୧୯୪୫ ମସିହାରେ ଚିଲିକାର ଆର୍ଦ୍ରଭୂମିର ଆୟତନ ୨୯୪୬ ବର୍ଗ କିଲୋମିଟର ଥିଲା। ଏବେ ତାହା ୧୧୬୫ କିମିରେ ସୀମିତ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଆହୁରି କମ୍‌ ବୋଲି ଜଣାପଡ଼ିଛି। ଚିଲିକାର ଜୈବ ବିବିଧତା ଓ ଆର୍ଦ୍ରଭୂମିର ଗୁରୁତ୍ବକୁ ଉପଲବ୍ଧି କରି ୧୯୮୧ ମସିହାରେ ଚିଲିକାକୁ ‘ରାମସାର୍‌’ ସ୍ଥଳୀ ଘୋଷଣା କରାଯିବା ପରେ ସିଡିଏ କର୍ତ୍ତୃପକ୍ଷ ଏହାର ଚତୁଃପାର୍ଶ୍ବରେ ବୃକ୍ଷରୋପଣ ଏବଂ ଆର୍ଦ୍ରଭୂମିର ସଂରକ୍ଷଣ ଦିଗରେ ପଦକ୍ଷେପ ନେଇଥିଲେ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଚିଲିକାର ଆୟତନ ଧୀରେ ଧୀରେ କମିବା ସହ ବିଭିନ୍ନ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେବାକୁ ବସିଲେଣି। ସିଡିଏ ଦ୍ବାରା ବିଭିନ୍ନ ଆର୍ଥିକ ବର୍ଷରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ହେଉଛି। କେବଳ ସେତିକି ନୁହେଁ, ଅନ୍ତନାଳୀର ପୁନରୁଦ୍ଧାର ମଧ୍ୟ ହେଉଛି। ଚିଲିକାର ସୁରକ୍ଷା ଓ ଏହାର ପରିସଂସ୍ଥାର ପୁନରୁଦ୍ଧାର କରିବାକୁ ସିଡିଏ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ମାଡ୍ରାସର ବୈଷୟିକ ପରାମର୍ଶକ୍ରମେ ଦୀର୍ଘମିଆଦି କାର୍ଯ୍ୟକ୍ରମ ଖସଡ଼ା (ଡିପିଆର୍‌) ପ୍ରସ୍ତୁତ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଡିପିଆର୍‌ ପ୍ରସ୍ତୁତ ପରେ ଚିଲିକାର ପୁନରୁଦ୍ଧାରକୁ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି।