ରାଜ୍ୟ

BJP government: କ୍ରମାଗତ ବିଫଳତା ବିଜେପି ସରକାରର ହଲ୍‌ମାର୍କ: ନବୀନ

ରାଜ୍ୟରେ ବିଜେପି ସରକାର ଆସିବାର ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଯେଉଁ ପରିବର୍ତ୍ତନର ନାରା ଦେଇ ସେମାନେ କ୍ଷମତାକୁ ଆସିଥିଲେ, ତାହା କେହି ଅନୁଭବ କରିପାରୁନାହାନ୍ତି।

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବାର ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଯେଉଁ ପରିବର୍ତ୍ତନର ନାରା ଦେଇ ସେମାନେ କ୍ଷମତାକୁ ଆସିଥିଲେ, ତାହା କେହି ଅନୁଭବ କରିପାରୁନାହାନ୍ତି। ଏହି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି। ବିଫଳତା ଏ ସରକାରର ହଲ୍‌ମାର୍କ ହୋଇଯାଇଛି। କେବଳ ସରକାରୀ ଅର୍ଥ ଅପବ୍ୟୟ କରି ଗୁଡ଼ାଏ ମିଥ୍ୟା ପ୍ରଚାର କରାଯାଉଛି। ରାଜ୍ୟ ସରକାରଙ୍କୁ ଏମିତି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବିଜେଡିର ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ବିଧାନସଭା ଗୃହରେ ବିଜେଡିର ଆଭିମୁଖ୍ୟ କ’ଣ ହେବ ତାହା କହିଥିଲେ। ପାଠ୍ୟ ପୁସ୍ତକରେ ତ୍ରୁଟିକୁ ଏକ ଆପରାଧିକ ତ୍ରୁଟି ଭାବେ ବର୍ଣ୍ଣନା କରି ‌ସରକାରଙ୍କୁ ଏଥିପାଇଁ ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ତ୍ରୁଟି ପାଇଁ ସେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି ପ୍ରସଙ୍ଗ ସହ ଏମ୍ଏମ୍‌ଡିଆର୍‌ ସଂଶୋଧନ, ଦରବୃଦ୍ଧି ଓ ଚାଷୀଙ୍କ ସମସ୍ୟା ଉପରେ ବିଧାନସଭାରେ ଦଳ ଫୋକସ୍‌ କରିବ ବୋଲି ବିରୋଧୀ ଦଳ ନେତା ବିଧାୟକମାନଙ୍କୁ ଜଣାଇଥିଲେ।

ବିଜେଡି ବିଧାୟକ ଦଳ ବୈଠକ: ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗ ଜୋରଦାର ଉଠିବ
ପାଠ୍ୟପୁସ୍ତକ ତ୍ରୁଟି ପାଇଁ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଶ୍ରୀ ପଟ୍ଟନାୟକ କହିଥିଲେ, ସଂସଦରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ବିନା ଆଲୋଚନାରେ ତରବରିଆ ଭାବରେ ପାରିତ ହୋଇଗଲା। କିନ୍ତୁ ଓଡ଼ିଶାରୁ ଯାଇଥିବା ୨୦ ଜଣ ଯାକ ସାଂସଦ କେହି ରାଜ୍ୟର ସ୍ୱାର୍ଥ ପାଇଁ ପାଟି ନ ଫିଟାଇବା ଅତ୍ୟନ୍ତ ବେଦନାଦାୟକ। ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ଆମର ଜମି ଉପରୁ, ଆମର ପ୍ରାକୃତିକ ସଂପଦ ଉପରୁ ଆମର ଅଧିକାର ଛଡ଼ାଇ ନେବା ସହିତ ଯୁବ ସମାଜର ସ୍ୱପ୍ନକୁ ଧ୍ୱଂସ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ପତ୍ର ଲେଖିଥିଲେ ମଧ୍ୟ କିଛି ଫଳ ହେଲା ନାହିଁ। ଏହି ଘଟଣାରେ ବିଜେଡି କେବଳ ଦର୍ଶକ ନ ହୋଇ ରାଜ୍ୟର ଅଧିକାର ଫେରାଇ ଆଣିବା ପାଇଁ ଲଢ଼େଇ କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button