Biodiversity: ସାତକୋଶିଆ ଗଣ୍ଡ ଅଂଚଳରେ ବିରଳ ବନ୍ୟଜୀବ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହରଠାରୁ ୧୨୫ କି.ମି. ଦୂରତାରେ ଅବସ୍ଥିତ ସାତକୋଶିଆ ଅଭୟାରଣ୍ୟ। ଏହା ଅନୁଗୁଳଢେଙ୍କାନାଳ, ନୟାଗଡ, ବୌଦ୍ଧ ଓ କଟକ ଜିଲ୍ଲାର କିଛି କିଛି ଅଂଚଳକୁ ନେଇ ଏହି ଅଭୟାରଣ୍ୟ ଗଠିତ। ନୟାଗଡ଼ ଜିଲ୍ଲାର ଗଣିଆ  ଓ  ଛାମୁଣ୍ଡିଆ ଦେଇ ଏହା ମଧ୍ୟକୁ ଯାତ୍ରା ସମ୍ଭବ। ଏହାର କ୍ଷେତ୍ରଫଳ ରହିଛି ୭୯୫ ବର୍ଗ କିଲୋମିଟର। ୧୯୭୬ ମସିହା ମେ ମାସରେ ଏହାକୁ ସାତକୋଶିଆ ଗଣ୍ଡ ବନ୍ୟ ଜୀବ ଅଭୟାରଣ୍ୟ ରୂପେ ଘୋଷଣା କରାଯାଇଥିଲା। ଏହି ଅଭୟାରଣ୍ୟର ଦକ୍ଷିଣ ଭାଗରେ ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ଅଂଚଳକୁ ୧୯୮୧ ମସିହାରେ ବୈଶିପାଲି ଅଭୟାରଣ୍ୟ ରୂପେ ଘୋଷଣା କରା୍‌ଯାଇଥିଲା। ଏହି ଦୁଇ ବନ୍ୟଜୀବ ଅଭୟାରଣ୍ୟର ସମୁଦାୟ କ୍ଷେତ୍ରଫଳ ୯୬୪ ବର୍ଗ କିଲୋମିଟର ରହିଛି । ଏହି ଅଂଚଳକୁ ଗତ ୨୦୦୭ ମସିହା ଡିସେମ୍ବର ୩୧ ତାରିଖ ଦିନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ରୂପେ ଘୋଷଣା କରାଯାଇଛି।

ସାତକୋଶିଆ ଅଭୟାରଣ୍ୟର କୋର ବା କେନ୍ଦ୍ର ସ୍ଥଳ ମଧ୍ୟ ଦେଇ ପ୍ରବାହିତ ମହାନଦୀରେ ସାତକୋଶିଆ ଗଣ୍ଡ ଅବସ୍ଥିତ । ଏହାର ଦୈର୍ଘ୍ୟ ହେଉଛି ସାତ କୋଶ ହୋଇଥିବାରୁ ଏହାର ଏପରି ନାମ କରଣ କରାଯାଇଛି। ସାତ କୋଶ ଅର୍ଥାତ ୧୪ ମାଇଲ ବା ୨୨ କିଲୋମିଟର ସହିତ ସମାନ। ଏହି ଗଣ୍ଡ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକଠାରୁ ଆରମ୍ଭ କରି ନୟାଗଡ଼ ଜିଲ୍ଲାର ବଡ଼ମୂଳ ପର୍ଯ୍ୟନ୍ତ ଲମ୍ବିଛି। ଏକଦା ଏହି ଗଣ୍ଡ ରତ୍ନପଥର ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବାର କୁହାଯାଏ। ସାତକୋଶିଆ ଗଣ୍ଡ ହେଉଛି ମହାନଦୀରେ ଅବସ୍ଥିତ ଏକ ବିରାଟ ଗଣ୍ଡ, ତହିଁରେ ଥିବା ବିସ୍ତୃତ ଜଳରାଶି ଏବଂ ତତ୍ ସଂଲଗ୍ନ ଘଂଚ ବାନାନୀ। ଏହା ଦୁଇଗୋଟି ଜୈବ-ଭୌଗୌଳିକ ଅଂଚଳକୁ ନେଇ ଗଠିତ। ତାହା ହେଲା ଡେକାନ ଉପଦ୍ୱୀପ ଓ ପୂର୍ବ ଘାଟ ପର୍ବତମାଳା। ପରିବେଶ ଦୃଷ୍ଟିରୁ ଏହି ଆର୍ଦ୍ରଭୂମିର ଗୁରୁତ୍ୱକୁ ଉପଲବ୍ଧି କରି ଗତ ୨୦୨୨ ମସିହାରେ ଏହାକୁ ଅନ୍ତର୍ଜାତୀୟ ରାମସର ସ୍ଥଳୀ ରୂପେ ଘୋଷଣା କରାଯାଇଛି। ଫଳରେ ଏହା ଆନ୍ତର୍ଜାତୀୟ ସ୍ତରରେ ବିଶେଷ ମାନ୍ୟତା ଲାଭ କରିଛି। ଚିଲିକା ଓ ଭିତରକନିକା ପରେ ଏହା ହେଉଛି ଓଡ଼ିଶାର ତୃତୀୟ ରାମସର ସ୍ଥଳୀ ।

ପୂର୍ବେ ଏହାର ଜଳସ୍ତରର ଗଭୀରତା ପ୍ରାୟ ୧୫୦ ଫୁଟ ରହିଥିଲା। ମାତ୍ର ଏବେ ଏହାର ଗଭୀରତା ମାତ୍ର ୧୦୦ ଫୁଟ ରହିଛି। ପ୍ରତି ବର୍ଷ ମହାନଦୀର ଉପରମୁଣ୍ଡରେ ଥିବା ହୀରକୁଦ ନଦୀବନ୍ଧରୁ ପ୍ରଚୁର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସେଥିରେ ବହୁ ପରିମାଣରେ ରହିଥିବା ପଟୁମାଟି ଗଣ୍ଡ ମଧ୍ୟରେ ଜମିଯିବା ଫଳରେ ପ୍ରସିଦ୍ଧ ଗଣ୍ଡଟି କ୍ରମେ ପୋତି ହେବାରେ ଲାଗିଛି। ଏହା ବ୍ୟତୀତ ଆମର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବହୁ ସଂଖ୍ୟାରେ ନଦୀବନ୍ଧ ନିର୍ମାଣ କରାଯାଇଥିବାରୁ ମହାନଦୀରେ ଜଳପ୍ରବାହ ଅନେକାଂଶରେ ହ୍ରାସ ପାଇଛି। ଏହା ବ୍ୟତୀତ ଗଣ୍ଡର ଉଭୟ ପାଶ୍ୱର୍ରୁ ମାଟି ଅତଡ଼ା ଖସୁଥିବାରୁ ଗଣ୍ଡଟି ପୋତି ହୋଇଯିବାରୁ ଗଭୀରତା ହ୍ରାସ ପାଇଚାଲିଛି। ଏହା ବ୍ୟତୀତ ଗଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘଂଚ ବନାନୀରେ ରହିଥିବା ବିଭିନ୍ନ ପ୍ରଜାତିର ଉଦ୍ଭିଦ କ୍ରମେ ହ୍ରାସ ପାଇଚାଲିଛି।

ସାତକୋଶିଆ ଗଣ୍ଡ ବନ୍ୟଜୀବ ଅଭୟାରଣ୍ୟର ପ୍ରକୃତିକ ଶୋଭା ବେଶ୍ ମନୋରମ। ଏଠାରେ ବିଭିନ୍ନ ବୃକ୍ଷଲତାରେ ପରିପୂର୍ଣ୍ଣ ସବୁଜିମା ଭରା ଘଂଚ ବନାନୀ ସହିତ ଅନେକ ଛୋଟ ବଡ଼ ପାହାଡ଼ ରହିଛି। ଏହାର ନୀଳ ଜଳରାଶି ଓ ବିସ୍ତୃତ ଘଂଚ ଅରଣ୍ୟ ବିରଳ ଜୈବବିବିଧତାର ଗନ୍ତାଗର। ଭୌଗୋଳିକ ଅନୁକୂଳତା ହେତୁ ଏଠାରେ ବିଭିନ୍ନ ପ୍ରଜାତି ବନ୍ୟ ପ୍ରଣୀ ଓ ଉଦ୍ଭିଦ ଦେଖିବାକୁ ମିଳନ୍ତି। ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ହଜାର ହଜାର ସଂଖ୍ୟାରେ ବିଦେଶଗତ ପକ୍ଷୀମାନଙ୍କର ଆଗମନ ଘଟିଥାଏ। ଏହା ବ୍ୟତୀତ ଏଠାରେ ଶହ ଶହ ବିରଳ ଘଡ଼ିଆଳ କୁମ୍ଭୀର, ମଗର କୁମ୍ଭୀର ଓ ମଧୁର ଜଳ କଇଁଛ ଦେଖିବାକୁ ମିଳନ୍ତି। ଏକଦା ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ସମୁଦାୟ ୨୮୩ଟି ପ୍ରଜାତିର ପକ୍ଷୀ, ୧୮୩ ପ୍ରଜାତିର ମାଛ ଓ ୪୦୦ ପ୍ରଜାତିର ଉଦ୍ଭିଦ ପରିଦୃଷ୍ଟ ହୋଇଥାଏ।

ଗତ ଜାନୁଆରି ମାସରେ କରାଯାଇଥିବା ପକ୍ଷୀ ଗଣନାରେ ସାତକୋଶିଆ ଗଣ୍ଡ ଅଂଚଳରେ ୫୩ଟି ପ୍ରଜାତିର ୩୯୧୫ଟି ପକ୍ଷୀ ଗଣନା କରାଯାଇଥିଲା। ଗତ ୨୦୨୫ ମସିହାରେ ଏହି ସମୟରେ ଏଠାରେ ୩୮୪୨ ଟି ପକ୍ଷୀ ଗଣନା କରାଯାଇଥିଲା। ଏଗୁଡ଼ିକ ମଧ୍ୟରେ ଅଧିକାଂଶ ପକ୍ଷୀ ସୁଦୂର ସାଇବେରିଆ ଅଂଚଳରୁ ଭ୍ରମଣ କରିଥିବାର ସୂଚନା ମିଳିଥିଲା। ଏଗୁଡ଼ିକ ମଧ୍ୟରେ ରହିଥିଲେ ୧୦୧୭ଟି ବଡ଼ ସିଲି ହଂସ ଦେଖିବାକୁ ମିଳିଥିଲା। ଏହି ଅଂଚଳରେ ଦେଖାଯାଉଥିବା ବିରଳ ପ୍ରଜାତିର କଳା ପେଟି ଟର୍ନ ପକ୍ଷୀ ଦେଖିବାକୁ ମିଳନ୍ତି। ଏହା ବ୍ୟତୀତ ଏଠାରେ ଭାରତୀୟ ସ୍କିମର, ରିଭର ଲାପୱିଙ୍ଗ୍‌, ପାଣି କୁଆ, ପିନ୍‌ଟେଲ, ଧଳା ବକ୍ଷ ପାଣିକୁକୁଡ଼ା, ଧଳା ଭ୍ରୁ ୱାଗଟେଲ ଆଦି ଦେଖିବାକୁ ମିଳନ୍ତି। ଏହା ବ୍ୟତୀତ ଏହି ଅଂଚଳରେ ମୟୂର, ବଣ କୁକୁଡ଼ା ବାଜ, ମହାବଳୀ ପେଚା, ଧୂସର କୋଚିଲାଖାଇ ବା ଗ୍ରେ ହର୍ଣ୍ଣବିଲ୍‌, ପାହାଡ଼ି ବଣି, କଳା ମୁଣ୍ଡିଆ ହଳଦୀ ବସନ୍ତ, ମାଛରଙ୍କା, ବାଲି ଟେଂଟେଇ, କାଠହଣା, ମହୁଖିଆ ଚିଲ, ଗୋବରା ଚଢେଇ, ମାଟିଆ ବାଜ, ମାଟିଆ ଚିଲ ଆଦି ଦେଖିବାକୁ ମିଳନ୍ତି।

ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ହେଉଛି ଜୈବବିବିଧତାର ଏକ ହଟସ୍ପଟ୍ ରୂପେ ପରିଗଣିତ। ଏଠାକାର ମହାନଦୀ ବିଶେଷତଃ ବିପନ୍ନ ଘଡ଼ିଆଳ କୁମ୍ଭୀର ଓ ମଗର କୁମ୍ଭୀର ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ବନ୍ୟ ଜୀବ ଓଡ଼ିଶା-୨୦୨୫ ରିପୋର୍ଟରୁ ଜଣାଯାଏ ଯେ ଗତ ୨୦୨୪-୨୫ ମସିହାରେ ଏଠାରେ ୫୯ଟି ମଗର କୁମ୍ଭୀର ଦେଖିବାକୁ ମିଳିଥିଲା। ଏଠାରେ ଗତ ୨୦୨୧-୨୨ ମସିହାରେ ୭୨ଟି, ୨୦୨୨-୨୩ ମସିହାରେ ୮୩ଟି, ୨୦୨୩-୨୪ ମସିହାରେ ୯୭ ଟି ମଗର କୁମ୍ଭୀର ରହିଥିଲେ।

ସେହିପରି ସାତକୋଶିଆରେ ବିପନ୍ନ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳନ୍ତି। ଏଗୁଡ଼ିକ ମୁଖ୍ୟତଃ ମାଛକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଗତ ୨୦୨୪-୨୫ ମସିହାରେ ଏଠାରେ ୧୬ ଟି ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା। ଗତ ୨୦୨୧-୨୨ ମସିହାରେ ୭ଟି, ୨୦୨୨-୨୩ ମସିହାରେ ୭ ଟି, ୨୦୨୩-୨୪ ମସିହାରେ ୧୪ ଟି ଘଡ଼ିଆଳ କୁମ୍ଭୀର ରହିଥିବା ଜଣାଯାଏ। ଏହି ଅଂଚଳରେ ଗତ ବର୍ଷ ୧୩୮ଟି ହାତୀ ରହିଥିବାର ଜଣାପଡ଼ିଛି। ଏହା ବ୍ୟତୀତ ଏହି ଅଭୟାରଣ୍ୟରେ କଲରାପତରିଆ ବାଘ, ଗଧିଆ, କୋକୀଶିଆଳ, ଭାଲୁ, ବାରହା, ହରିଣ,ସମ୍ଭର, ଲାଙ୍ଗୁର, ଭାରତୀୟ ବୃହତ ଗୁଣ୍ଡୁଚି, ହେଟା, ଝିଙ୍କ, ଶାଳିଆପତନୀ, ଗୁରାଣ୍ଡି, ବଜ୍ରକାପ୍ତା, ଅଜଗର, ବନ୍ୟ ବିରାଡ଼ି, ଆଦି ବିଭନ୍ନ୍ ପଶୁ ଦେଖିବାକୁ ମିଳନ୍ତି।

ଏହି ଅରଣ୍ୟରେ ବିଶେଷତଃ ଶାଳ ବଣ ଦେଖିବାକୁ ମିଳେ। ଏହା ବ୍ୟତୀତ ଏହି ଅରଣ୍ୟରେ କୋଚିଲା, ବେଲ, କାଙ୍ଗଡ଼ା, ସୁନାରି, କୁମ୍ଭି, ଶିଆଳି, ଜାମୁ, କରଞ୍ଜ, ବେତ,ଖିରିକୋଳି, ମୁତୁରୀ, କୁସୁମ, ନିମ୍ବ, ଆମ୍ବ, ଖଇର, ଶିଧ, ବାଉଁଶ ଆଦି ବିଭିନ୍ନ ଧରଣର ବୃକ୍ଷଲତାର ପରିପୂର୍ଣ୍ଣ ହୋଇଛି। ଏଠାରେ ରହିଥିବା ଔଷଧୀୟ ଜାତୀୟ ବୃକ୍ଷ ମଧ୍ୟରେ ଗୁଳୁଚି ଲତା, ବୃଦ୍ଧଦାରକ, ଶତାବରୀ, ଭୂଇଁକଖାରୁ, ଥାଲକୁଡ଼ି, ପାତାଳଗରୁଡ଼, ଗୁଳୁଚି, ଅପମାରଙ୍ଗ, ଇନ୍ଦ୍ରଜବ, ଶାଳପର୍ଣ୍ଣୀ, ଭୁଇଁଲିମ୍ବ, ଅଁଳା,ଅନନ୍ତମୂଳ, ମୁତୁରୀ, ବହାଡ଼ା, ହରିଡ଼ା, ଅର୍ଜୁନ, ଜାମୁ, ଅରଖ, କୋଚିଲା, ପୁରୁଣି, ଛତିଆନା, ବଜ୍ରମୂଳି, ଗୁଡ଼ମାରୀ, ଚନ୍ଦନ ଆଦି ବୃକ୍ଷ ଅନ୍ୟତମ। ଏହି ଅଭୟାରଣ୍ୟ ମଧ୍ୟକୁ ମନୁଷ୍ୟମାନଙ୍କର ଅବାଧ ଅନୁପ୍ରବେଶ, ବ୍ୟାପକ ଜଙ୍ଗଲ ଧ୍ୱଂସ ଏବଂ ନଦୀ ଗଣ୍ଡ ପୋତି ହୋଇଯିବା ଫଳରେ ଏହାର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଅଂଚଳରେ ଜଙ୍ଗଲ ଓ ବନ୍ୟଜୀବଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ।

 

 

 

ସୌଜନ୍ୟ ସମ୍ବାଦ