କଟକ: ଚୌଦ୍ବାର ସର୍କଲ ଜେଲ୍ର ତତ୍କାଳୀନ ଜେଲର ସନ୍ତୋଷିିନୀ ଦାଶଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ଥାନା ପୁଲିସ ତନାଘନା ଆରମ୍ଭ କରିଛି। ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ହ୍ବାଟ୍ସଆପରେ ସନ୍ତୋଷିନୀଙ୍କୁ ଦେଇଥିବା ମେସେଜ୍ ପୁଲିସ ଜବତ କରିଛି। ଏହା ସହିତ କଲ୍ ଡିଟେଲ୍ ରେକର୍ଡ ମଧ୍ୟ ପୁଲିସ ଜବତ କରି ଏହାକୁ ଅନୁଧ୍ୟାନ ଚଳାଇଛି।
ପୁଲିସ ହାତରେ ସୁଜିତଙ୍କ ହ୍ବାଟ୍ସଆପ ମେସେଜ୍
ଚୌଦ୍ବାର ଥାନାରେ ସନ୍ତୋଷିନୀ ଦାଶ ୨୦୨୬ ଜାନୁଆରି ୧୭ ତାରିଖରେ ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ କରିଥିଲେ। ପୁଲିସ ଗତ ୨୦ ତାରିଖରେ ସୁଜିତଙ୍କୁ ଗିରଫ କରିବା ପରେ ସେଦିନ ବିଳମ୍ବିତ ରାତିରେ ଜେଲ୍ ଡିଜି, ଜେଲ୍ ମୁଖ୍ୟାଳୟ ଡିଆଇଜି ଓ କଟକ ରେଞ୍ଜ ଡିଆଇଜିଙ୍କ ବିରୋଧରେ ଶ୍ରୀମତୀ ଦାଶ ମାମଲା ପ୍ରତ୍ୟାହାର ପାଇଁ ଚାପ ଅଭିଯୋଗ ଆଣିଥିଲେ। ଏହି ଘଟଣାର ତଦନ୍ତ ସମୟରେ ପୁଲିସ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି।
ସେପ୍ଟେମ୍ବର ୭ ଓ ୮ ତାରିଖରେ ଶ୍ରୀମତୀ ଦାଶ ଭୁବନେଶ୍ବର ଜେଲ୍ ଡିଜିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଚାପ ପ୍ରୟୋଗ କରାଯାଇଥିଲା। ମାମଲା ପ୍ରତ୍ୟାହାର କଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ବଦଳି ନିର୍ଦ୍ଦେଶକୁ ବାତିଲ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶ୍ରୀମତୀ ଦାଶ ଏଭଳି ପ୍ରସ୍ତାବରେ ରାଜି ନ ହୋଇ ଫେରି ଆସିବା ପରେ ସେପ୍ଟେମ୍ବର ୧୦ ତାରିଖ ରାତି ପ୍ରାୟ ୧୦ଟା ବେଳେ ଜେଲ୍ ଅଧୀକ୍ଷକ ହ୍ବାଟ୍ସଆପରେ ଏକ ତିନିପୃଷ୍ଠାର ଆଫିଡେଭିଟ୍ ନକଲ ପଠାଇଥିଲେ। ଏଥିରେ ରାଜି ହୋଇ ତାଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିଲା। ଏହି ଆଫିଡେଭିଟ୍ ଓ ହ୍ବାଟ୍ସଆପ ଚାଟିଂ ପୁଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟାରେ ଚୌଦ୍ବାର ଥାନା ପୁଲିସ ସୁଜିତଙ୍କୁ ଭୁବନେଶ୍ବର ସହିଦନଗର ଘରୁ ଗିରଫ କରିଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଚୌଦ୍ବାର ଜେଲ୍ ପଠାଇଥିଲା। କିନ୍ତୁ ଗୁରୁବାର ରାତି ସୁଦ୍ଧା ତାଙ୍କୁ ଜେଲ୍ ବିଭାଗ ଚାକିରିରୁ ନିଲମ୍ବନ କଲା ନାହିଁ। ଏବେ ସେ ନିଜର ଅସୁସ୍ଥତା ଦର୍ଶାଇ ଏସ୍ସିବି ମେଡିକାଲର ନନ୍ ଟ୍ରମା ଆଇସିୟୁର ଏକ କ୍ୟାବିିନରେ ଚିକିତ୍ସିତ ହେଉଛନ୍ତି। ସରକାରୀ ନିୟମ ଅନୁଯାୟୀ ଜଣେ ସରକାରୀ ଅଧିକାରୀ କୌଣସି ମାମଲାରେ ଗିରଫ ହେଲେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଲମ୍ବନ କରିବାର ବ୍ୟବସ୍ଥା ରହିଥିବା ବେଳେ ପରବର୍ତ୍ତୀ ସମୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଶ୍ରୀ ରାଉଳଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।
ସୌଜନ୍ୟ ସମ୍ବାଦ