CJP: ଆସାମ ବୈଠକ ପୂର୍ବରୁ ସିଜେପି ନେତା ଅଟକ
ଆସାମରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି।

ଗୁଆହାଟୀ: ଆସାମରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି। ରାଜ୍ୟରେ ସଙ୍ଗଠନର ପ୍ରଥମ ଆଞ୍ଚଳିକ ସ୍ୱେଚ୍ଛାସେବୀ ବୈଠକ ଆୟୋଜନ ପୂର୍ବରୁ ଦଳର ସହ-ଆବାହକ ଆଶୁତୋଷ ରାଙ୍କାଙ୍କ ସମେତ ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କୁ ଆସାମ ପୁଲିସ ଅଟକ ରଖିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ତୀବ୍ର ସମାଲୋଚନା କରି ରାଙ୍କା କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ସିଜେପିକୁ ଦେଖି ଡରି ଯାଇଛନ୍ତି । ଏହି ଭୟ ଯୋଗୁଁ ଏକ ବେସରକାରୀ ସ୍ଥାନରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ସମ୍ମିଳନୀ ପୂର୍ବରୁ ସେମାନଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି।
ଆଶୁତୋଷ ରାଙ୍କା ନିଜ ଅଟକ ପରେ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଛନ୍ତି ଯେ ଆମେ ଆସାମର ପ୍ରକୃତ ସ୍ଥିତି ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଥିଲୁ। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ଦୁରବସ୍ଥା, କାଜିରଙ୍ଗାର ବାସ୍ତବତା ଏବଂ ଆସାମରେ ହେଉଥିବା ମନୁଷ୍ୟକୃତ ବନ୍ୟା ପରିସ୍ଥିତିର ରହସ୍ୟ ଖୋଲିବା ଆମର ଉଦ୍ଦେଶ୍ୟ ଥିଲା। ମୁଖ୍ୟମନ୍ତ୍ରୀ ପୁଲିସ ଲଗାଇ ଆମ ସଦସ୍ୟମାନଙ୍କୁ ଧମକ ଦେବା ସହ ଅଟକ ରଖିଛନ୍ତି। କିନ୍ତୁ ଏଭଳି ଭୟଭୀତକରିବା ସହଜ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି। ସଙ୍ଗଠନର ସ୍ଥିତି ମଜବୁତ କରିବା ପାଇଁ ଶନିବାର ସେ ଗୁଆହାଟୀରେ ପହଞ୍ଚି ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିବାର ଚିଠା ପ୍ରସ୍ତୁତ କରିଥିଲେ।
ସୌଜନ୍ୟ ସମ୍ବାଦ




