ଦେଶ ବିଦେଶ

Chinese vloggers: ଚୀନ୍‌ ଭ୍ଲଗର୍‌ଙ୍କ ଭାରତ-ବିରୋଧୀ ଅଭିଯାନ: ଢାକା ବସ୍ତିକୁ ଦିଲ୍ଲୀ ଦର୍ଶାଇ ଚାଲିଛି ଲାଇଭ୍‌ ପ୍ରସାରଣ

ଭାରତର ଭାବମୂର୍ତ୍ତିକୁ ଆନ୍ତର୍ଜାତିକ ସ୍ତରରେ ମଳିନ କରିବା ପାଇଁ ଚୀନ୍‌ର କିଛି ଭ୍ଲଗର୍‌ ଏକ ସମନ୍ୱିତ ଅଭିଯାନ ଚଳାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ରାଜଧାନୀ ଢାକାର ଗରିବ ବସ୍ତି ଅଞ୍ଚଳର ଭିଡିଓ ଉତ୍ତୋଳନ କରି ସେଗୁଡ଼ିକୁ ନୂଆଦିଲ୍ଲୀର ଦୃଶ୍ୟ ବୋଲି ଚୀନ୍‌ର ସାମାଜିକ...

ନୂଆଦିଲ୍ଲୀ: ଭାରତର ଭାବମୂର୍ତ୍ତିକୁ ଆନ୍ତର୍ଜାତିକ ସ୍ତରରେ ମଳିନ କରିବା ପାଇଁ ଚୀନ୍‌ର କିଛି ଭ୍ଲଗର୍‌ ଏକ ସମନ୍ୱିତ ଅଭିଯାନ ଚଳାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ରାଜଧାନୀ ଢାକାର ଗରିବ ବସ୍ତି ଅଞ୍ଚଳର ଭିଡିଓ ଉତ୍ତୋଳନ କରି ସେଗୁଡ଼ିକୁ ନୂଆଦିଲ୍ଲୀର ଦୃଶ୍ୟ ବୋଲି ଚୀନ୍‌ର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଉଛି। ଏହା ସହିତ ଭାରତର ଜୀବନଧାରା, ପରିମଳ ବ୍ୟବସ୍ଥା, ଖାଦ୍ୟପେୟ ଓ ଦାରିଦ୍ର୍ୟକୁ ନେଇ ଅପମାନଜନକ ମନ୍ତବ୍ୟ ଦିଆଯାଉଛି।

ଏହି ଘଟଣା ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଉଦ୍‌ବେଗ ପ୍ରକାଶ କରିଛି। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏଭଳି ଉଦ୍ୟମ ଦୁର୍ଭାଗ୍ୟଜନକ। କୌଣସି ଦେଶର ଭୁଲ୍‌ ଚିତ୍ର ଉପସ୍ଥାପନ କରିବା ଦ୍ୱାରା ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ଓ ଏହା ପଛରେ ଥିବା ଲୋକଙ୍କ ବିଶ୍ୱସନୀୟତା କ୍ଷୁଣ୍ଣ ହୁଏ। ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ବାଂଲାଦେଶର ଖବରକାଗଜ ‘ପ୍ରଥମ ଆଲୋ’ର ଅନୁସନ୍ଧାନ ଅନୁଯାୟୀ, ଢାକାର ଉତ୍ତରା ଅଞ୍ଚଳର ସେକ୍ଟର ୧୨ ଓ ନିକଟସ୍ଥ ଟେକପାରାରେ ଏଭଳି ଭିଡିଓ ଉତ୍ତୋଳନ ଚାଲିଛି। ସ୍ଥାନୀୟ ବାସିନ୍ଦାଙ୍କ ଆକଳନ ଅନୁସାରେ, ଏଥିରେ ୧୫୦ରୁ ଅଧିକ ଚୀନ୍‌ ନାଗରିକ ସମ୍ପୃକ୍ତ ଅଛନ୍ତି। ସେମାନେ ଦୁଇଟି ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଘଣ୍ଟା ଘଣ୍ଟା ଧରି ଲାଇଭ୍‌ ପ୍ରସାରଣ କରୁଛନ୍ତି।

‘ମିଆନ୍‌ମିଆନ୍‌’ ନାମକ ଜଣେ ଚୀନ୍‌ ମହିଳା ନଭେମ୍ବର ୧ରେ ଉତ୍ତରାର ଏକ କେନାଲ୍‌ ପାଖରେ ଲାଇଭ୍‌ କରି ସେହି ଅଞ୍ଚଳକୁ ନୂଆଦିଲ୍ଲୀ ବୋଲି ପରିଚୟ ଦେଇଥିଲେ। ସେଠାକାର ଘରଦ୍ୱାର ଓ ପରିବେଶକୁ ଅପରିଷ୍କାର ଏବଂ ଅନୁନ୍ନତ ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟ ଜଣେ ଭ୍ଲଗର୍‌ ଟେକପାରାର ଚା’ ଦୋକାନରେ ଲାଇଭ୍‌ କରି ସ୍ଥାନୀୟ ଲୋକଙ୍କ ଚା’କୁ ‘ଗୋମୂତ୍ରରେ ପ୍ରସ୍ତୁତ’ ବୋଲି ଅପମାନଜନକ ମନ୍ତବ୍ୟ ଦେଇଥିବା ରିପୋର୍ଟରେ କୁହାଯାଇଛି।

ତେବେ ଏହି ଭିଡିଓ ପଛରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟତା ନାହିଁ। ଜଣେ ଚୀନ୍‌ ନାଗରିକ ଏହାକୁ ‘ଉଇଚାଟ୍‌’ ମାଧ୍ୟମରେ ଉତ୍ପାଦ ପ୍ରଚାର କାର୍ଯ୍ୟକ୍ରମ ବୋଲି କହିଛନ୍ତି। ‘ଡୋଇନ୍‌’ ଭଳି ଚୀନ୍‌ର ଡିଜିଟାଲ୍‌ ମଞ୍ଚରେ ମଧ୍ୟ ଏହି ଭିଡିଓ ପ୍ରସାରିତ ହେଉଛି। ଅନ୍ୟପକ୍ଷରେ, ସ୍ଥାନୀୟ ବାସିନ୍ଦାଙ୍କ ଅନୁମତି ବିନା ଘର ଭିତରେ ମଧ୍ୟ ଭିଡିଓ ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଢାକାର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ଘଟଣା ଭୁଲ୍‌ ତଥ୍ୟ ପ୍ରସାର ଓ ସାମାଜିକ ଗଣମାଧ୍ୟମରେ ଦେଶର ଭାବମୂର୍ତ୍ତି ବିକୃତ କରିବାର ନୂଆ ଆହ୍ୱାନକୁ ସାମ୍ନାକୁ ଆଣିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button