ରାଜ୍ୟ

Campus Election 2026: ବାଣୀବିହାରରେ ବାଜି ମାରିନେଲା ABVP; ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ନେଇଗଲା NSUI

  • ସନ୍ଧ୍ୟା ୬ଟା ପରେ ଆରମ୍ଭ ହେଲା ଭୋଟ୍‌ ଗଣତି
  • ଜାତୀୟ ରାଜପଥ ରୋକ କଲେ ଏନ୍‌ଏସ୍‌ୟୁଆଇ ପ୍ରାର୍ଥୀ
  • ୬୮.୬୯% ମତଦାନ, ଭୋଟଗଣତି କେନ୍ଦ୍ରରେ ଉତ୍ତେଜନ

ଭୁବନେଶ୍ୱର, ୧୬|୧୦: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)  ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ଉତ୍କଳ  ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି  ଭାବେ ଏନ୍‌ଏସ୍‌ୟୁଆଇ ସମର୍ଥିତ ପ୍ରାର୍ଥୀ ପପୁ ରାଉତ, ସାଧାରଣ ସମ୍ପାଦକ ଭାବେ ଏବିଭିପିର ଆୟୁଶ୍ରୀ ପ୍ରଧାନ,  ଯୁଗ୍ମ ସାଧାରଣ ସମ୍ପାଦକ ବିସିଜେଡିର ଭାବେ ଜ୍ୟୋତିଶ୍ରୀ ସାହୁ, କଲ୍‌ଚରାଲ୍‌ କ୍ଲବ୍‌ ସମ୍ପାଦକ ଭାବେ ଏବିଭିପିର ଉତ୍ତମ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି । ମିଲନ କୁମାର ମେହେର ସୋସିଆଲ୍‌ ସର୍ଭିସ ଗିଲ୍ଡ ଓ ଜୀବନଜ୍ୟୋତି ବିଶ୍ୱାଳ ବାଣୀବିକାଶର  ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।  ବିଶ୍ୱବିଦ୍ୟାଳୟର ଆଥଲେଟିକ୍‌ କ୍ଲବ୍‌ ସମ୍ପାଦକ  ଭାବେ ଏବିଭିପିର ଜ୍ଞାନରଞ୍ଜନ ପରିଡ଼ା ଏବଂ  ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ  ନିର୍ବାଚିତ ହୋଇଛନ୍ତି ।

ବୁଧବାର ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି ?’ ବୈଠକ  ଅନୁଷ୍ଠିତ ହୋଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବୈଠକ ଆରମ୍ଭ ପୂର୍ବରୁ ଜୋରଦାର ଉତ୍ତେଜନା ଦେଖିବାକୁ ମିଳିଲା । ମୁଣ୍ଡ ଫାଟିଲା, ଚେୟାର  ଉଡ଼ିଲା । ଗୁରୁବାର ମତଦାନ ଥିଲା । ସକାଳୁ  ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଶାନ୍ତ ଥିଲା । ସକାଳ ୮ଟାରୁ ଅପରାହ୍ନ ୨ଟାଯାଏ ମତଦାନ ଶାନ୍ତି ଶୃଙ୍ଖଳାର ସହ  ଶେଷ ମଧ୍ୟ ହୋଇଥିଲା । ହେଲେ ସଂଧ୍ୟା ୬ଟା ଯାଏ  ଆରମ୍ଭ ହୋଇନଥିଲା ଭୋଟ ଗଣତି । ସଂଧ୍ୟା ସାଢ଼େ ୬ଟା ବେଳକୁ ଆରମ୍ଭ ହୋଇଥିଲା ଗଣତି । ଫଳ ଘୋଷଣା ବିଳମ୍ବକୁ ନେଇ ରାଜରାସ୍ତାରେ ବସିଲେ  ଛାତ୍ର କଂଗ୍ରେସ ତଥା ଏନ୍‌ଏସ୍‌ୟୁଆଇର ପ୍ରାର୍ଥୀ ।

୬୮.୬୯% ମତଦାନ:

ସୂଚନାଯୋଗ୍ୟ, ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା । ଠିକ୍‌ ୨ଟାରେ ଭୋଟ ମତଦାନ ବନ୍ଦ କରାଗଲା । ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ହଜାର ୬୦୯ଜଣ ମତଦାନ କରିଛନ୍ତି । ଅର୍ଥାତ୍‌  ମୋଟ୍ ମତଦାନ ପ୍ରତିଶତ ହେଉଛି ୬୮.୬୯% । ମତଦାନ ସରିବା ମାତ୍ରେ ବାଣିଜ୍ୟ ବିଭାଗରେ ହୋଇଥିବା ନିର୍ବାଚନ ଷ୍ଟ୍ରଙ୍ଗ୍‌ରୁମ୍‌କୁ ସବୁ ମତଦାନ  କେନ୍ଦ୍ରରୁ ଭୋଟ ବାକ୍ସ ନିଆଯାଇଥିଲା । ଅପରାହ୍ନ ୩ଟା ମଧ୍ୟରେ ଏହି ଭୋଟ ବାକ୍ସ ଆସିବା କାର୍ଯ୍ୟକ୍ରମ  ଶେଷ ହୋଇଥିଲା । ନିୟମ ଅନୁଯାୟୀ ଭୋଟ୍ ମତଦାନ ସରିବା ମାତ୍ରେ ଭୋଟ୍ ଗଣତି ହେବା  କଥା । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ’ଣ ପାଇଁ ଭୋଟ୍ ଗଣତି ବିଳମ୍ବ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ନିର୍ବାଚନୀରେ ଲଢ଼ୁଥିବା ପ୍ରାର୍ଥୀ ।  ଶେଷରେ ସଂଧ୍ୟା ୬ଟା ଯାଏ ମଧ୍ୟ ଭୋଟ ଗଣତି ଆରମ୍ଭ ହୋଇନଥିଲା । ଏଜେଣ୍ଟ ଉପସ୍ଥିତ ଥିଲେ ମଧ୍ୟ ଗଣତି ଆରମ୍ଭରେ ବିଳମ୍ବ କରାଗଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button