ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ରାଉରକେଲା ଗସ୍ତ। ମୁଖ୍ୟମନ୍ତ୍ରୀ ଭାବେ ୨୦୨୪ ମସିହା ଅଗଷ୍ଟ ୨୭ ତାରିଖରେ ସେ ପ୍ରଥମଥର ପାଇଁ ରାଉରକେଲା ମାଟିରେ ପାଦ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ଶ୍ରାଦ୍ଧକାର୍ଯ୍ୟରେ ଯୋଗ ଦେବାକୁ ରାଉରକେଲାରୁ ଲହୁଣୀପଡ଼ା ବ୍ଲକ୍‌ର କେନ୍ଦୁଡିହି ଗାଁକୁ ଯାଇଥିଲେ। ଯଦିଓ ପ୍ରଥମ ଗସ୍ତବେଳେ ସେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇନଥିଲେ, ତେବେ ଦ୍ବିତୀୟ ଗସ୍ତବେଳେ ୨୦୨୫ ଫେବ୍ରୁଆରି ୧ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହକି ଇଣ୍ଡିଆ ଲିଗ୍‌ର ଫାଇନାଲ୍‌ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସହରବାସୀ ଚାତକ ଭଳି ଚାହିଁ ବସିଛନ୍ତି। ସହରବାସୀଙ୍କ ବହୁ ଦିନର ନ୍ୟାଯ୍ୟ ଦାବି, ଯଥା- ପୂର୍ଣ୍ଣକାର୍ଯ୍ୟକ୍ଷମ ବିମାନବନ୍ଦର, ତାଳଚେର-ବିମଳାଗଡ଼ ରେଳପଥର ନିର୍ମାଣକାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜମି ଅଧିଗ୍ରହଣକୁ ବ୍ୟାପକ କରିବା, ବିର୍ସା ମୁଣ୍ଡା ସ୍ମାରକୀ ପାର୍କ ସ୍ଥାପନ, ରାଉରକେଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ, ରାଉରକେଲା ସରକାରୀ ଡାକ୍ତରଖାନାକୁ ମେଡିକାଲ କଲେଜରେ ରୂପାନ୍ତର, ବାହ୍ୟ ରିଂ ରୋଡ୍‌କୁ ପ୍ରାଥମିକତା ଆଦି ଅନ୍ୟତମ। ବିଶେଷ କରି ବିମାନବନ୍ଦର ସଂପ୍ରସାରଣ, ବନ୍ଦ ହୋଇଥିବା ବିମାନସେବାକୁ ପୁନଃ କାର୍ଯ୍ୟକ୍ଷମ ସଂକ୍ରାନ୍ତରେ ନିର୍ଭର ପ୍ରତିଶ୍ରୁତି ପାଇଁ ସହରବାସୀ ଆଶା ବାନ୍ଧିଛନ୍ତି।