Pranab Mukharjee: ଉଚ୍ଚାକାଂକ୍ଷା ରଖିବା କ’ଣ ଅପରାଧ? ସୋନିଆଙ୍କୁ ପ୍ରଣବଙ୍କ କନ୍ୟାଙ୍କ ଜବାବ
ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷାକୁ ନେଇ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ତାଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷାକୁ ନେଇ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ତାଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ। ରାଜନୀତିରେ ଉଚ୍ଚାକାଂକ୍ଷା ରଖିବା କ’ଣ ଅପରାଧ ବୋଲି ସେ ପ୍ରଶ୍ନ କରିବା ସହ ତାଙ୍କ ବାପାଙ୍କ ଯୋଗ୍ୟତା ଓ ରାଜନୈତିକ ଅଭିଜ୍ଞତାକୁ ନେଇ ଯୁକ୍ତି ରଖିଛନ୍ତି।
ସୋନିଆ ଗାନ୍ଧୀଙ୍କ ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ୨୦୧୦ ମସିହାର ଏକ ଘଟଣାର ଉଲ୍ଲେଖ ରହିଛି। ସେତେବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ। ସୋନିଆଙ୍କ ବର୍ଣ୍ଣନା ଅନୁଯାୟୀ, ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ଙ୍କ ସହ ପ୍ରଣବଙ୍କ ଗୁରୁତର ମତଭେଦ ରହିଥିଲା। ଏକଦା ଏହି ପ୍ରସଙ୍ଗରେ ଆଲୋଚନାବେଳେ ପ୍ରଣବ କହିଥିଲେ ଯେ ଶୀର୍ଷ ସ୍ତରରେ ପରିବର୍ତ୍ତନର ସମୟ ଆସିଛି। ଏହାକୁ ସୋନିଆ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଦୀର୍ଘଦିନର ଆକାଂକ୍ଷାର ସଙ୍କେତ ବୋଲି ବୁଝିଥିଲେ। ଏଥିରେ ସେ ଆଶ୍ଚର୍ଯ୍ୟ ହୋଇଥିବା ନିଜ ପୁସ୍ତକରେ ଲେଖିଛନ୍ତି। ତେବେ ସେ ଆଲୋଚନାର ଦିଗ ବଦଳାଇ ଦେଇଥିଲେ।
ଏହାର ପ୍ରତିକ୍ରିୟାରେ ଶର୍ମିଷ୍ଠା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ଦୀର୍ଘଦଶନ୍ଧିର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା, କଠିନ ପରିଶ୍ରମ ଏବଂ ପ୍ରଖର ବୁଦ୍ଧିମତ୍ତା ଥିବା ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଲେ ତାହା କ’ଣ ଅପରାଧ? ସେ କହିଛନ୍ତି, ଥରେ ସେ ନିଜ ବାପାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ଅଛି କି ବୋଲି ପଚାରିଥିଲେ। ଏହାର ଉତ୍ତରରେ ପ୍ରଣବ କହିଥିଲେ, ଯେକୌଣସି ଯୋଗ୍ୟ ରାଜନେତାଙ୍କର ଏଭଳି ଆକାଂକ୍ଷା ରହିଥାଏ।
ସୌଜନ୍ୟ ସମ୍ବାଦ




