25.76 lakhs fraud: କ୍ରିପ୍ଟୋ କଏନ୍ ଟ୍ରେଡିଂରେ ୨୫.୭୬ ଲକ୍ଷ ଟଙ୍କା ଠକେଇ, ଡଲାର ମେସେଜ୍ ପଠାଇ ପର୍ସେଣ୍ଟେଜ ନେଇ ଯାଉଥିଲା ଠକ

ଜଗତସିଂହପୁର: ଫେସବୁକ ଫ୍ରେଣ୍ଡ ରିକ୍ୟୁଏଷ୍ଟରୁ ବନ୍ଧୁତା, ପରେ କାରବାର ଓ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି। କ୍ରିପ୍ଟୋ କଏନ୍ ଟ୍ରେଡିଂରେ ୨୫.୭୬ ଲକ୍ଷ ଟଙ୍କା ଠକେଇ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଛି।

ହେମନ୍ତ ପାଖକୁ ଆରଟିଜିଏସ୍ ମାଧ୍ୟମରେ ୭ ଲକ୍ଷ ଟଙ୍କା ଦେଇଥିଲେ

ମିଳିଥିବା ସୂଚନା ଅନୁସାରେ, ଠକେଇର ଶିକାର ହୋଇଛନ୍ତି ବାଲିକୁଦା ଥାନା ବୋରିକିନା ବାରିଲୋ ଅଞ୍ଚଳର ସପନ କୁମାର ଅଧିକାରୀ। ଅଭିଯୋଗରୁ ଜଣାପଡ଼ିଛି, ଗତ ମାର୍ଚ୍ଚ ୧୯ରେ ଅଙ୍କିତା ଚୌଧୁରୀ ନାଁରେ ଫେସବୁକ୍ ଆଇଡିରୁ ସପନଙ୍କ ପାଖକୁ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା। ସପନ ଏହି ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଆସେପ୍ଟ କରିଥିଲେ। ଏହା ପରେ ଠକ ଅଙ୍କିତା ଚୌଧୁରୀ ମେସେଞ୍ଜର ମାଧ୍ୟମରେ ସପନଙ୍କ ସହ ଚାଟିଂ କଲା। ଅଙ୍କିତା କ୍ରିପ୍ଟୋ କରେନ୍ସି ଟ୍ରେଡିଂ ଲାଭର ସ୍କ୍ରିନ ସଟ୍ ସପନଙ୍କ ପାଖକୁ ପଠାଇ ଟଙ୍କା ବିନିଯୋଗ କରିବା ପାଇଁ କହିଲା। ମାର୍ଚ୍ଚ ୨୬ରେ ହେମନ୍ତ ନାମକ ଜଣେ ବ୍ୟକ୍ତିଙ୍କ ସହ ସପନଙ୍କୁ ହ୍ବାଟସଆପ୍ ଜରିଆରେ ଚିହ୍ନା ପରିଚିତ କରାଇଥିଲା ଅଙ୍କିତା। ଏହା ପରେ ବିନାନ୍ସ ନାମକ ଆପରେ ୧୨ ହଜାର ଟଙ୍କାର ଟ୍ରେଡିଂରେ ବିନିଯୋଗ କରାଇ ସେହିଦିନ ୧୬ ହଜାର ୭୦୦ ଟଙ୍କା ପଠାଇଥିଲା ଠକ। ଏହା ପରେ ସପନଙ୍କର ହେମନ୍ତ ସହ ଏକ ଚୁକ୍ତି ହୋଇଥିଲା। ଟ୍ରେଡିଂରେ ଯେତିକି ଟଙ୍କା ଲାଭ କରିବେ ସେଥିରୁ ୩୦ ପ୍ରତିଶତ ହେମନ୍ତକୁ ଦେବେ। ପ୍ରଥମେ ୨୫ ହଜାର ଟଙ୍କା ବିନିଯୋଗ କରିଥିଲେ ସପନ। ବଦଳରେ ତାଙ୍କୁ ୪୦୦ ଡଲାର ପ୍ରାୟ ୩୮ ହଜାରରୁ ଅଧିକ ଟଙ୍କାର ମେସେଜ୍ ଆସିବା ପରେ ଚୁକ୍ତି ଅନୁସାରେ ୩୦ ପ୍ରତିଶତ ଅର୍ଥାତ୍ ୪୫୦୦ ଟଙ୍କା ୟୁପିଆଇରେ ପେମେଣ୍ଟ କରିଥିଲେ ସପନ। ପ୍ରଥମେ ତିନି ଦିନ ଚୁକ୍ତି ଓ ପରେ ୧୫ ଦିନିଆ ଚୁକ୍ତି ହୋଇଥିଲା। ଏମିତି ମେସେଜ୍ ଆସିବା ଚୁକ୍ତି ଅନୁସାରେ ସପନଙ୍କୁ ୧୮ ଲକ୍ଷ ୧୭ ହଜାର ୭୦୦ ଟଙ୍କାର ମେସେଜ୍ ଆସିବା ପରେ ସେ ଚୁକ୍ତି ମୁତାବକ ହେମନ୍ତ ପାଖକୁ ଆରଟିଜିଏସ୍ ମାଧ୍ୟମରେ ୭ ଲକ୍ଷ ଟଙ୍କା ଦେଇଥିଲେ।

ଏପ୍ରିଲ ୪ରେ ବ୍ୟାଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ୪୫ ହଜାର ଟଙ୍କା ଏମିତି ଦେଇଥିଲେ ସପନ। ଯେତେବେଳେ ଟଙ୍କା ଉଠାଇବାକୁ ଚାହିଁଲେ ସେତେବେଳ ସମ୍ଭବ ହେଲାନି। ଏ ନେଇ ହେମନ୍ତକୁ ପଚାରିବା ପରେ ବ୍ୟାଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ଥିବାରୁ ଉଠୁ ନ ଥିବା ସେ କହିଥିଲା। କିନ୍ତୁ ବାସ୍ତବରେ କେବଳ ମେସେଜ୍ ଆସୁଥିଲା, କିନ୍ତୁ ଟଙ୍କା ଆସୁ ନ ଥିଲା। ଏହିପରି ଭାବେ ସପନ ୨୫ ଲକ୍ଷ ୭୬ ହଜାର ୮୭୦ ଟଙ୍କା ଠକ ଆକାଉଣ୍ଟକୁ ଦେଇଥିଲା। ସାଇବର ଥାନା ପୁଲିସ ମାମଲାର ତଦନ୍ତ ଚଳାଇଛି।

 

 

ସୌଜନ୍ୟ ସମ୍ବାଦ