Capital Hospital: କ୍ୟାପିଟାଲ ହସ୍ପିଟାଲ: ଜେରିଆଟିକ୍ ୱାର୍ଡରେ ତାଲା, ବାରଣ୍ଡାରେ ଗଡ଼ୁଛନ୍ତି ବୃଦ୍ଧବୃଦ୍ଧା

ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜରାରୋଗୀ ୱାର୍ଡ ବା ଜେରିଆଟିକ୍‌ ୱାର୍ଡରେ ତାଲା ଝୁଲୁଛି। ଜେରିଆଟିକ୍ ୱାର୍ଡରେ ତାଲା ଠୁଙ୍କା ଯାଇଥିବାରୁ ବୟସ୍କ ରୋଗୀମା‌ନେ ମେଡିସନ୍ ୱାର୍ଡ ସମ୍ମୁଖ ବାରଣ୍ଡାରେ ଗଡ଼ୁଛନ୍ତି।

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜରାରୋଗୀ ୱାର୍ଡ ବା ଜେରିଆଟିକ୍‌ ୱାର୍ଡରେ ତାଲା ଝୁଲୁଛି। ଜେରିଆଟିକ୍ ୱାର୍ଡରେ ତାଲା ଠୁଙ୍କା ଯାଇଥିବାରୁ ବୟସ୍କ ରୋଗୀମା‌ନେ ମେଡିସନ୍ ୱାର୍ଡ ସମ୍ମୁଖ ବାରଣ୍ଡାରେ ଗଡ଼ୁଛନ୍ତି। ରାଜ୍ୟ ରାଜଧାନୀରେ ଯଦି ଏଭଳି ପରିସ୍ଥିତି ତେବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ସ୍ଥିତି ଏଥିରୁ ଅନୁମାନ କରାଯାଇ ପାରୁଛି।
ସୂଚନା ଅନୁସାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ବୟସ୍କ ଲୋକଙ୍କ ପାଇଁ ସ୍ବତନ୍ତ୍ର ଜେରିଆଟିକ୍‌ ୱାର୍ଡ ଖୋଲାଯାଇଛି। ଏଥିପାଇଁ ୧୦ଟି ଶଯ୍ୟା ପଡ଼ିଛି। ଜେରିଆଟିକ୍ ୱାର୍ଡରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହିତ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସ୍ବତନ୍ତ୍ର ୱାସ୍‌ରୁମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଏବେ ଏହି ଜେରିଆଟିକ୍ ୱାର୍ଡରେ ତାଲା ଝୁଲୁଛି। କିଏ ତାଲା ପକାଇଲା କାହିଁକି ତାଲା ପଡ଼ିଲା କାହା ପାଖରେ ଉତ୍ତର ନାହିଁ। ଏହା ବୟସ୍କ ରୋଗୀମାନଙ୍କ ପାଇଁ କାମରେ ଆସୁନି। କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିବା ବୟସ୍କ ରୋଗୀମାନେ ମେଡିସିନ ୱାର୍ଡରେ କିମ୍ବା ମେଡିସିନ ୱାର୍ଡ ବାରଣ୍ଡାରେ ପଡ଼ି ରହି ଚିକିତ୍ସା କରାଉଛନ୍ତି।

ଏନେଇ ବାରଣ୍ଡାରେ ରହି ଚିକିତ୍ସା କରାଉଥିବା ୭୫ ବର୍ଷୀୟ ମଞ୍ଚେଶ୍ବରର ମଥୁରୀ ସାମଲ କହିଛନ୍ତି ଯେ ସେ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସିଥିଲେ। ତାଙ୍କର ଦେହ ଥରୁଥିଲା। ମୁଣ୍ଡ ମଧ୍ୟ ବୁଲାଇ ଦେଉଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଆଡମିସନ କରିବାକୁ କହିଲେ। ପରେ ଆମକୁ ଜଣେ ହସ୍ପିଟାଲର କର୍ମଚାରୀ ଆଣି ବାରଣ୍ଡାରେ ଗୋଟିଏ ବେଡ୍‌ ଦେଇଛନ୍ତି। ଏଠାରେ ସାଲାଇନ ଲାଗୁଛି। ଖରା ଝାଞ୍ଜି ବାଜି ମୁଣ୍ଡ କଣ ହେଇଯାଉଛି। ଆମେ ଗରିବ ଲୋକ, ଆମ ପାଖରେ ବାହାରକୁ ଯାଇ ଚିକିତ୍ସା କରିବାକୁ ଟଙ୍କା ନାହିଁ। ତେଣୁ ଏଠାରୁ  ଭଲ ହୋଇଗଲେ ପଳାଇବୁ। ‌ସେହିପରି ଆଉ ଜଣେ ବୟସ୍କ ରୋଗୀ ମଧ୍ୟ ସମାନ ଭାବେ ବାରଣ୍ଡା‌ରେ ଚିକିତ୍ସିତ ହେଉଛନ୍ତି। ସେ କଥା କହି ପାରୁ ନାହାନ୍ତି। ତାଙ୍କ ପାଖରେ ଥିବା ଜଣେ ବୃଦ୍ଧା ମଧ୍ୟ ସମାନ କଥା କହିଥିଲେ। କ୍ୟାପିଟାଲ୍‌ ହସ୍‌ପିଟାଲର ଜେରିଆଟିକ୍‌ ୱାର୍ଡ ଖୋଲୁନଥିବାରୁ ବରିଷ୍ଠ ନାଗରିକମାନେ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ ହେଉଥିବା ବେଳେ ଏନେଇ ହସ୍‌ପିଟାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଉଦାସୀନ ରହିଥିବା ଅଭିଯୋଗ ହେଉଛି। ତୁରନ୍ତ ଜେରିଆଟିକ୍‌ ୱାର୍ଡରେ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସାସେବା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version