China Landslide: ତିବ୍ଦତର ଜିରୋଙ୍ଗରେ ବଡ଼ ଧରଣର ଭୁସ୍ଖଳନ: ୱାଇ-୨୦ ସାମରିକ ବିମାନ ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ
ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଜିଗାଜେ ସିଟିର ଗାଇରୋଙ୍ଗ୍ କାଉଣ୍ଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହେବା ପରେ, ଚୀନ୍ ସରକାର ଏବଂ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ଏକ ସ୍ବତନ୍ତ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ବେଜିଂ: ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଜିଗାଜେ ସିଟିର ଗାଇରୋଙ୍ଗ୍ କାଉଣ୍ଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହେବା ପରେ, ଚୀନ୍ ସରକାର ଏବଂ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ଏକ ସ୍ବତନ୍ତ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଚୀନ୍ ଏହାର ଚାରି-ସ୍ତରୀୟ ଜରୁରୀକାଳୀନ ବ୍ୟବସ୍ଥା ମଧ୍ୟରୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଜରୁରୀକାଳୀନ ସ୍ତର ଜାରି କରିଛି। ସିନହୁଆ ରିପୋର୍ଟ ଅନୁଯାୟୀ, ଚୀନ୍ ସେନାର ପଶ୍ଚିମ ଥିଏଟର କମାଣ୍ଡ ବାୟୁସେନାର ଏକ ୱାଇ-୨୦ ସାମରିକ ପରିବହନ ବିମାନକୁ ଉଦ୍ଧାରକାରୀ ଦଳଙ୍କ ସହିତ ତିବ୍ଦତ ଅଭିମୁଖେ ପଠାଇଛି।
ବହୁ ସଂଖ୍ୟକ ମାନବଶକ୍ତି ନିୟୋଜିତ
ଏହି ଦଳ ପଶ୍ଚିମ ଥିଏଟର କମାଣ୍ଡ ନେତୃତ୍ୱରେ ପ୍ରଭାବିତ ଅଞ୍ଚଳରେ ପିପୁଲ୍ସ ଲିବରେସନ ଆର୍ମି ଦ୍ୱାରା ପରିଚାଳିତ ମିଳିତ ଉଦ୍ଧାର କାର୍ଯ୍ୟର ସମନ୍ୱୟ ଏବଂ ପରିଚାଳନା କରିବ।ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା କରିବା ପାଇଁ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ପ୍ରଭାବିତ ଅଞ୍ଚଳକୁ ଏକ କାର୍ଯ୍ୟକାରୀ ଦଳ ମଧ୍ୟ ପଠାଇଛି। ଏହା ସହିତ ଉଦ୍ଧାର କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ବହୁ ସଂଖ୍ୟକ ମାନବଶକ୍ତି ନିୟୋଜିତ କରାଯାଇଛି। ୫୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ଇଞ୍ଜିନିୟରିଂ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୪୯ ଜଣ ସ୍ବତନ୍ତ୍ର ଅଗ୍ନିଶମ କର୍ମଚାରୀଙ୍କୁ ମାଟିତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପଠାଯାଇଛି। ଆବର୍ଜନା ସଫା କରିବା ଏବଂ ଅବରୋଧିତ ରାସ୍ତା ଖୋଲିବା ପାଇଁ ଭାରୀ ଯନ୍ତ୍ରପାତି ସହିତ ଇଞ୍ଜିନିୟରିଂ ଉଦ୍ଧାର ଦଳର ୩୨୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ନେପାଳ ସୀମା ନିକଟରେ ଅବସ୍ଥିତ ଜିରୋଙ୍ଗ କାଉଣ୍ଟି, ସମ୍ପ୍ରତି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବହୁ କ୍ଷତି ସହିଛି। ଚୀନ୍ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା, ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ଏବଂ ଯୋଗାଯୋଗ ସୁବିଧା ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
ସୌଜନ୍ୟ ସମ୍ବାଦ




