ଦେଶ ବିଦେଶ

Bollywood Actors: ସଲମାନଙ୍କୁ ମାରିବା ଯୋଜନା ବିଫଳ ହେବା ପରେ ଟାଇଗରଙ୍କୁ ଟାର୍ଗେଟ୍‌, ୭ ଗିରଫ

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଆକ୍ରମଣ ଯୋଜନା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଆକ୍ରମଣ ଯୋଜନା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ ପୁଲିସର ସୂତ୍ର ଅନୁସାରେ, ଟାଇଗର ଏହି ଗ୍ୟାଙ୍ଗ୍‌ର ପ୍ରଥମ ଟାର୍ଗେଟ୍‌ ନଥିଲେ। ପ୍ରଥମେ ଅଭିନେତା ସଲମାନ ଖାନ୍‌ଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା ହୋଇଥିଲା। ତାଙ୍କ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ଆକ୍ରମଣକାରୀମାନେ ଯୋଜନା ବଦଳାଇ ଟାଇଗରଙ୍କୁ ଟାର୍ଗେଟ୍‌ କରିଥିଲେ। ଏହି ଘଟଣାରେ ଟାଇଗରଙ୍କ ସହ ଆଉ ତିନିଜଣ ବଲିଉଡ୍‌ କଳାକାରଙ୍କ ନାମ ମଧ୍ୟ ସମ୍ଭାବ୍ୟ ଟାର୍ଗେଟ୍‌ ଭାବେ ଚର୍ଚ୍ଚାକୁ ଆସିଛି।

ତେବେ ସେମାନଙ୍କ ନାମ ଓ ସେମାନଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ଆକ୍ରମଣ ଯୋଜନା ସମ୍ପର୍କରେ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ସୂତ୍ର ଅନୁସାରେ, ଆକ୍ରମଣକାରୀମାନେ ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନଙ୍କ ବାସଭବନ ନିକଟରେ ଆକ୍ରମଣ ପାଇଁ ସୁଯୋଗ ଉଣ୍ଡିଥିଲେ। କିନ୍ତୁ ସେଠାରେ କଡ଼ା ସୁରକ୍ଷା ଦେଖି ସେମାନେ ଅନ୍ୟ ଟାର୍ଗେଟ୍‌ ଖୋଜିଥିଲେ।

ପ୍ରଥମ ଟାର୍ଗେଟ୍‌ରେ ସଲମାନ ଖାନ୍‌

ସାମାଜିକ ଗଣମାଧ୍ୟମରେ ଟାଇଗରଙ୍କ ପ୍ରଶଂସକଙ୍କ ପୋଷ୍ଟ ଓ ଭିଡିଓରୁ ସେ ଜୁହୁର ପୁଷ୍ପା ନର୍ସିଂ ଗ୍ରାଉଣ୍ଡ୍‌ରେ ନିୟମିତ ଫୁଟ୍‌ବଲ୍‌ ଖେଳୁଥିବା ଜାଣି ସେମାନେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଅକ୍ଟୋବର ୧୮ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଟାଇଗର ଖେଳ ସାରି ଫେରୁଥିବାବେଳେ ଜୁହୁ ଅଞ୍ଚଳରେ ତାଙ୍କ କାର୍‌ ଉପରକୁ ଗୁଳିମାଡ଼ ହୋଇଥିଲା। ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲ୍‌ରେ ଆସି ଗୁଳି ଚଳାଇଥିଲେ। ଟାଇଗର ଅକ୍ଷତ ରହିଥିବାବେଳେ ତାଙ୍କ ଡ୍ରାଇଭର ଓ ଜଣେ ପଥଚାରୀ ଆହତ ହୋଇଥିଲେ।

ଏହି ମାମଲାରେ ଟାଇଗରଙ୍କ କାର୍‌ ଉପରକୁ ଗୁଳି ଚଳାଇଥିବା ଅଭିଯୋଗରେ ହୃତିକ ଓରଫ ରୋଶନ, ରେହାନ ଓ ଫୁଲ୍‌ ସିଂହଙ୍କୁ ରାଜସ୍ଥାନର କୋଟାରୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ତଦନ୍ତରେ ଅସ୍ତ୍ର ଯୋଗାଣ ଓ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ଆଉ ଚାରିଜଣଙ୍କୁ ଗିରଫ କରାଯାଇଛି। ଏହିପରି ମୋଟ ଗିରଫ ସଂଖ୍ୟା ସାତରେ ପହଞ୍ଚିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button