China: ଚୀନ୍ର ଯୌନ ଜାଲ ଓ ଗୁପ୍ତଚରୀ ଖେଳ: ଜେନ୍ସେନ୍ ହୁଆଙ୍ଗ୍ଙ୍କ ଘଟଣା ହୁଏତ ଆରମ୍ଭ ମାତ୍ର
ଚୀନ୍ର ଗୁପ୍ତଚର ସଂସ୍ଥା ଯୌନ ସମ୍ପର୍କ ଓ ବ୍ୟକ୍ତିଗତ ଦୁର୍ବଳତାକୁ ବ୍ୟବହାର କରି ଆମେରିକାର ବଡ଼ ବଡ଼ କମ୍ପାନିର ମୁଖ୍ୟଙ୍କଠାରୁ ଗୁପ୍ତ ସୂଚନା ହାସଲ କରିବାକୁ ଉଦ୍ୟମ କରୁଥିବା ନେଇ ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି

ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଚିପ୍ ନିର୍ମାତା କମ୍ପାନି ଏନ୍ଭିଡିଆର ମୁଖ୍ୟ ଜେନ୍ସେନ୍ ହୁଆଙ୍ଗ୍ଙ୍କୁ ନେଇ ଉଠିଥିବା ଗୁପ୍ତଚରବୃତ୍ତି ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଚୀନ୍ର ଗୁପ୍ତଚର ସଂସ୍ଥା ଯୌନ ସମ୍ପର୍କ ଓ ବ୍ୟକ୍ତିଗତ ଦୁର୍ବଳତାକୁ ବ୍ୟବହାର କରି ଆମେରିକାର ବଡ଼ ବଡ଼ କମ୍ପାନିର ମୁଖ୍ୟଙ୍କଠାରୁ ଗୁପ୍ତ ସୂଚନା ହାସଲ କରିବାକୁ ଉଦ୍ୟମ କରୁଥିବା ନେଇ ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି। ଚୀନ୍ ବିପଦ ସମ୍ପର୍କିତ ବିଶେଷଜ୍ଞ ଆଇଜାକ୍ ଷ୍ଟୋନ୍ ଫିସ୍ଙ୍କ ମତରେ, ଜେନ୍ସେନ୍ଙ୍କ ଘଟଣା ଏକ ବଡ଼ ଗୁପ୍ତଚର ଅଭିଯାନର ଆରମ୍ଭ ହୋଇପାରେ।
ରିପୋର୍ଟ ଅନୁଯାୟୀ, ଆଲିସ୍ ହୁଆଙ୍ଗ୍ ନାମକ ଜଣେ ଚୀନ୍ ମହିଳାଙ୍କ ସହ ଜେନ୍ସେନ୍ଙ୍କ ବିବାହେତର ସମ୍ପର୍କ ଥିବା କଥା ସାମ୍ନାକୁ ଆସିଛି। ଆଲିସ୍ଙ୍କ ଅନ୍ୟ ନାମ ହୁଆଙ୍ଗ୍ ଲେ ବୋଲି କୁହାଯାଇଛି। ସେ ସିଙ୍ଗାପୁରର ମେଗାସ୍ପିଡ୍ ଇଣ୍ଟରନ୍ୟାସନାଲ୍ ନାମକ ଏକ କମ୍ପାନିରେ ପୂର୍ବରୁ ଉଚ୍ଚପଦସ୍ଥ ଅଧିକାରୀ ଥିଲେ। ଏହି କମ୍ପାନି ଏନ୍ଭିଡିଆର ଗ୍ରାହକ ଥିଲା। ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକ ଆଲିସ୍ଙ୍କୁ ଚୀନ୍ର ଗୁପ୍ତଚର ଭାବେ ସନ୍ଦେହ କରୁଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।
ଚୀନ୍ ବିପଦ ବିଶ୍ଳେଷକ ତଥା ଷ୍ଟ୍ରାଟେଜି ରିସ୍କସ୍ର ମୁଖ୍ୟ ଆଇଜାକ୍ ଷ୍ଟୋନ୍ ଫିସ୍ କହିଛନ୍ତି, ବେଜିଂ ବିଭିନ୍ନ ଉପାୟରେ ଫର୍ଚୁନ୍ ୫୦୦ ତାଲିକାର ପ୍ରାୟ ସବୁ କମ୍ପାନିକୁ ଟାର୍ଗେଟ୍ କରିଛି। ଜେନ୍ସେନ୍ଙ୍କ ଭଳି ଅନ୍ୟ କମ୍ପାନିର ମୁଖ୍ୟମାନେ ମଧ୍ୟ ଏଭଳି ଜାଲରେ ପଡ଼ିଛନ୍ତି କି ନାହିଁ, ତାହା ଜାଣିବାକୁ ସାମ୍ବାଦିକମାନେ ଅନୁସନ୍ଧାନ କରୁଛନ୍ତି। ଏହି ଘଟଣାରେ ଆଗକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସରକାର ଗୁପ୍ତଚରବୃତ୍ତି ଅଭିଯୋଗକୁ ଖଣ୍ଡନ କରି ଏହାକୁ ଭିତ୍ତିହୀନ ଅପପ୍ରଚାର ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ




