Border Tension: ଓଡ଼ିଆଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର, ପକ୍କା ରାସ୍ତା ନିର୍ମାଣକୁ ବନ୍ଦ କଲା ରାୟଗଡ଼ା ପ୍ରଶାସନ, ସୀମାନ୍ତ ଗାଁରେ ଅସନ୍ତୋଷ

ସୀମାରେ ଅନାଧିକାର ଭାବେ ପ୍ରବେଶ କରୁଛି ଆନ୍ଧ୍ର ପ୍ରଶାସନ । ଓଡ଼ିଶା ସୀମାର ଲୋକଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ଆଣିବା ପାଇଁ ଅହରହ ଉଦ୍ୟମ ଆରମ୍ଭ କରିଛି । ପକ୍କା ରାସ୍ତା ନିର୍ମାଣକୁ ବନ୍ଦ କଲା ରାୟଗଡ଼ା ପ୍ରଶାସନ । ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବି ।

ରାୟଗଡ଼ା ୨।୪: ଓଡ଼ିଶା ସୀମାରେ ଅନାଧିକାର ଭାବେ ପ୍ରବେଶ କରୁଛି ଆନ୍ଧ୍ର ପ୍ରଶାସନ । ସୀମାରେ ରହୁଥିବା ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରୁଛି । ଆନ୍ଧ୍ର ସରକାରଙ୍କ ଯୋଜନାକୁ ନେଇ ସୀମାରେ ଆରମ୍ଭ କରୁଛି ବିବାଦ । ଓଡ଼ିଶାର ସୀମାରେ ବିଭେଦ ମଧ୍ୟ ଆରମ୍ଭ କରିଦେଇଛି । ରାସ୍ତା ନିର୍ମାଣ କରୁଛି ହେଲେ ଓଡ଼ିଶା ଆଡକୁ ମାଡି ଆସୁଛି । ରାୟଗଡା ସଦର ବ୍ଲକ କେରେଡା ପଞ୍ଚାୟତର ବୋରହାଲୁଆ ଗ୍ରାମରେ ଦେଖିବାକୁ ମିଳିଛି ଆନ୍ଧ୍ରର ଏଭଳି କାରନାମା ।

ଆନ୍ଧ୍ରର ରେବା ଗାଁ ଠାରୁ ପ୍ରଶାସନ ଗତ ଦୁଇ ମାସ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ହେଲେ ଏହି ରାସ୍ତା ଓଡ଼ିଶାର ବୋରହାଲୁଆକୁ ଲାଗୁଥିବା ବେଳେ ଓଡ଼ିଶାର ଜାଗାକୁ ମଧ୍ୟ ଅକ୍ତିଆର କରିବା ପାଇଁ ଉଦ୍ୟମ କରୁଛି । ଏହି ଖବର ଜଣାପଡିବା ପରେ ଶକ୍ତ ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଉକ୍ତ ସ୍ଥାନକୁ ଯାଇ ମାପଚୁପ ଆରମ୍ଭ କରିଛନ୍ତି । ଆଉ ଆନ୍ଧ୍ର ପ୍ରଶାସନର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି । ସୀମାନ୍ତ ଆନ୍ଧ୍ରର ରେବା, ଲାଡା, ୱାଡଜନ୍, କିତଲାମ୍ବା ଓ ଗୁଲେଙ୍କାକୁ ରାସ୍ତା ନଥିବା ବେଳେ ଏହି ରାସ୍ତା ନିର୍ମାଣ କରି ବୋରହାଲୁଆ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଶାସନ ପ୍ରଲୋଭିତ କରୁଛି ।

​​​​​​​

ଅନ୍ୟପଟେ ଓଡ଼ିଶାର ବୋରହାଲୁଆ ଗାଁକୁ ଏଯାଏ ପକ୍କା ରାସ୍ତା ନଥିବା ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସୀମାନ୍ତର ଲୋକେ ମଧ୍ୟ ଏବେ ଧିରେ ଧିରେ ଆନ୍ଧ୍ର ଆଡେ ଢଳୁଥିବା ନଜରକୁ ଆସୁଛି । ଯାହାର ଫାଇଦା ନେଉଛି ଆନ୍ଧ୍ର ପ୍ରଶାସନ । ଗତ ୨୦୨୩ ମସିହାରେ କେରେଡା ପଞ୍ଚାୟତର ସୀମାନ୍ତ ସାନଲୁକୁଟି ଓ ପାଲଙ୍ଗତୁଲସିରେ ମଧ୍ୟ ରାସ୍ତାରେ ଆପ୍ରୋଚ ପୋଲ ଦେଇ ଆନ୍ଧ୍ର ପ୍ରଶାସନ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରିଥିଲା । ପରେ ରାୟଗଡ଼ା ପ୍ରଶାସନର ହସ୍ତକ୍ଷେପ ପରେ ନିର୍ମାଣ କାର୍ଯ୍ୟକୁ ଅଧାରୁ ବନ୍ଦ କରିଥିଲା ଆନ୍ଧ୍ର ପ୍ରଶାସନ । ତେବେ ବାରମ୍ବାର ଏପରି ସମସ୍ୟାକୁ ନେଇ ସୀମାନ୍ତର ଗାଁ ମାନଙ୍କରେ ଅଶାନ୍ତକର ପରିବେଶ ସୃଷ୍ଟି ହେଉଛି । ଆଉ ଏଥିପ୍ରତି ଓଡ଼ିଶା ସରକାର ଧ୍ୟାନ ଦେଉନଥିବା ଲୋକେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଓଡ଼ିଶା ସୀମାନ୍ତ ଗାଁ ମାନଙ୍କରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇ ଅଧିକ ଆର୍ଥିକ ଅନୁଦାନ ଦେବାକୁ ଯୋଜନା କରାଯିବ ବୋଲି ରାୟଗଡ଼ା ବିଡିଓ କହିଛନ୍ତି ।

ସୌଜନ୍ୟ Prameya News7

Exit mobile version