BTech student: ନିଜ ଅପହରଣ ନାଟକ ରଚିଥିଲେ ବିଟେକ୍‌ ଛାତ୍ର: ଘର ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଆଦାୟ ଯୋଜନା

ଭୁବନେଶ୍ବର: ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ହଷ୍ଟେଲ୍‌ରୁ ବିଟେକ୍‌ ଛାତ୍ରଙ୍କୁ ତାଙ୍କ ସହପାଠୀ ହଷ୍ଟେଲ୍‌ ଅନ୍ତୋବସୀ ୧୩ ଲକ୍ଷ ଟଙ୍କା ପାଇଁ ଅପହରଣ ଓ ମୁଣ୍ଡଜାମିନ ରଖିବା ମାମଲା ଏବେ ନୂଆ ମୋଡ଼ ନେଇଛି। ଛାତ୍ରଙ୍କୁ କେହି ଅପହରଣ କରିନଥିଲେ, ବରଂ ସେ ସହପାଠୀଙ୍କ ଠାରୁ ଧାର କରିଥିବା ଲକ୍ଷ ଲକ୍ଷ ଟଙ୍କା ସୁଝିବା ପାଇଁ ନିଜ ଅପହରଣ ନାଟକ ନିଜେ ରଚିଥିଲେ ବୋଲି ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଏବଂ ଡିସିପି ଜଗମୋହନ ମୀନା ସବିଶେଷ ବିବରଣୀ ଦେଇଛନ୍ତି।

ସୂଚନାଯୋଗ୍ୟ ଅପହୃତ ଛାତ୍ରଙ୍କୁ ପୁଲିସ ମଦନପୁରରେ ଏକ ଘରେ ଚଢ଼ଉ କରି ଉଦ୍ଧାର କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ସଂପୃକ୍ତ ଛାତ୍ର ମଦନପୁର ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ବିଟେକ୍‌ ଶେଷ ବର୍ଷ ଛାତ୍ର। ହେଲେ ସେ ସେଠାରେ ଏକ ଘରୋଇ ହଷ୍ଟେଲ୍‌ରେ ସାଙ୍ଗମାନଙ୍କ ସହ ରହୁଥିଲେ। ନିଜର ସୌଖୀନ ଜୀବନଚର୍ଯ୍ୟା ପାଇଁ ଗତ ଦୁଇ ବର୍ଷ ଭିତରେ ସହପାଠୀ ଓ ହଷ୍ଟେଲ୍‌ ସାଙ୍ଗଙ୍କ ଠାରୁ ସତମିଛ କରି ଟଙ୍କା ଉଧାର ମାଗି ଖର୍ଚ୍ଚ ଉଠାଉଥିଲେ। କେତେବେଳେ ଦେହ ଖରାପ, ପୁଣି କେତେବେଳେ ପରୀକ୍ଷା ଫି’ ପାଇଁ, କାହାଠାରୁ ଲକ୍ଷେ ତ କାହାଠାରୁ ୨ଲକ୍ଷ। ପୁଣି କାହାଠାରୁ ୭ଲକ୍ଷ, ଏମିତି ଭୂଆଁ ବୁଲାଇ ୪ଜଣ ସାଙ୍ଗଙ୍କ ଠାରୁ ସାଢ଼େ ୫ଲକ୍ଷ ଏବଂ ଅନ୍ୟ ୩ଜଣ ସାଙ୍ଗଙ୍କ ଠାରୁ ୭ଲକ୍ଷ ଟଙ୍କା, ଏଭଳି ପାଖାପାଖି ୧୩ଲକ୍ଷ ଟଙ୍କା ଉଧାର ନେଇ ଫେରାଉନଥିଲେ। କିଛି ସାଙ୍ଗଙ୍କୁ ମାତ୍ର ୨-୩ଲକ୍ଷ ଟଙ୍କା ଫେରାଇଥିଲେ। ବାକି ପାଖାପାଖି ୧୦ଲକ୍ଷ ଟଙ୍କା ସୁଝିବାକୁ ଥିଲା।

ଯାହାକୁ ନେଇ ଉଧାର ଦେଇଥିବା ସାଙ୍ଗମାନଙ୍କ ଆଡୁ ଚାପ ପଡ଼ିଥିଲା। ସହପାଠୀଙ୍କୁ ଟଙ୍କା ଫେରାଇ ନପାରି ସୁଚିନ୍ତିତ ଯୋଜନା କରିଥିଲେ। ଘରୁ ଟଙ୍କା ଆଦାୟ ପାଇଁ ନିଜ ଅପହରଣ ନାଟକ ରଚି ବାପାଙ୍କୁ ଫୋନ୍‌କରି ତାକୁ ଅପହରଣ କରା ଯାଇଥିବା ଓ ୧୩ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନ୍‌ ରଖା ଯାଇଥିବା ଜଣାଇଥିଲେ। ଏନେଇ ତୁଷାରଙ୍କ ବାପା ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଅପହର୍ତାଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପୁଲିସ ଟିମ୍‌ ମଦନପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରେ ଚଢ଼ଉ କରି ଅପହୃତ ଛାତ୍ରଙ୍କୁ ଉଦ୍ଧାର କରିବା ସହ ତାଙ୍କର କିଛି ସହପାଠୀଙ୍କୁ ଆଣି ଜେରା କରିବା ପରେ ସବୁ ଗୁମର ଖୋଲିଥିଲା। ଅପହରଣ ସମ୍ପୂର୍ଣ୍ଣ ମିଛି, ବରଂ ନିଜେ ଛାତ୍ର ଜଣକ ହିଁ ବାପାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ନିଜ ଅପହରଣ ଡ୍ରାମା କରିଥିଲା।

ସୌଜନ୍ୟ ସମ୍ବାଦ