‘Both India and Pakistan should watch’: ‘ଉଭୟ ଭାରତ ଓ ପାକିସ୍ତାନ ଦେଖିବା ଉଚିତ’
ଐତିହାସିକ ଯୁଦ୍ଧକୁ ନେଇ ନିର୍ମିତ ସିନେମା ଦେଖିବା ଅନୁଭୂତି ବଡ଼ ଅଜବ। ‘ସେଭିଙ୍ଗ ପ୍ରାଇଭେଟ୍ ରାୟନ’, ‘ଦି ପିଆନିଷ୍ଟ’, ‘ଡନକର୍କ’, ‘୧୯୧୭’, ‘ଥିନ୍ ରେଡ୍ ଲାଇନ୍’ ଓ ‘ଆପୋକାଲିପ୍ସ ନାଓ’ ପରି ଚଳଚ୍ଚିତ୍ର ଦେଖିବା ପରେ ଯୁଦ୍ଧରେ ଯବାନମାନଙ୍କ ପରାକ୍ରମ ଓ ବଳିଦାନକୁ ନେଇ ଯେତେ ଗର୍ବ ଅନୁଭବ ହୁଏ...

ଐତିହାସିକ ଯୁଦ୍ଧକୁ ନେଇ ନିର୍ମିତ ସିନେମା ଦେଖିବା ଅନୁଭୂତି ବଡ଼ ଅଜବ। ‘ସେଭିଙ୍ଗ ପ୍ରାଇଭେଟ୍ ରାୟନ’, ‘ଦି ପିଆନିଷ୍ଟ’, ‘ଡନକର୍କ’, ‘୧୯୧୭’, ‘ଥିନ୍ ରେଡ୍ ଲାଇନ୍’ ଓ ‘ଆପୋକାଲିପ୍ସ ନାଓ’ ପରି ଚଳଚ୍ଚିତ୍ର ଦେଖିବା ପରେ ଯୁଦ୍ଧରେ ଯବାନମାନଙ୍କ ପରାକ୍ରମ ଓ ବଳିଦାନକୁ ନେଇ ଯେତେ ଗର୍ବ ଅନୁଭବ ହୁଏ, ତା’ ଠାରୁ ଅଧିକ ଯୁଦ୍ଧ ପ୍ରତି ବିତୃଷ୍ଣା ଜାତ ହୁଏ। ଏଥିପାଇଁ ଏଭଳି ସିନେମାକୁ ‘ଆଣ୍ଟି-ଵାର୍ ଫିଲ୍ମ’ କୁହାଯାଏ। ଏଭଳି ସିନେମା ଯୁଦ୍ଧର ଅସାରତା ସମ୍ପର୍କରେ ଅବଗତ କରିବା ସହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀକୁ ବଦଳାଇ ଦିଏ। ଦୁଃଖର କଥା ଯେ କୌଣସି ଭାରତୀୟ ଚଳଚ୍ଚିତ୍ରରେ ସେହି ଆଭିମୁଖ୍ୟର ସ୍ପଷ୍ଟ ଅଭିବ୍ୟକ୍ତି ଏ ଯାଏ ଦେଖାଯାଇ ନଥିଲା। ନିର୍ଦେଶକ ଶ୍ରୀରାମ ରାଘବନ ‘ଇକ୍କୀସ’ ନିର୍ମାଣ କରି ବଲିଉଡ୍କୁ ସେହି ଅପବାଦରୁ ମୁକ୍ତ କରିଛନ୍ତି।
୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସଂଘଟିତ ‘ବସନ୍ତର୍ ଲଢ଼େଇ’ରେ ସହିଦ ହୋଇଥିବା ୨୧ ବର୍ଷୀୟ ଅରୁଣ କ୍ଷେତ୍ରପାଲ୍ (ସର୍ବକନିଷ୍ଠ ‘ପରମ ବୀରଚକ୍ର’)ଙ୍କ ଜୀବନୀକୁ ନେଇ ସିନେମାଟି ନିର୍ମିତ ହେଇଥିଲେ ହେଁ ଏହା ଜଣେ ବୀର ଯବାନଙ୍କ ସାହସିକତାର ଜୟଗାନରେ ସୀମିତ ରହିନାହିଁ। ଏଥିରେ ଅଛି ବିଭାଜନ ଦ୍ବାରା ବିଧ୍ବସ୍ତ ଅସଂଖ୍ୟ ପରିବାରର ଚାପା କ୍ରନ୍ଦନ ଏବଂ ଜାତୀୟତାବାଦରୁ ଊର୍ଦ୍ଧ୍ବକୁ ଉଠି ମାନବିକ ଯନ୍ତ୍ରଣାକୁ ଅନୁଭବ କରିବାର ସୁଯୋଗ। ଅରୁଣ (ଅଗସ୍ତ୍ୟ ନନ୍ଦା)ଙ୍କ ପିତା ତଥା ବ୍ରିଗେଡିଅର ମଦନ ଲାଲ କ୍ଷେତ୍ରପାଲ ଭୂମିକାରେ ଧର୍ମେନ୍ଦ୍ରଙ୍କ ଅଭିନୟ ହେଉଛି ଏହି ଚଳଚ୍ଚିତ୍ରର ଆତ୍ମା। ପୁତ୍ରକୁ ହରାଇଥିବା ଜଣେ ସେନାନୀ ଭାବେ ସେ ଯେତେବେଳେ ୨୦୦୧ ମସିହାରେ ପାକିସ୍ତାନ ଯାଉଛନ୍ତି ଏବଂ ସେଠାରେ ଥିବା ନିଜ ପୈତୃକ ଘର ବୁଲୁଛନ୍ତି ତାଙ୍କୁ ସାହଚର୍ଯ୍ୟ ଦେଉଛନ୍ତି ପାକିସ୍ତାନୀ ବ୍ରିଗେଡିଅର୍ ଜାନ ମହମ୍ମଦ ନିସାର (ଜୟଦୀପ ଅହଲାଵତ)।
୧୯୭୧ ମସିହା ଓ ୨୦୦୧ ମସିହାର ଦୁଇଟି କାଳଖଣ୍ଡ ଛନ୍ଦାଛନ୍ଦି ହୋଇ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। ମାତ୍ର ୬୦ କୋଟି ଟଙ୍କାର ବଜେଟ୍ରେ ଟ୍ୟାଙ୍କ୍ ଲଢ଼େଇର ଯେଉଁ ଭଳି ବାସ୍ତବଧର୍ମୀ ଦୃଶ୍ୟ ଶ୍ରୀରାମ ପରଦାରେ ଦେଖାଇଛନ୍ତି ତାହା ଅବିଶ୍ବସନୀୟ ସ୍ତରର। ଦେଶ ପାଇଁ କିଛି କରିବାର ଅଧୈର୍ଯ୍ୟ ଯୁବାଶକ୍ତିରେ ଭରପୂର ୨୧ ବର୍ଷୀୟ ଅରୁଣ ଯେତେବେଳେ ସୀମା ଅତିକ୍ରମ କରି ପାକିସ୍ତାନ ପ୍ରବେଶ କରୁଛନ୍ତି ତାଙ୍କୁ ଏ କଥାଟି ଏକପ୍ରକାର ନିରାଶ କରୁଛି ଯେ ସେଠାକାର ମାଟି ଓ ପରିବେଶ ଠିକ୍ ଭାରତ ପରି। ସେଠାରେ ଲୋକମାେନ ଭାରତୀୟ ଟ୍ୟାଙ୍କ୍ଗୁଡ଼ିକୁ ପାକିସ୍ତାନୀ ଭାବି ସ୍ବାଗତ କରୁଛନ୍ତି। ଅକସ୍ମାତ ବୋମାବର୍ଷାରେ ସାଥୀ ଯବାନମାନଙ୍କ ଜୀବନ ଚାଲିଯିବା ପରେ ଯୁଦ୍ଧର ଅସଲ ରୂପ ସହିତ ସମସ୍ତେ ଅବଗତ ହେଉଛନ୍ତି। ଯୁଦ୍ଧ ଘନେଇବା ସହିତ କେଉଁ ଟ୍ୟାଙ୍କ୍ କେଉଁ ଦେଶର, ମୃତ୍ୟୁବରଣ କରୁଥିବା ସୈନ୍ୟର ଜାତୀୟତା କ’ଣ ସେ ପ୍ରଭେଦ ଜଣାପଡୁନାହିଁ। ସତେ ଯେମିତି ନିର୍ଦେଶକ ଏହି ଦୃଶ୍ୟଗୁଡ଼ିକ ଜରିଆରେ ପଚାରୁଛନ୍ତି- ଯୁଦ୍ଧରେ ମରୁଥିବା ସମସ୍ତେ କାହାରି ନା କାହାରି ପୁଅ, ଭାଇ, ସ୍ବାମୀ ବା ପିତା; ଏତିକି ଜାଣିବା କ’ଣ ଯଥେଷ୍ଟ ନୁହେଁ? ୨୦୦୧ର ଦୃଶ୍ୟମାନଙ୍କରେ ଧର୍ମେନ୍ଦ୍ରଙ୍କ ଚରିତ୍ର ସେହି ପ୍ରଶ୍ନକୁ ଆହୁରି ପ୍ରାଞ୍ଜଳ ଭାବେ ଦୋହରାଇଛନ୍ତି। ଶତ୍ରୁ ଦେଶର ପ୍ରତିପକ୍ଷ ଚରିତ୍ରରେ ଜୟଦୀପଙ୍କ ଅଭିନୟ ଅନୁରୂପ ଭାବେ ପ୍ରଭାବଶାଳୀ ହୋଇଛି।
ଏକ ଐତିହାସିକ ଯୁଦ୍ଧ, ଯାହାର ଘଟଣାବଳୀ କାହାକୁ ଅଛପା ନୁହେଁ, ତାକୁ ନେଇ କିପରି ଏକ ରୋମାଞ୍ଚଧର୍ମୀ ଓ ମନଛୁଆଁ ଚିତ୍ରନାଟ୍ୟ ରଚନା କରାଯାଇପାରେ, ‘ଇକ୍କୀସ’ ହେଉଛି ତାହାର ଏକ ଉଜ୍ଜ୍ବଳ ଉଦାହରଣ। ଏହି ଚଳଚ୍ଚିତ୍ରର ସଂଳାପ, ସିନେମାଟୋଗ୍ରାଫି, ଗୀତ, ପୃଷ୍ଠଭୂମି ସଂଗୀତ ଆଦି ସବୁକିଛି ଖୁବ୍ ପ୍ରଭାବଶାଳୀ। ଧର୍ମେନ୍ଦ୍ର ଚାଲିଯିବା ପୂର୍ବରୁ ଗୋଟିଏ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଉଭୟ ଭାରତ ଓ ପାକିସ୍ତାନ ଏହି ଚଳଚ୍ଚିତ୍ର ଦେଖିବା ଉଚିତ। ଏହି ଚଳଚ୍ଚିତ୍ରଟିକୁ ଦେଖିବା ପରେ ମନେ ହେଉଛି ତାହା ଧର୍ମେନ୍ଦ୍ରଙ୍କର ଏକ ବିଜ୍ଞ ସନ୍ଦେଶ ଥିଲା। ଦୁଇ କିଂବଦନ୍ତି (ଧର୍ମେନ୍ଦ୍ର ଓ ଅସରାନୀ)ଙ୍କ ଶେଷ ସିନେମାଟି ବାସ୍ତବରେ ସମସ୍ତେ ଦେଖିବା ଭଳି ହୋଇଛି।
ସୌଜନ୍ୟ ସମ୍ବାଦ



