India Banking System: ବ୍ରିଟେନ୍ରେ ବ୍ୟାଙ୍କିଂ ସେବା ଠପ୍, ଭାରତରେ ଏମିତି ସ୍ଥିତି ଆସିଲେ କ’ଣ ହେବ ?

ନୂଆଦିଲ୍ଲୀ, ୨୧।୧୦: ନିକଟରେ ବ୍ରିଟେନରେ ଗୁଗଲ୍ କ୍ଲାଉଡ୍ର ସେବା ଠପ୍ ହୋଇଯାଇଥିଲା । ଯାହା ଫଳରେ ସେଠାକାର ସମଗ୍ର ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହି ବଡ଼ଧରଣର ବୈଷୟିକ ତ୍ରୁଟି ଅନଲାଇନ ପେମେଣ୍ଟ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବାକୁ ବନ୍ଦ କରିଦେଇଥିଲା, ଯାହା ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଭାରତ ଭଳି ଏକ ବିଶାଳ ଦେଶରେ ମଧ୍ୟ ଏପରି ସଙ୍କଟ ଆସିପାରେ କି ବୋଲି ପ୍ରଶ୍ନ ଉଠିଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା ନିୟମ ଯୋଗୁଁ ଭାରତର ବ୍ୟାଙ୍କିଙ୍ଗ୍ ଢାଞ୍ଚା କିପରି ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ରହିଛି, ତାହା ଏଠାରେ ଆଲୋଚନା କରାଯାଇଛି ।
ବ୍ରିଟେନରେ ବ୍ୟାଙ୍କିଙ୍ଗ୍ ସେକ୍ଟର ଠପ୍ ହେବାର ପ୍ରକୃତ କାରଣ:
ବ୍ରିଟେନର ଲଣ୍ଡନସ୍ଥିତ ଗୁଗଲ୍ କ୍ଲାଉଡ୍ ଡାଟା ସେଣ୍ଟରରେ ବିଦ୍ୟୁତ୍ ଯୋଗାଣକୁ ନେଇ ଏକ ବଡ଼ ବୈଷୟିକ ଦେଖାଦେଇଥିଲା । ଏହି ବାଧା ଯୋଗୁଁ ରିଭୋଲୁଟ୍, ଏଚ୍ଏସ୍ବିସି ଏବଂ ଲଏଡ୍ସ ବ୍ୟାଙ୍କ ଭଳି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସେବା ହଠାତ୍ ବାଧାପ୍ରାପ୍ତ ହୋଇଥିଲା । ସବୁଠାରୁ ବଡ଼ ଦୁର୍ବଳତା ଏହା ଥିଲା ଯେ, ସେହି ଅଞ୍ଚଳରେ ଗୁଗଲ୍ର କେବଳ ଗୋଟିଏ ମାତ୍ର କ୍ଲାଉଡ୍ ରିଜନ୍ ସକ୍ରିୟ ଥିଲା । ଯେତେବେଳେ ମୁଖ୍ୟ ଡାଟା ସେଣ୍ଟର ଫେଲ୍ ହେଲା, ସେତେବେଳେ ବ୍ୟାକଅପ୍ ପାଇଁ ଅନ୍ୟ କୌଣସି ସ୍ଥାନୀୟ ବିକଳ୍ପ ନ ଥିବାରୁ ସମଗ୍ର ବ୍ୟାଙ୍କିଙ୍ଗ୍ ସିଷ୍ଟମ ନିମିଷକ ମଧ୍ୟରେ ଠପ୍ ହୋଇଗଲା ।
ଡାଟା ଲୋକାଲାଇଜେସନ୍ ଏବଂ ମଲ୍ଟିପଲ୍ କ୍ଲାଉଡ୍ ରିଜନ୍:
ଭାରତୀୟ ବ୍ୟାଙ୍କିଙ୍ଗ୍ ପ୍ରଣାଳୀକୁ ଏପରି ସଙ୍କଟରୁ ସୁରକ୍ଷିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅତ୍ୟନ୍ତ କଡ଼ା ଏବଂ ସ୍ପଷ୍ଟ ନିୟମ ଧାର୍ଯ୍ୟ କରିଛି । ଭାରତର ସମସ୍ତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଗ୍ରାହକଙ୍କ ସମସ୍ତ ଆର୍ଥିକ ତଥ୍ୟ ଦେଶର ଭୌଗୋଳିକ ସୀମା ଭିତରେ ହିଁ ସୁରକ୍ଷିତ ରଖିବା ବାଧ୍ୟତାମୂଳକ କରାଯାଇଛି । ବାହାର ଦେଶ ଉପରେ ନିର୍ଭରଶୀଳତା ନଥିବାରୁ ବାହ୍ୟ ବୈଷୟିକ ତ୍ରୁଟିଗୁଡ଼ିକର ପ୍ରଭାବ ଏଠାକାର ସିଷ୍ଟମ ଉପରେ ପଡ଼େ ନାହିଁ । ଏହାଛାଡ଼ା, ଗୁଗଲ୍ କ୍ଲାଉଡ୍, ଆମାଜନ୍ ୱେବ୍ ସର୍ଭିସେସ୍ ଏବଂ ମାଇକ୍ରୋସଫ୍ଟ ଆଜ୍ୟୁର୍ ଭଳି ବଡ଼ କମ୍ପାନୀଗୁଡ଼ିକର ଡାଟା ସେଣ୍ଟର ମୁମ୍ବାଇ, ଦିଲ୍ଲୀ-NCR, ପୁଣେ ଏବଂ ହାଇଦ୍ରାବାଦ ଭଳି ଭିନ୍ନ ଭିନ୍ନ ସହରରେ ବିସ୍ତାରିତ ହୋଇ ରହିଛି । ଯଦି କୌଣସି ଗୋଟିଏ ସହରର ସର୍ଭରରେ ସମସ୍ୟା ଦେଖାଦିଏ, ତେବେ ଟ୍ରାଫିକ ବିନା କୌଣସି ବିଳମ୍ବରେ ଅନ୍ୟ ସହରର ସର୍ଭରକୁ ସ୍ଥାନାନ୍ତରିତ ହୋଇଯାଏ ।
ସୌଜନ୍ୟ ପ୍ରମେୟ



