BJP’s struggle: ପଶ୍ଚିମବଙ୍ଗ: ବିଜେପିର ସଂଘର୍ଷକୁ ମନେ ପକାଇଲେ ଶାହ, ଜୀବନ ଦେଇଛନ୍ତି ୩୨୧ ବିଜେପି କର୍ମୀ

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ସରକାରରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।  ଶୁଭେନ୍ଦୁଙ୍କୁ ବିଧାୟକ ଦଳ ନେତା ଘୋଷଣା କରିବାପରେ ଶାହ ପଶ୍ଚିମବଙ୍ଗରେ ବିଜେପିର ସଂଘର୍ଷକୁ ମନେ ପକାଇଛନ୍ତି ଏବଂ ରାଜ୍ୟରେ ବିଜେପିକୁ ସୁଦୃଢ଼ କରିବାପାଇଁ ନିଜ ଜୀବନ ଦେଇଥିବା ୩୨୧ କର୍ମୀଙ୍କୁ ଶ୍ରେୟ ଦେଇଛନ୍ତି।  ଶାହ କହିଛନ୍ତି, ଏହି ବିଜୟ ଯେତିକି ଆନନ୍ଦଦାୟକ ଏପର୍ଯ୍ୟନ୍ତ ଆସିବାପାଇଁ ପଥ ଅସହ୍ୟ ଯନ୍ତ୍ରଣାଦାୟକ ଥିଲା।  ରାଜ୍ୟରେ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ବିଜେପି କର୍ମୀମାନଙ୍କୁ ଶାହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।  ଶାହ କହିଛନ୍ତି, ୨୦୧୪ ଉପନିର୍ବାଚନରେ ସମୀକ ଭଟ୍ଟାଚାର୍ଯ୍ୟ ଆମ ଖାତା ଖୋଲିଥିଲେ।  ପ୍ରଥମେ ୨୦୧୬ରେ ୩, ପରେ ୨୦୨୧ରେ  ୭୭ ଏବଂ ୨୦୨୬ରେ ୨୦୭ ସଂଖ୍ୟା ସହ ଆମେ ମୁଖ୍ୟମନ୍ତ୍ରୀ ପାଇଲୁ। ଏହି ଯାତ୍ରା ଯେତିକି ଆନନ୍ଦଦାୟକ ସେତିକି ଯନ୍ତ୍ରଣାଦାୟକ।  ଏହି ବିଜୟ ପାଇଁ ନିଜ ଜୀବନ ହରାଇଥିବା  ସେହି ୩୨୧ ବିଜେପି କର୍ମୀଙ୍କ ବଳିଦାନକୁ ମୁଁ  ଭୁଲିପାରିନି।

ମମତାଙ୍କ ପରାଜୟକୁ କଟାକ୍ଷ କଲେ

ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କ ପକ୍ଷରୁ ମୁଁ ଏହି ସମସ୍ତ ଦିବଂଗତ ବିଜେପି କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରୁଛି। ଶାହ ମଧ୍ୟ ମମତା ବାନାର୍ଜୀ ଭବାନୀପୁରରେ ନିର୍ବାଚନ ହାରିବା ନେଇ ତାଙ୍କୁ କଟାକ୍ଷ କରିଛନ୍ତି। ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ତାଙ୍କ ନିଜ ଘରେ ହରାଇଛନ୍ତି ବୋଲି ଶାହ କହିଛନ୍ତି।  ବିଜେପି ପାଇଁ ନିର୍ଣ୍ଣାୟକ ଜନାଦେଶକୁ ବର୍ଣ୍ଣନା କରି ଶାହ କହିଛନ୍ତି, ଦିଦି ନିଜ ଗଡ଼ରେ ପୋଛି ହୋଇଗଲେ। ଶାହ କହିଛନ୍ତି, ୯ ଜିଲ୍ଲାରେ ବିଜେପି ସମସ୍ତ ଆସନ  ଜିତିଛି ଏବଂ ଟିଏମ୍‌ସି ମୂଳୋତ୍ପାଟନ ହୋଇଛି।  ୨୩ ଜିଲ୍ଲାରୁ ୨୦ଟିରେ ବିଜେପି ୧ ନମ୍ବର ଦଳ ହୋଇଛି।  ଏମିତି କୌଣସି ଗୋଟିଏ ବି ଜିଲ୍ଲା ନାହିଁ ଯେଉଁଠାରେ ଆମ ବିଧାୟକ ନଥିବେ।  ଭବାନୀପୁର ଲୋକଙ୍କୁ ଶାହ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି  ଏବଂ ବିଜେପିର ବିଜୟକୁ ଏକ ବିଶାଳ ରାଜନୈତିକ ପରିବର୍ତ୍ତନ ବୋଲି କହିଛନ୍ତି। ଆଗକୁ ଅନୁପ୍ରବେଶ ଏବଂ ଗୋ ଚୋରାଚାଲାଣ ଅସମ୍ଭବ ହେବ ବୋଲି ଦୃଢ଼ୋକ୍ତି ବାଢ଼ି ଶାହ କହିଛନ୍ତି, ତ୍ରିପୁରା, ଆସାମରେ ଆମ ସରକାର ଥିଲା ଏବଂ ଏବେ ପଶ୍ଚିମବଙ୍ଗରେ ଆମ ସରକାର ହେବାକୁ ଯାଉଛି। ଅନୁପ୍ରବେଶ ଏଣିକି ଅସମ୍ଭବ ହେବ  ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ