Child mortality: କଳାହାଣ୍ଡି ଜିଲ୍ଲାରେ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ, ପ୍ରତି ହଜାରରେ ୩୬ ଜଣ ମରୁଛନ୍ତି

କଳାହାଣ୍ଡି ଜିଲ୍ଲାରେ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ରହିଛି। ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲା...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ରହିଛି। ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ୨୦୨୪-୨୫ ମସିହାରେ ଏସ୍‌ଏନ୍‌ସିୟୁରେ ୨୮୮୬ ଜଣ ଶିଶୁ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୩୭୪ ଜଣ ଶିଶୁ ସୁସ୍ଥ ହୋଇଥିଲେ।

୧୦୯୬ ଜଣ ଶିଶୁ ଅନ୍ୟତ୍ର ରେଫର୍‌ ହୋଇଥିବା ବେଳେ ୨୭୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ମୃତ୍ୟୁହାର ୯.୪୯% ରହିଛି। ୨୦୨୫-୨୬ରେ ୧୫୭୫ ଜଣ ଶିଶୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି ହୋଇଥିଲେ। ତନ୍ମଧ୍ୟରୁ ୧୩୩୨ ସୁସ୍ଥ ହୋଇଥିଲେ, ୧୧୯ ଜଣ ଶିଶୁ ଅନ୍ୟତ୍ର ରେଫର୍‌ ହୋଇଥିବା ବେଳେ ୧୨୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରତି ୧ ହଜାର ଶିଶୁରେ ୩୬ ଜଣ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି। ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ ଓ ଲାଞ୍ଜିଗଡ଼ ବ୍ଲକ୍‌ରେ ଶିଶୁ ମୃତ୍ୟୁହାର ସର୍ବାଧିକ ଅଟେ। ଥୁଆମୂଳ ରାମପୁର ବ୍ଲକ୍‌ର ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଜଳବନ୍ଦି ଥିବା ୧୬ଟି ଗାଁରେ ନଗଡ଼ା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି।

ପାଣିଘେରରେ ଥିବା ଯୋଗୁଁ ଯାତାୟାତ ପାଇଁ କେବଳ ଡଙ୍ଗା ଏବଂ ଚିକିତ୍ସା ପାଇଁ ବୋଟ୍‌ ଆମ୍ବୁଲାନ୍ସ ହିଁ ଭରସା ସାଜିଛି। ବର୍ଷାଦିନେ ଶିଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେ ଗୁଣିଗାରେଡ଼ି ଓ କ୍ବାକ୍‌ ଭରସାରେ ରହୁଛନ୍ତି। ଚିକିତ୍ସା ବିଳମ୍ବ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ଦୁର୍ଗମ ଅଞ୍ଚଳରେ ଅପପୁଷ୍ଟି, ମ୍ୟାଲେରିଆ ଏବଂ ବିଭିନ୍ନ ରୋଗରେ ଶିଶୁମାନେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଗତ କିଛିବର୍ଷ ତଳେ ଏହି ବୁଡ଼ି ଅଞ୍ଚଳରେ ଡିପ୍‌ଥେରିଆ ରୋଗରେ କିଛି ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ମଧ୍ୟ ଜିଲ୍ଲାରେ ଶିଶୁ ମୃତ୍ୟୁହାର ଥମୁ ନ ଥିବା ଯୋଗୁଁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ନେଇ ସିଡିଏମ୍‌ଓ ଡାକ୍ତର ନୀହାରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲୁଛି। ଏସ୍‌ଏନ୍‌ସିୟୁ ଓ ଏନ୍‌ବିଏସ୍‌ୟୁ ମଧ୍ୟ ଚାଲୁରହିଛି ବୋଲି ସେ କହିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version