ନବରଙ୍ଗପୁର (ସୁରେଶ ନାଇଡୁ): ତତ୍କାଳୀନ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା। ଏହି ବସ ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ସଦରମହକୁମା, ଜିଲ୍ଲାସଦର ମହକୁମାରୁ ଭୁବନେଶ୍ବର ଓ ପୁରୀକୁ ରାଜ୍ୟ ସରକାରଙ୍କ ସହଯୋଗରେ ଚାଳୁଥିଲା। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସରୁ ମୁଖ୍ୟମନ୍ତ୍ରୀ ବସ ସେବା ନାଁକୁ ପରିବର୍ତ୍ତନ କରିଛନ୍ତି।
ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକ୍ରେ ୩୮ଟି ବସ ରୁଟ୍ ସଫଳତାର ସହିତ ଚାଲୁଛି। ପ୍ରତ୍ୟେକ ଦିନ ୧୦ରୁ ୧୨ହଜାର ଛାତ୍ରଛାତ୍ରୀ, ମହିଳା, ଦିନମଜୁରୀଆ, ଚାଷୀ, ଗାଁ ବ୍ୟବସାୟୀ ଆଦି ଏହି ବସ ଗୁଡ଼ିକରେ ଯିବା ଆସିବା କରୁଛନ୍ତି। ଏହି ଯାତ୍ରୀମାନେ ବସ୍କୁ ଅପେକ୍ଷା କରିବା ପାଇଁ ଜିଲ୍ଲାର ୧୦ବ୍ଲକର ୧୮୯ପଂଚାୟତରେ ୨୫୯ଟି ବିଶ୍ରାମଗାର ନିର୍ମାଣ କରାଯାଇଥିଲା। ଗୋଟାକ ପିଛା ୫ଲକ୍ଷ ଲେଖାଏଁ ୧୨କୋଟି ୯୫ ଲକ୍ଷରେ ଏହା ନିର୍ମାଣ କରାଯାଇଥିଲା।
ପୁରୁଣା ସରକାର ଏହି ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ, ବସ୍ ସେବା ଆଦିରେ ମହିଳା ଏସ୍ଏଚ୍ଜି ଗ୍ରୁପକୁ ସାମିଲ କରିଥିଲେ। ନୂଆ ସରକାର ଏହାକୁ ହଟାଇଦେଇଥିଲେ। ଯଦିଓ ନୂଆ ସରକାର ନୂଆ ନୂଆ ବସ୍ ସହ ଭଲବୋ ବସ ଚଳାଚଳ ଆରମ୍ଭ କଲେ ସତ ଏସବୁ ନୂଆ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଓ ଦେଖାରଖା ପାଇଁ ଉତ୍ତରଦାୟିତ୍ବ କାହାରିକୁ ନ୍ୟାସ୍ତ ନ କରିବାରୁ ବର୍ତ୍ତମାନ ସବୁ ଭାଙ୍ଗିରୁଜି ଗଲାଣି। ଏହି ସ୍ଥିତିରେ ସରକାରୀ କୋଷାଗାରରୁ ଏହି ଯୋଜନାନାଁରେ ଖର୍ଚ୍ଚ କରି ନିର୍ମାଣ କରିଥିବା ବିଶ୍ରାମଗାର ଗୁଡିକ ସରକାରୀ ଅର୍ଥ ଶ୍ରାଦ୍ଧ କରିବାର ନଗ୍ନ ନମୁନାର ପ୍ରଦର୍ଶନ ପାଲଟିଛି।
ପ୍ରକାଶଯୋଗ୍ୟ, ଜିଲ୍ଲାର ୧୦ଟି ବ୍ଲକ୍ରେ ୩୮ଟି ରୁଟରେ ବିଭିନ୍ନ ଦୁର୍ଗମ, ଦୂରଗାଁ ଓ ଘରୋଇ ବସ ଚଳାଚଳ କରୁନଥିବା ଗାଁକୁ ବସ ଚାଳୁଛି। ରାଇଘର ବ୍ଲକରେ ସର୍ବାଧିକ ୭ଟି ବସ ଚାଳୁଛି। କୋଷାଗୁମୁଡା ଓ ଉମରକୋଟବ୍ଲକରେ ୫ଟି ଲେଖାଏଁ, ନବରଙ୍ଗପୁର, ପାପଡାହାଣ୍ଡି ଓ ଝରିଗାଁ ବ୍ଲକରେ ୪ଟି ଲେଖାଏଁ ଚାଳିଛି। ଡାବୁଗାଁ ବ୍ଲକରେ ୩ଟି ଓ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଚନ୍ଦାହାଣ୍ଡି ବ୍ଲକରେ ୨ଟି ଲେଖାଏଁ ଏଭଳି ୩୮ଟି ବସ୍ ଚାଳୁଛି। ଏହି ସେବାରେ ଯେଭଳି ବାଧା ନ ଉପୁଜେ ସେଥିପାଇଁ ଦୁଇଟି ନୂଆ ବସ ସଂରକ୍ଷିତ କରି ରଖାଯାଇଛି। ଦୁରଦୃଷ୍ଟି ନ ରଖି ତତ୍କାଳୀନ ସରକାର ସମୟରେ ପ୍ରଶାସନିକ ଅଧିକାରୀମାନେ କିଛି ବିଶ୍ରାମଗାର ଗାଁ ଶେଷମୁଣ୍ଡ ଶୁନଶାନ୍ ସ୍ଥାନରେ କିମ୍ବା ଗାଁ ମଝିରେ କରାଇଛନ୍ତି। ବହୁ ସ୍ଥାନରେ ପୁଣି ଖୋଲାମେଲା। ସାମାନ୍ୟ ବର୍ଷା ହେବା ମାତ୍ରକେ ସବୁ ପାଣି ଏହା ମଧ୍ୟକୁ ପଶୁଛି। ଯଦିଓ ବିଶ୍ରାମଗାର ମହତଲକ୍ଷ୍ୟ ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ଏବେ ଏସବୁ ଭଗ୍ନ ଅବସ୍ଥାରେ।
ସୌଜନ୍ୟ ସମ୍ବାଦ
