ରାଜ୍ୟ

CAG raises objection: ଆପତ୍ତି ଉଠାଇଲେ ସିଏଜି: ଖଣିଜ ପାଣ୍ଠି ଲୁଟିଛନ୍ତି

ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଗଠନ ହୋଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ପାଣ୍ଠିକୁ ଲୁଟ୍‌ କରାଯାଇଛି।

ଯାଜପୁର(ଗଦାଧର ପଣ୍ଡା): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଗଠନ ହୋଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ପାଣ୍ଠିକୁ ଲୁଟ୍‌ କରାଯାଇଛି। ଖଣିଜ ପାଣ୍ଠି ଖର୍ଚ୍ଚ କଲାବେଳେ ଜିଲ୍ଲା ପ୍ରଶାସନ ସବୁ ନିୟମକୁ ଜଳାଞ୍ଜଳି ଦେଇଛି। ପ୍ରଶାସନର ଅବହେଳା ଓ ନିୟମିତ ସମୀକ୍ଷା ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠିରୁ ଆଦାୟ ହୋଇଥିବା ମୋଟ ୩୧୩୬.୨୪ କୋଟି ଟଙ୍କାରୁ ମଞ୍ଜୁର ହୋଇଥିବା ୧୨୧୬ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଯାଜପୁର ଜିଲ୍ଲା‌ରେ ହୋଇଥିବା ଖଣିଜ ପାଣ୍ଠି ଅନିୟମିତତାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି। ପାଣ୍ଠି ବିନିଯୋଗ ବେଳେ ଏଠାରେ ନିୟମକାନୁନକୁ ଅନୁସରଣ କରାଯାଇନାହିଁ। ସିଧାସଳଖ ଖଣି ପ୍ରଭାବିତ ଅଞ୍ଚଳରେ ଅତିକମ୍‌ରେ ୬୦ ପ୍ରତିଶତ ଓ ପରୋକ୍ଷ ପ୍ରଭାବିତ ଅଞ୍ଚଳରେ ସର୍ବାଧିକ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବାର ନିୟମ ଥିବାବେଳେ ଜିଲ୍ଲାରେ ଏହାର ବ୍ୟତିକ୍ରମ କରାଯାଇଛି।

ଜିଲ୍ଲା ଖଣିଜ ପାଣ୍ଠିକୁ ପୂର୍ବତନ ଜିଲ୍ଲାପାଳମା‌ନେ ଜିଲ୍ଲାର ପ୍ରଭାବଶାଳୀ ନେତାଙ୍କ ହାତବାରିସି ସାଜି ଅପବ୍ୟୟ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳରେ ୩୬.୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବାବେଳେ ନିୟମ ବାହାରକୁ ଯାଇ ଅଣପ୍ରଭାବିତ ଅଞ୍ଚଳରେ ୪୩.୫୪ ପ୍ରତିଶତ ଖର୍ଚ୍ଚ କରିଛି। ଖଣି ପୀଡ଼ିତଙ୍କ ଅଧିକାର ଛଡ଼ାଇ ନେଇ ଅଣପ୍ରଭାବିତ ଅଞ୍ଚଳରେ ଅନୁଦାନ ବ୍ୟୟ କରିବା ଭଳି ସାଂଘାତିକ ନିୟମ ଉଲ୍ଲଂଘନ ସିଏଜିଙ୍କ ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସିଧାସଳଖ କାଠଗଡ଼ାରେ ଠିଆ ହୋଇଛି। ଏପରିକି ଦୁଇମାସ ତଳୁ ଏ ନେଇ ସରକାରଙ୍କ ଏକ କମିିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଥିବା ବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା‌ରେ ବିଳମ୍ବ ହେଉଛି। ଏପ‌ଟେ ଶହଶହ କୋଟିର ପ୍ରକଳ୍ପ ଖତ ଖାଉଥିବାବେଳେ ସେସବୁ କାର୍ଯ୍ୟକ୍ଷମ ହେଉନାହିଁ।

ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳରେ ୩୭% ଓ ପରୋକ୍ଷ ପ୍ରଭାବିତ ଅଞ୍ଚଳରେ ୪୩% ଖର୍ଚ୍ଚ
ଖର୍ଚ୍ଚ ହୋଇପାରୁନି ୧୨୧୬ କୋଟି ଟଙ୍କା
‘ହାତପାଣ୍ଠି ଭଳି ବ୍ୟବହାର କରୁଥି‌ଲେ ନେତା’

ଅନ୍ୟପକ୍ଷରେ ଖଣି ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଘୋର ଅଭାବ ପରିଲକ୍ଷିତ ହେଉଛି। ଯେଉଁ ଅଞ୍ଚଳରୁ ଖଣି ଉତ୍ତୋଳନ ହେଉଛି ଖଣିଜ ପ୍ରତିଷ୍ଠାନ ଅର୍ଥ ସେ ଅଞ୍ଚଳର ବିକାଶ ପରିବର୍ତ୍ତେ କମ୍‌ ପ୍ରଭାବିତ ଅଞ୍ଚଳରେ ଅଧିକ ଖର୍ଚ୍ଚ କରାଯାଇଛି। ଜିଲ୍ଲାରେ ସିଧାସଳଖ ଭାବେ ପ୍ରଭାବିତ ହେଉଥିବା ସୁକିନ୍ଦା ବ୍ଲକ୍‌ ଓ ଦାନଗଦୀର କିଛି ପଞ୍ଚାୟତର ବିକାଶରେ ଏହି ଅର୍ଥ ଖର୍ଚ୍ଚ କରାଯାଇନାହିଁ। ଜିଲ୍ଲାର ଏହି ଦୁଇ ବ୍ଲକ୍‌ ବିଭିନ୍ନ କ୍ଷେତ୍ରରେ ସବୁଠୁ ଅଧିକ ପଛୁଆ। ଅଥଚ ଖଣିଜ ପାଣ୍ଠିରେ ଶହଶହ କୋଟିର ଅଟ୍ଟାଳିକା ଜିଲ୍ଲା ମୁଖ୍ୟାଳୟରେ ଠିଆ ହୋଇଛି। ଖଣିଜ ପାଣ୍ଠିରେ ନିର୍ମାଣ ହୋଇଥିବା ଶତକଡ଼ା ୭୦ ଭାଗ ପ୍ରକଳ୍ପ ଉପଯୋଗୀ ହୋଇପାରୁନାହିଁ। ଏବେ ବି ଯେତିକି ଅର୍ଥ ଜମା ରହିଛି ତା’ର ମଧ୍ୟ ଖର୍ଚ୍ଚ କରାଯାଉନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button