିରୁ ଆରମ୍ଭ ହୋଇଥିବା ଏହି ବିବାଦ ହିଂସାର ରୂପ ନେଇଥିଲା, ଯାହାଫଳରେ ପୋଲିସ ୫ ଜଣ ବିଜେପି ଓ ୪ ଜଣ ଟିଏମସି କର୍ମୀଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ କୋଲକାତା ପୋଲିସ ତିନୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏକବଲପୁର ଥାନା ବାହାରେ ବିଜେପି-ଟିଏମସି ମୁହାଁମୁହିଁ, ୯ ଗିରଫ

ପଶ୍ଚିମବଙ୍ଗର ୨୯୪ଟି ଆସନ ପାଇଁ ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ବର୍ତ୍ତମାନ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି। ଏହି ହିଂସାକାଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୁଦ୍ଧରେ ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି। ମମତା ଦାବି କରିଛନ୍ତି ଯେ ତାଙ୍କ ଗାଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଛି ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରି ଟିଏମସି କର୍ମୀଙ୍କୁ ଭୟଭୀତ କରାଯାଉଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଥିବା ବେଳେ ମେ’ ୪ ତାରିଖରେ ହେବାକୁ ଥିବା ଭୋଟ୍ ଗଣତି ପୂର୍ବରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସୌଜନ୍ୟ ସମ୍ବାଦ