SCB: ଅଡିଟ୍ ଧରିଲା ପରେ ଅଧୀକ୍ଷକଙ୍କ ଖୋଳତାଡ଼: ଏସ୍ସିବିରେ ଖାଇଗଲେ ୧.୪ କୋଟି, ଫସିଛନ୍ତି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ
ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗଲା ୧୦ ବର୍ଷ ଭିତରେ କର୍ମଚାରୀଙ୍କର ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ହୋଇଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍ ଇତ୍ୟାଦି ବାବାଦ ମିଳିବାକୁ ଥିବା ଟଙ୍କା ହେରଫେର ହୋଇଛି।

କଟକ: ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗଲା ୧୦ ବର୍ଷ ଭିତରେ କର୍ମଚାରୀଙ୍କର ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ହୋଇଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍ ଇତ୍ୟାଦି ବାବାଦ ମିଳିବାକୁ ଥିବା ଟଙ୍କା ହେରଫେର ହୋଇଛି। ଏହି ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା ବଦଳରେ ହଡ଼ପ କରି ନିଆଯାଇଛି। ଏ ନେଇ କ୍ଷତିଗ୍ରସ୍ତ କର୍ମଚାରୀମାନେ ଟେର୍ ପାଇନଥିଲେ। ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କ ଅଡିଟ୍ ସମୟରେ ଏଭଳି ହେରଫେର ଧରାପଡ଼ିଥିବା ବେଳେ ଏନେଇ ଏସ୍ସିବି ଅଧୀକ୍ଷକଙ୍କୁ ଗଲା ସପ୍ତାହରେ ଚିଠି ଲେଖିଛନ୍ତି। ଏହି ଘଟଣା ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
ଏସ୍ସିବିରେ ସମସ୍ତ କର୍ମଚାରୀଙ୍କ ଦରମା ମିଳିବା ପୂର୍ବରୁ ଡାଟାଏଣ୍ଟ୍ରି ଅପରେଟର ଏହାକୁ କମ୍ପ୍ୟୁଟରରେ ଏଣ୍ଟ୍ରି କରିବା ପରେ ଡିଲିଂ ଆସିଷ୍ଟାଣ୍ଟ ଯାଞ୍ଚ କରିଥାନ୍ତି। ଆକାଉଣ୍ଟାଣ୍ଟ ଓ କ୍ୟାସିୟରଙ୍କ ମାଧ୍ୟମରେ ଏହା ଡିଡିଓ (ଡ୍ରଇଂ ଏଣ୍ଡ ଡିସ୍ବର୍ସିଂ ଅଫିସର)ଙ୍କ ନିକଟରେ ପହଞ୍ଚିଥାଏ। ଡିଡିଓ ଏହାକୁ ଅନୁମୋଦନ କରିବା ପରେ ଟ୍ରେଜେରିକୁ ଯାଇଥାଏ। ଟ୍ରେଜେରି ପକ୍ଷରୁ ଏହାକୁ ଯାଞ୍ଚ କରିବା ପରେ ପବ୍ଲିକ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫ୍ଏମ୍ଏସ୍) ମାଧ୍ୟମରେ ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଟଙ୍କା ଯାଇଥାଏ। ଏସ୍ସିବିରେ ଗଲା ୧୦ ବର୍ଷ ହେବ ଉଭୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍ ବାବଦ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇନଥିବା ଘଟଣା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଗଲା ଏକ ମାସ ତଳେ ଏଜି ଅଡିଟ୍ ବେଳେ ଏଭଳି ଆର୍ଥିକ ହେରଫେର ଧରାପଡ଼ିଥିଲା। ଏ ନେଇ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କ ନିକଟକୁ ଏଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖି ହଡ଼ପ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ଏସ୍ସିବି ଅଧୀକ୍ଷକ ମଧ୍ୟ ନିଜ ଆଡ଼ୁ ତଦନ୍ତ କରିବା
ଫସିଛନ୍ତି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ
ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍ ଟଙ୍କା ଗାଏବ
ପରେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିଥିଲା। ପ୍ରାଥମିକ ଭାବେ ଡିଡିଓଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ସ୍ତରରେ ଏଭଳି ହେରଫେର ହୋଇଥିବା ସନ୍ଦେହ କରାଯାଉଛି। ଟଙ୍କା ଉପରୋକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇନଥିବା ବେଳେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଟଙ୍କା ପାଇବାକୁ ଥିବା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ଅନ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବା କୁହାଯାଉଛି। ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୨୦୧୬ରୁ ଏଭଳି ହେରଫେର ନିୟମିତ ବ୍ୟବଧାନରେ ହୋଇଆସିଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପଟେ ସ୍ବତନ୍ତ୍ର ଅଡିଟ୍ ଟିମ୍ ଖୁବ୍ଶୀଘ୍ର ଏସ୍ସିବିରେ ପହଞ୍ଚି ଯେଉଁ ବୈଷୟିକ ଉପାୟରେ ଆର୍ଥିକ ଅନିୟମିତତା ହୋଇଛି, ଏହାର ତଦନ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମେତ ଆକାଉଣ୍ଟ ସେକ୍ସନର ଅନ୍ୟ କର୍ମଚାରୀମାନେ ମଧ୍ୟ ସମ୍ପୃକ୍ତ ଥିବା କୁହାଯାଉଛି।
ସୌଜନ୍ୟ ସମ୍ବାଦ




