ରାଜ୍ୟ

Student Union Election: ଆଜି ଛାତ୍ର ସଂସଦ ନିର୍ବାଚନ, ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ସକାଳ ୮ଟାରୁ ଭୋଟ୍, ସଂଧ୍ୟାରେ ରେଜଲ୍ଟ

ଭୁବନେଶ୍ୱର,୧୫/୧୦: ଆଜି ଛାତ୍ର ସଂସଦ ନିର୍ବାଚନ। ବୁଧବାର ଥିଲା ‘ମୁଁ କାହିଁ କି ପ୍ରାର୍ଥୀ ହୋଇଛି’ ବୈଠକ। ବୈଠକ ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜ, ବିଶ୍ଵ ବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟରେ ବୈଠକ ଆରମ୍ଭପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି। ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଢେଙ୍କାନାଳର ଓଡ଼ାପଡ଼ା କଲେଜ ଓ ଝାରସୁଗୁଡ଼ା ଏଲଏନ କଲେଜରେ ସାଇନ୍-ଡାଏ ଘୋଷଣା କରାଯାଇଛି।

ଏବେ ମଇଦାନରେ ୮୬୬ ଜଣ ସଭାପତି, ୬୧୬ ଜଣ ସାଧାରଣ ସଂପାଦକ ଓ ୧୭୬ଜଣ ଉପସଭାପତି ପ୍ରାର୍ଥୀ ରହିଛନ୍ତି। ସକାଳ ୮ଟାରୁ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ। ରାତିରେ କିପରି ମତଦାନ ନିଜ ସପକ୍ଷରେ ଆଣିବେ ସେଥିଲାଗି ଆରମ୍ଭ ହୋଇଛି ରଣନୀତି। ରାତିରେ ବିରିୟାନୀ, ଖାଦ୍ୟ ବଣ୍ଟନ ନାଁରେ ଟଙ୍କା ବଣ୍ଟନ ହୋଇଛି। ନିର୍ବାଚନ ସକାଳୁ ପ୍ରାର୍ଥୀଙ୍କ ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀଙ୍କ ରୁମ୍ ସମ୍ମୁଖରେ ପହଞ୍ଚିବ ଗୁଡ୍ ମର୍ଣ୍ଣିଂ କାର୍ଡ । ଏଥିରେ ଗୋଲାପ ଫୁଲ ସହ ପ୍ରାର୍ଥୀଙ୍କ ନାଁକୁ ମନେ ପକାଇବେ ସମର୍ଥକ।

ରାଜ୍ୟରେ ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନ (୩୪୬ଟି କଲେଜ ଓ ୧୩ଟି ବିଶ୍ଵବିଦ୍ୟାଳୟ)ରେ ଛାତ୍ର ସଂସଦ ନିର୍ବାଚନ ହେଉଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ପ୍ରାର୍ଥୀପତ୍ର ନାକଚ ପରେ ଚୂଡ଼ାନ୍ତ ମଇଦାନରେ ୬ ହଜାର ୮୯୧ଜଣ ରହିଛନ୍ତି। କଲେଜରେ ୬ ହଜାର ୫୩୩ ଜଣ ଓ ବିଶ୍ଵବିଦ୍ୟାଳୟରେ ୩୫୮ ଜଣ ନିର୍ବାଚନ ଲଢ଼ୁଛନ୍ତି । ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୪୫.୨ ପ୍ରତିଶତ ରହିଛି। କଲେଜସ୍ତରରେ ୮୨୮ ଜଣ ସଭାପତି ପ୍ରାର୍ଥୀ, ୬୯୭ ଜଣ ଉପସଭାପତି ପ୍ରାର୍ଥୀ। ୫୯୩ ଜଣ ସାଧାରଣ ସଂପାଦକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି।

ବୁଧବାର ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ପୂର୍ବରୁ ଓ ଚାଲିଥିବା ସମୟରେ ରାଜ୍ୟର ୧୦ରୁ ଅଧିକ କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍କଳ ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବୈଠକ ଆରମ୍ଭ ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୩ ଘଣ୍ଟା ଯାଏ ଏହି ଉତ୍ତେଜନା ରହିଥିଲା। ସେହିପରି ଭଞ୍ଜନଗର ଋଷିକୂଲ୍ୟା କଲେଜରେ ଛାତ୍ରଛାତ୍ରୀ ତାତି ଥିଲେ। ବାରିପଦା ବାବା ବଳିଆ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟ ହାତାହାତି ହୋଇଛନ୍ତି। ଯାଜପୁର ଏନସି କଲେଜରେ ପ୍ରାର୍ଥୀ ନିଖୋଜ ହୋଇଥିବା ଅଭିଯୋଗ କରି ଗୋଟିଏ ଛାତ୍ର ଗୋଷ୍ଠୀ ଉତ୍ତେଜନା ପ୍ରକାଶ କରିଥିବା ବେଳେ ଛାତ୍ର ଅଶାନ୍ତ ହୋଇଥିଲା।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button