ମହାନଗର

Climate Panchayat: ଜିରୋ ପ୍ଲାଷ୍ଟିକ୍‌ ୱାର୍ଡକୁ ଅଧିକ ଅନୁଦାନ: ବିଧାୟକ

ବର୍ତ୍ତମାନ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ଆମ ପରିବେଶ ପାଇଁ ବଡ଼ ଶତ୍ରୁ ପାଲଟିଛି। ପ୍ଲାଷ୍ଟିକ୍‌ର ‌ବ୍ୟବହାର ପରେ ଆମେ ଯେଉଁଠି ପାରୁଛେ, ସେଠାରେ ଫିଙ୍ଗି ଦେଉଛେ। ଫଳରେ କେନାଲ, ଡ୍ରେନ୍‌, କୂଅ, ପୋଖରୀ ଆଦି ପ୍ରଦୂଷିତ ହେଉଛି।

ଭୁବନେଶ୍ବର (କେଶବ ପାଣି): ବର୍ତ୍ତମାନ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ଆମ ପରିବେଶ ପାଇଁ ବଡ଼ ଶତ୍ରୁ ପାଲଟିଛି। ପ୍ଲାଷ୍ଟିକ୍‌ର ‌ବ୍ୟବହାର ପରେ ଆମେ ଯେଉଁଠି ପାରୁଛେ, ସେଠାରେ ଫିଙ୍ଗି ଦେଉଛେ। ଫଳରେ କେନାଲ, ଡ୍ରେନ୍‌, କୂଅ, ପୋଖରୀ ଆଦି ପ୍ରଦୂଷିତ ହେଉଛି। ପ୍ରାକୃତିକ ଉପାୟରେ ଏହାର ବିଘଟନହଉ ନଥିବାରୁ, ଚାଷଜମି ମଧ୍ୟ ପ୍ରଭାବିତ ହେଉଛି। ଗୋରୁଗାଈ ପ୍ଲାଷ୍ଟିକ୍‌ ଖାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହା ଦ୍ବାରା ଆମ ପରିବେଶ ଅକଳ୍ପନୀୟ ‌କ୍ଷତି ସହୁଛି। ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା। ପରିବେଶ ସମ୍ପର୍କରେ ପ୍ରତ୍ୟେକ ଘରେ ଚର୍ଚ୍ଚା ହେବା ଜରୁରି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଗାଡ଼କଣ କୋଠଘରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ବିଧାୟକ ସୁଶାନ୍ତ କୁମାର ରାଉତ ଏହା କହିଛନ୍ତି।

ଏହି ଅବସରରେ ବିଧାୟକ ଶ୍ରୀ ରାଉତ ଘୋଷଣା କରିଛନ୍ତି ଯେ ଯେଉଁ ୱାର୍ଡ ବା , ପଞ୍ଚାୟତ ପ୍ଲାଷ୍ଟିକ୍‌ମୁକ୍ତ ଅର୍ଥାତ୍‌ ଜିରୋ ପ୍ଲାଷ୍ଟିକ୍‌ ୱାର୍ଡକୁ ଅଧିକ ଅନୁଦାନ ପ୍ରଦାନ କରାଯିବ। ‘ସମ୍ବାଦ’ର ଏଭଳି ଜନକଲ୍ୟାଣକାରୀ ଅଭିଯାନକୁ ବିଧାୟକ ଶ୍ରୀ ରାଉତ ପ୍ରଶଂସା କରିଥିଲେ।

ଅନ୍ୟତମ ଅତିଥି ବିଏମ୍‌ସି ମେୟର୍‌ ସୁଲୋଚନା ଦାସ କହିଲେ, ପ୍ରକୃତି ଉପରେ ଆମର ଅତ୍ୟାଚାର ଏତେ ବଢ଼ିଯାଇଛି ଯେ ପ୍ରକୃତି ଆମକୁ ସତର୍କ କରିସାରିଲାଣି। ଛଅ ଋତୁ ବଦଳରେ କେବଳ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁ ଅନୁଭୂତ ହେଉଛି। ଏଣୁ ବେଳ ହୁଁ ସାବଧାନ ନହେଲେ ବିପର୍ଯ୍ୟୟ ମାଡ଼ିଆସିବ। ନିଜ ଅଞ୍ଚଳରେ ଯେଭଳି ଅଳିଆ, ଆବର୍ଜନା ପଡ଼ି ଦୂଷିତ ନହୁଏ, ସେଥିପ୍ରତି ନିଜେ ସଚେତନ ହେବା ସହ ଅନ୍ୟକୁ ବି ସଚେତନ କରିବା ଜରୁରି। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ବ ନୁହେଁ, ଏହା ଏକ ସାମୂହିକ ପ୍ରୟାସ। ପରିବେଶ ସୁରକ୍ଷା ଲାଗି ନାଗରିକ ସମାଜ ଆଗେଇ ଆସିବାକୁ ମେୟର୍‌ ପରାମର୍ଶ ଦେଇଥିଲେ। ସେହିଭଳି ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ସଚେତନତାର ଆବଶ୍ୟକତା ସମ୍ପର୍କରେ ମେୟର୍‌ ଶ୍ରୀମତୀ ଦାସ ବକ୍ତବ୍ୟ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button