ଖେଳଦେଶ ବିଦେଶ

DC vs RCB: ୯୦୦୦ ରନ୍ ପୂରଣ କଲେ କୋହଲି, ଦିଲ୍ଲୀ ବିପକ୍ଷରେ ଆରସିବିର ସହଜ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସହଜ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୬.୩ ଓଭରରେ ଆରସିବି ଗୋଟିଏ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ବିରାଟ କୋହଲି (୨୩) ଏବଂ ଦେବଦତ୍ତ ପାଡିକଲ (୩୪) ଅପରାଜିତ ରହି ଆରସିବିକୁ ଜିତାଇଛନ୍ତି । ଆଜିର ମ୍ୟାଚ୍ରେ ୧୧ ରନ୍ କରିବା ମାତ୍ରେ ଆଇପିଏଲରେ ପ୍ରଥମ ଖେଳାଳି ଭାବରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ କୋହଲି ।

ଜ୍ୟାକବ ବେଥେଲ ୨୦ ରନ୍ କରି ଆଉଟ ହୋଇଯିବା ପରେ, ପାଡିକଲ ବ୍ୟାଟିଂ କରିବାକୁ ଆସିଥିଲେ । ଆସୁ ଆସୁ ଦିଲ୍ଲୀ ବୋଲରଙ୍କୁ ପ୍ରହାର କରିଥିଲେ ପାଡିକଲ । ଏହା ପରେ କୋହଲି ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ଟିମ୍ ଆଗରେ ମାତ୍ର ୭୬ ରନ ଟାର୍ଗେଟ ଥିବାରୁ ଏହାକୁ ଅତି ସହଜରେ ହାସଲ କରିନେଇଛି ଆରସିବି ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟି କରିବାକୁ ଆସିଥିଲା ଦିଲ୍ଲୀ । ଆରସିବି ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିଲେ ଦିଲ୍ଲୀ ବ୍ୟାଟର । ମାତ୍ର ୭୫ ରନ୍ରେ ଅଲଆଉଟ୍ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଭୁବନେଶ୍ବର କୁମାର ଏବଂ ଜୋସ୍ ହାଜେଲଉଡଙ୍କ ବଲ ଘାଇଲା ହୋଇଥିଲା ଦିଲ୍ଲୀ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ IPL 2026 ର ୩୯ ତମ ମ୍ୟାଚ ଖେଳାଯାଇଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୭୫ ରନ୍ କରି ଅଲଆଉଟ୍ ହୋଇଥିଲା।

ଦିଲ୍ଲୀ IPL ଇତିହାସରେ ପାୱାର ପ୍ଲେ’ରେ ସର୍ବନିମ୍ନ ସ୍କୋର କରି ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଛି। ଜୋସ ହାଜେଲଉଡ୍ ଏବଂ ଭୁବନେଶ୍ୱର କୁମାର ପାୱାର ପ୍ଲେ’ରେ ବେଙ୍ଗାଲୁରୁ ପାଇଁ ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ବେଙ୍ଗାଲୁରୁର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିବା ବେଳେ, ଦିଲ୍ଲୀ ତାର ପ୍ଲେଇଂ ଏକାଦଶରେ ତିନୋଟି ପରିବର୍ତ୍ତନ କରିଥିଲା । କାଇଲ ଜାମିସନ୍ ଏବଂ ଦୁଷ୍ମନ୍ତ ଚାମୀରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଆଜି ଦିଲ୍ଲୀର ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦିଲ୍ଲୀ ପକ୍ଷରୁ କେବଳ ଅଭିଷେକ ପୁରେଲ (୩୦), ଡେଭିଡ ମିଲର (୧୯) ଏବଂ କାଇଲ ଜାମିସନ (୧୨) ଡବଲ୍ ଡିଜିଟ୍ ରନ୍ ସ୍କୋର କରିପାରିଥିଲେ ।

ସେପଟେ ଆରସିବି ପକ୍ଷରୁ ଜୋସ୍ ହାଜେଲଉଡ୍ ମାତ୍ର ୧୨ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ । ଭୁବନେଶ୍ବର କୁମାର ୩ଟି ଓ୍ବିକେଟ ନେଇଥିବା ବେଳେ ରାଶିଖ ଦାର, ସୁୟାଶ ଶର୍ମା ଏବଂ କୃଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ ପକ୍ଷରୁ କାଇଲ ଜାମିସନ ୪୨ ରନ୍ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।

 

 

 

 

ସୌଜନ୍ୟ Prameya News7

Show More
Back to top button