ରାଜ୍ୟ

Chromite: ୨୦ କୋଟିରୁ ଅଧିକ କ୍ରୋମାଇଟ୍‌ ଚୋରି: ଅନୁମତି ୨.୩ ଲକ୍ଷ ଟନ୍‌, ଉତ୍ତୋଳନ ୨.୩୯ ଲକ୍ଷ ଟନ୍‌

ସୁକିନ୍ଦା-କାଳିଆପାଣିର କ୍ରୋମାଇଟ୍‌ ଖଣିରୁ ଶହଶହ କୋଟି ଟଙ୍କାର କ୍ରୋମାଇଟ୍‌ ଲୁଟ୍‌ ହେବା ସହ ସିଓବିଟି କାରଖାନାରେ ଲୋଗ୍ରେଡ୍‌ ବା କମ୍‌ମାନର କ୍ରୋମାଇଟ୍‌ ଖେଳରେ ଅର୍ଥ ଲୁଟ୍‌ ହେଉଛି। ସିଣ୍ଡିକେଟ୍‌କୁ ଟନ୍‌ ପିଛା ୬୦୦ ଦେଇ କୋଟିକୋଟିର ମୁନାଫା କରାଯାଉଛି।

ଯାଜପୁର: ସୁକିନ୍ଦା-କାଳିଆପାଣିର କ୍ରୋମାଇଟ୍‌ ଖଣିରୁ ଶହଶହ କୋଟି ଟଙ୍କାର କ୍ରୋମାଇଟ୍‌ ଲୁଟ୍‌ ହେବା ସହ ସିଓବିଟି କାରଖାନାରେ ଲୋଗ୍ରେଡ୍‌ ବା କମ୍‌ମାନର କ୍ରୋମାଇଟ୍‌ ଖେଳରେ ଅର୍ଥ ଲୁଟ୍‌ ହେଉଛି। ସିଣ୍ଡିକେଟ୍‌କୁ ଟନ୍‌ ପିଛା ୬୦୦ ଦେଇ କୋଟିକୋଟିର ମୁନାଫା କରାଯାଉଛି। ‌ଟେଣ୍ଡର ଫିକ୍ସିଂ ବା ଲୋଗ୍ରେଡ୍‌ କ୍ରୋମାଇଟ୍‌ ଦର ବୃଦ୍ଧି ନ କରି ସିଣ୍ଡିକେଟ୍‌ ଲାଭବାନ ହେଉଥିବା ଅଭିଯୋଗ ପରେ ଏବେ କ୍ରୋମାଇଟ୍‌ ଚୋରି ବା ବେଆଇନ କ୍ରୋମାଇଟ୍‌ ଉତ୍ତୋଳନର ସାଂଘାତିକ ଅଭିଯୋଗ ସାମନାକୁ ଆସିଛି। ଅନୁମତିଠାରୁ ଅଧିକ କ୍ରୋମାଇଟ୍‌ ଉତ୍ପାଦନ କରାଯାଇଥିବା ‌ନେଇ ରାଜ୍ୟ ସରକାରଙ୍କ ପିଏସି (ପ୍ରିନସିପାଲ ଆକାଉଣ୍ଟସ୍‌ ଜେନେରାଲ) ଅଡିଟ୍‌-୨ରେ ଏଭଳି ଏକ ସାଂଘାତିକ ଚୋରି ବା ବେଆଇନ କ୍ରୋମ୍‌ ଉତ୍ତୋଳନକୁ ଧରିଛନ୍ତି। ୨୦୨୪ରୁ ଏହି ଚୋରି ଧରାପଡ଼ିଥିଲେ ବି ସଂପୃକ୍ତ ସଂସ୍ଥାଠାରୁ ବେଆଇନ ଭାବେ ଉତ୍ତୋଳନ ହୋଇଥିବା କ୍ରୋମାଇଟ୍‌ ଅର୍ଥ ଆଦାୟ କରାଯାଇନାହିଁ। ଏଭଳି ବେଆଇନ କାର୍ଯ୍ୟ କରିଥିବା କାଳିଆପାଣିର ଓସ୍ତପାଳ କ୍ରୋମାଇଟ୍‌ ମାଇନ୍‌ସର ମାଲିକ ଫେକ୍‌ର ପ୍ରାଇଭେଟ୍‌ ଲିମିଟେଡ୍‌ ବେଧଡ଼କ ଖଣି ଚଳାଇଛନ୍ତି। ଆଜି ଯାଜପୁରରୋଡ୍‌ ସର୍କଲ ଖଣି ଉପନିର୍ଦେଶକ ସଂପୃକ୍ତ ସଂସ୍ଥାର ମ୍ୟାନେଜରଙ୍କୁ ହାଜର ପାଇଁ ଚିଠି ଲେଖିଥିଲେ। ଏପରିକି ଏହାକୁ ଶେଷ ସୁଯୋଗ ବୋଲି କଡ଼ା ଭାଷାରେ କୁହାଯାଇଛି। ଅନ୍ୟପକ୍ଷରେ ଏମଏମଡିଆର ଆକ୍ଟ-୧୯୫୭ ଅନୁସାରେ ଏହା ବେଆଇନ ବୋଲି ଉଲ୍ଲେଖ ଥିବାବେଳେ ଏଭଳି ଚୋରିକୁ କିଭଳି ପ୍ରଶ୍ରୟ ଦିଆଯାଉଛି ତାକୁ ‌ନେଇ ପ୍ରଶ୍ନ ଉଠିଛି।

ଅନୁମତି ୨.୩ ଲକ୍ଷ ଟନ୍‌, ଉତ୍ତୋଳନ ୨.୩୯ ଲକ୍ଷ ଟନ୍‌
ଧରିଛି ପିଏସି ଅଡିଟ୍‌, ଖଣି କର୍ତ୍ତୃପକ୍ଷଙ୍କୁ ହାଜର ପାଇଁ ଚିଠି

ଯାଜପୁରରୋଡ୍‌ ଖଣି ଉପନିର୍ଦେଶକ କାଳିଆପାଣିର ଓସ୍ତପାଳ କ୍ରୋମାଇଟ୍‌ ମାଇନ୍‌ସ ନେଇଥିବା ଫେକ୍‌ର ଲିମିଟେଡ୍‌କୁ ନଭେମ୍ବର ୧୧ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ଚିଠି ଲେଖିବା ପରେ ଏହି ଘଟଣା ସାମନାକୁ ଆସିଛି। ଚିଠିରେ ଡିଡିଏମ୍‌ ଉଲ୍ଲେଖ କରିଛନ୍ତି କି ଓସ୍ତପାଳ ଖଣି ମାଲିକଙ୍କୁ ଯେତିକି ସିଟିଓ (କନ୍‌ସେଣ୍ଟ୍‌ ଟୁ ଅପରେଟ୍‌) ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅନୁମତି ଦେଇଥିଲେ ତା’ଠାରୁ ଢେର ଅଧିକ କ୍ରୋମାଇଟ୍‌ ଉତ୍ତୋଳନ କରାଯାଇଛି। ପିଏସି ଅଡିଟ୍‌ ଅନୁସାରେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୨ଲକ୍ଷ ୩୦ ହଜାର ମେଟ୍ରିକ୍‌ ଟନ୍‌ ସିଟିଓ ବା କନ୍‌ସେଣ୍ଟ ଟୁ ଅପରେଟ୍‌ ପାଇଁ ଅନୁମତି ଥିବାବେଳେ ଏହି ଖଣିରୁ ୨ ଲକ୍ଷ ୩୯ ହଜାର ୯୫୧ ମେଟ୍ରିକ୍‌ ଟନ୍ କ୍ରୋମାଇଟ୍‌ ଉତ୍ତୋଳନ କରାଯାଇଛି। ଯାହା ଅନୁମତିଠାରୁ ୯ ହଜାର ୯୫୧ମେଟ୍ରିକ୍‌ ଟନ୍‌ ଅଧିକ।  ଏମ୍‌ଏମ୍‌ଡିଆର ୧୯୫୭ ଅନୁସାରେ ଏହା ବେଆଇନ ବା ଏହା ଏକ ଚୋରି ବୋଲି କୁହାଯାଇପାରିବ। ପିଏସି ଏହି ଚୋରି ଧରିବା ପରେ ଗତ ୨.୭.୨୦୨୪ରେ ଏ ନେଇ ଖଣି କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିଲା। ଖଣି ଲିଜ୍‌ ନେଇଥିବା କର୍ତ୍ତୃପକ୍ଷ ମଧ୍ୟ ସେହିମାସ ୧୫ ତାରିଖରେ ଏହାର ଉତ୍ତର ରଖିଥିଲେ। ମାତ୍ର ସେ ଉତ୍ତର ସନ୍ତୋଷଜନକ ନଥିବାରୁ ଖଣି ଉପନିର୍ଦେଶକ ଗତ ୬ ତାରିଖରେ ଚିଠି ନମ୍ବର ୨୮୧୯ରେ ଓସ୍ତପାଳ ଖଣି ଲିଜ୍‌ ନେଇଥିବା ଫେକର ଲିମି‌‌ଟେଡ୍‌କୁ ନଭେମ୍ବର ୧୧ରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସ୍‌ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଗତ ଦୁଇବର୍ଷ ତଳୁ ପାଖାପାଖି ୨୦ କୋଟି ଟଙ୍କାରୁ ଅଧିକ କ୍ରୋମାଇଟ୍‌ ଚୋରି ବା ମାତ୍ରାଧିକ ଉତ୍ତୋଳନକୁ ନିଜେ ପିଏସି ଅଡିଟ୍‌ ଧରିଥିବାବେଳେ ଖଣି ବିଭାଗ କାହିଁକି ଚୁପ୍‌ ହୋଇ ବସିଛି? ଏ ସଂପର୍କରେ ଖଣି ବିଭାଗର ଅଧିକାରୀଙ୍କୁ ପଚାରିବାରୁ ଏହାକୁ ଗୁରୁତ୍ବ ଦିଆଯାଉଛି, ସେଥିପାଇଁ ଚିଠି କରାଯାଇଥିବା କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button