CBSE: ଦ୍ବାଦଶ ମାର୍କବୃଦ୍ଧି ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: ସିବିଏସ୍ଇକୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ସାଉଦି ଆରବରେ ରହୁଥିବା ଜଣେ ଭାରତୀୟ ଛାତ୍ରଙ୍କ ସିବିଏସ୍ଇ ଦ୍ବାଦଶ ମାର୍କବୃଦ୍ଧି ପରୀକ୍ଷା ଫଳ ଘୋଷଣା ନ ହେବା ମାମଲା ଏବେ ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ଛାତ୍ର ଦର୍ଶାଇଥିଲେ ଯେ, ପରୀକ୍ଷା ଫଳ ନ ଆସିବା କାରଣରୁ କଲେଜରେ ନାମଲେଖା ଓ ଆଗକୁ ପାଠପଢ଼ା ପ୍ରଭାବିତ ହୋଇଛି। ବାଧ୍ୟ ହୋଇ ଛାତ୍ର ଜଣକ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସୋମବାର ଜଷ୍ଟିସ ମନମୋହନ ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗମ୍ଭୀର ମାମଲାର ଶୁଣାଣି କରି ସିବିଏସ୍ଇର ଆଭିମୁଖ୍ୟ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି। ସର୍ବୋଚ୍ଚ କୋର୍ଟ ସିବିଏସ୍ଇ ଓ ଏହାର ସମ୍ପୃକ୍ତ ଆଞ୍ଚଳିକ ଅଧିକାରୀଙ୍କୁ ନୋଟିସ୍ ଜାରି କରି ଅତି କଠୋର ଶବ୍ଦରେ କହିଛନ୍ତି ଯେ, ଏହା ଜଣେ ପିଲାର କ୍ୟାରିୟରର ପ୍ରଶ୍ନ। ସମସ୍ୟା ଯାହାବି ଥାଉ, ରାତିଦିନ ଏକ କରି ତୁରନ୍ତ ଏହାର ସମାଧାନ କର।
ସୂଚନାଯୋଗ୍ୟ, ସାଉଦି ଆବରରେ ରହୁଥିବା ଭାରତୀୟ ଛାତ୍ର ପ୍ରାଂଶୁ ଜିଗରକୁମାର ପଟେଲ ସିବିଏସ୍ଇର ବିଫଳତାକୁ ଚାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ପ୍ରାଂଶୁ ସାଉଦି ଆରବର ଅଲ ଜୁବେଲ ସହରରେ ସିବିଏସ୍ଇର ଦ୍ବାଦଶ ଶ୍ରେଣୀ ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେଇଥିଲେ। ପ୍ରାଂଶୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଇଂରାଜୀ ଓ କମ୍ପ୍ୟୁଟର ସାଇନ୍ସରେ ମାର୍କ ବୃଦ୍ଧି କରିବାକୁ ଏହି ପରୀକ୍ଷା ଦେଇଥିଲେ। ପ୍ରାଂଶୁ କହିଛନ୍ତି, ସେ ନିଜ ପକ୍ଷରୁ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇଥିଲେ ଓ ପରୀକ୍ଷା ଦେଇଥିଲେ। କିନ୍ତୁ ସିବିଏସ୍ଇ ତାଙ୍କ ଫଳାଫଳ ଘୋଷଣା ନାହିଁ। ପରୀକ୍ଷା ଫଳ ନ ଆସିବା ଯୋଗୁଁ ତାଙ୍କୁ ଆଗକୁ ପଢ଼ିବାରେ ସମସ୍ୟା ଦେଖାଯାଇଛି।
ଦେଶବିଦେଶରେ କଲେଜ ଓ ବିଶ୍ବବିଦ୍ୟାଳୟରେ ନାମଲେଖା ଜୋରଦାର ଚାଲିଥିବାବେଳେ ବିନା ମାର୍କସିଟ୍ରେ ସେ ନାମଲେଖାଇ ପାରୁନାହାନ୍ତି। ସିବିଏସ୍ଇକୁ ସେ ମେ ୧୭, ମେ ୨୧ ଓ ମେ ୩୦ ତାରିଖରେ ପରୀକ୍ଷା ଫଳ ପ୍ରକାଶ ନେଇ ବ୍ୟକ୍ତିଗତ ଭାବେ ଇମେଲ ପଠାଇ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ସିବିଏସ୍ଇ ପକ୍ଷରୁ କୌଣସି ଜବାବ ମିଳି ନ ଥିଲା। ସୂଚନାଯୋଗ୍ୟ, ଯୁଦ୍ଧସ୍ଥିତିକୁ ଦେଖି ସିବିଏସ୍ଇ ଚଳିତ ବର୍ଷ ସାତ ଉପସାଗରୀୟ ଦେଶ ବାହାରିନ, ଇରାନ, କୁଏତ, ଓମାନ, କତର, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସରେ ଦ୍ବାଦଶ ପରୀକ୍ଷା କରିନଥିଲା। ପରୀକ୍ଷା ନ ହେବା ଯୋଗୁଁ ସିବିଏସ୍ଇ ସେହି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ଆସେସ୍ମେଣ୍ଟ ଯୋଜନା କରିଥିଲା, ଯଦ୍ଦ୍ବାରା ପିଲାମାନଙ୍କର ଗୋଟିଏ ବର୍ଷ ଖରାପ ହେବନାହିଁ। ପ୍ରାଂଶୁଙ୍କ ଆବେଦନ ଅନୁଯାୟୀ, ସେ ଏହି ଆସେସମେଣ୍ଟ ପରିସରରେ ଆସିବା ସତ୍ତ୍ବେ ସିବିଏସ୍ଇ ତାଙ୍କ ଫଳ ଘୋଷଣାକୁ ଝୁଲେଇ ରଖିଛି।
ସୌଜନ୍ୟ Prameya News7




