Bharatmala Road Waterlogging ଭାରତମାଳା ସଡ଼କପଥରେ ‘ୱାଟର ଲଗିଙ୍ଗ୍’, ତଦନ୍ତ କରିବେ ହାଇଡ୍ରୋଲୋଜିଷ୍ଟ
ନବରଙ୍ଗପୁରର ଭାରତମାଳା ସଡ଼କରେ ବର୍ଷା ପରେ ୩ ଫୁଟ୍ ପାଣି ଜମୁଛି। ୱାଟର ଲଗିଂର କାରଣ ଖୋଜିବାକୁ ହାଇଡ୍ରୋଲୋଜିଷ୍ଟ ନିୟୋଜିତ ହେବେ।

ନବରଙ୍ଗପୁର (ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାରେ ନିର୍ମାଣ ହୋଇଥିବା ଭାରତମାଳା ସଡ଼କପଥକୁ ନେଇ ଅଡ଼ୁଆ ତୁଟୁନାହିଁ। ସଡ଼କପଥ ଏଯାଏଁ ଲୋକାର୍ପିତ ହୋଇନାହିଁ, କିନ୍ତୁ ନିର୍ମିତ ସଡ଼କରେ ବର୍ଷା ହେଲେ ୩ଫୁଟର ପାଣି ଜମି ରହୁଛି, ନିଷ୍କାସନ ହୋଇପାରୁନାହିଁ। ଏଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ସମୀକ୍ଷା ପରେ ପାଣି ଜମିରହିବା ପଛର କାରଣ ଖୋଜିବାକୁ ବିଶେଷଜ୍ଞଙ୍କୁ ନିୟୋଜନ କରାଯିବ ବୋଲି ଜଣାଯାଇଛି।
ଆଜି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଇଂ. ବଳଭଦ୍ର ମାଝୀ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା , ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜାତୀୟରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ କୁମାର ଯୋଗ ଦେଇଥିଲେ।
ବୈଠକରୁ ମିଳିଥିବା ସୂଚନାନୁସାରେ, ଗତ ୨୨ ଓ ୨୩ତାରିଖରେ ୨୦୦ମିମି ବର୍ଷା ହୋଇଥିଲା। ଉପରମୁଣ୍ଡରେ ତୁରୀ-ଗୁନଥାଟ୍ ବ୍ୟାରେଜ ଆଡରୁ ଆସିଥିବା ପାଣି ଯୋଗୁଁ ଭାରତମାଳା ସଡ଼କର ୨୩୨କିମି ଠାରେ ଏଭଳି ସ୍ଥିତି ଉପୁଜିଥିବା କହିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ। ସେଠାରେ ୯୦ମିଟରର ବ୍ରିଜ୍ ରହିଥିଲେ ହେଁ ଅଧିକା ପାଣି ଆସିବାରୁ ଏହି ସମସ୍ୟା ଉପୁଜିଛି। ପ୍ରାରମ୍ଭିକ ଯାଂଚରୁ ରାସ୍ତାର ଉଚ୍ଚତା ଆଉ ୨ମିଟର କରିବା ସହ ଅଧିକା ବ୍ରିଜ୍ ନିର୍ମାଣ କରିବାର ରହିଛି ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ। ଏଥିପାଇଁ ହାଇଡ୍ରୋଲୋଜିଷ୍ଟ (ଜଳବିଜ୍ଞାନୀ)ଙ୍କୁ ସର୍ଭେ ଓ ଯାଂଚ ପାଇଁ ନିୟୋଜିତ କରାଯିବ। ସେ ସର୍ଭେ କରି କେତେ ମିଟର ରାସ୍ତାର ଉଚ୍ଚତା ବଢ଼ାଇବା ସହ ଅଧିକା ଜଳନିଷ୍କାସନ ପାଇଁ ଆଉ ଅଧିକା ବ୍ରିଜ୍ ନିର୍ମାଣ କରାଯିବ ତାହାର ରିପୋର୍ଟ ଦେବେ। ସେହି ରିପୋର୍ଟ ଅନୁଯାୟୀ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ




