ପାଟନା: ବିହାରରେ ସମ୍ରାଟ ଚୌଧୁରୀ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣର ଦ୍ୱିତୀୟ ଦିନରେ ପାଟନାରେ ବେକାର ଯୁବକମାନେ ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପରୀକ୍ଷା (ଟିଆର୍ଇ-୪) ପାଇଁ ଆବେଦନ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ଦାବି କରି ରାସ୍ତାରେ ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଟନା ପୁଲିସ ଲାଠିଚାର୍ଜ କରି ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ଦେଇଛି, ଯେଉଁଥିରେ ଅନେକ ଆହତ ହୋଇଛନ୍ତି। ବିକ୍ଷୋଭ ପୂର୍ବରୁ ଛାତ୍ରନେତା ଦିଲୀପ କୁମାରଙ୍କୁ ପୁଲିସ ଉଠାଇ ନେଇଥିଲା, ଯାହା ବିକ୍ଷୋଭରେ ଜଡ଼ିତ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।
ବିହାର ଲୋକସେବା ଆୟୋଗ ଦ୍ୱାରା ଟିଆର୍ଇ-୪ ନିଯୁକ୍ତି ବିଜ୍ଞପ୍ତି ତୁରନ୍ତ ଜାରି କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ଏପ୍ରିଲ ତୃତୀୟ ସପ୍ତାହରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ସେପ୍ଟେମ୍ବର ଶେଷରେ ପରୀକ୍ଷା ହେବ ବୋଲି ଆୟୋଗର ଅଧିକାରୀମାନେ ପୂର୍ବରୁ ସୂଚନା ଦେଇଥିଲେ। କିନ୍ତୁ ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ବିଜ୍ଞପ୍ତି ଜାରି କରାଯାଇ ନାହିଁ। ବର୍ତ୍ତମାନ ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିବା ପରେ ବିକ୍ଷୋଭକାରୀଙ୍କ ମଧ୍ୟରେ କ୍ରୋଧ ପ୍ରକାଶ ପାଇଛି। ପ୍ରଥମେ ପ୍ରାଥମିକ ପରୀକ୍ଷା ହେବ ଏବଂ ପରେ ମନୋନୀତ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାରେ ବସିବାକୁ ପଡ଼ିବ। ଆନ୍ଦୋଳନକାରୀମାନେ ପୂର୍ବ ଭଳି ଗୋଟିଏ ଥରରେ ପରୀକ୍ଷା କରିବାକୁ ଦାବି କରୁଛନ୍ତି।
ସୌଜନ୍ୟ ସମ୍ବାଦ

