Nepal Flood Tragedy: ବରଗଡ଼ର ଗୁନ୍ନମ ପରିବାର ନିଖୋଜ,ଜଳବିଦ୍ୟୁତ୍ ପ୍ରକଳ୍ପରେ କାମ କରୁଥିବା ଜୟକ୍ରିଷ୍ଣ, ସ୍ତ୍ରୀ, ଝିଅଙ୍କ ପତ୍ତା ମିଳୁନି

ବରଗଡ଼, ୨୯\୮: ନେପାଳ ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି ବରଗଡ଼ ସଦର ବ୍ଲକ ସର୍ଲା ଜାମପାଲିର ଗୁନ୍ନମ ପରିବାରର ତିନି ସଦସ୍ୟ । ଗୁନ୍ନମ ଜୟକ୍ରିଷ୍ଣା, ସ୍ତ୍ରୀ ଗୁନ୍ନମ ସାଇବିନ୍ଦୁ କୁମାରୀ ଓ ୨ ବର୍ଷର ଝିଅ ହର୍ଷିତାଙ୍କ ଖୋଜଖବର ମିଳୁନାହିଁ । ଯାହାକୁ ନେଇ ପରିବାର ସଦସ୍ୟ ଆଶଙ୍କିତ ଅବସ୍ଥାରେ ଅଛନ୍ତି । ନେପାଳର ଜଳବିଦ୍ୟୁତ୍ ପ୍ରକଳ୍ପରେ କାମ କରୁଥିଲେ ଗୁନ୍ନମ ଜୟକ୍ରିଷ୍ଣା । ସପରିବାର ସେଠାରେ ରହୁଥିଲେ । ପରିବାର ଲୋକଙ୍କ ସହ ସବୁଦିନ ଫୋନ୍ ରେ କଥାବାର୍ତ୍ତା ହେଉଥିଲେ । ହେଲେ ବନ୍ୟା ପରଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ଏହି ଘଟଣାକୁ ନେଇ ଆତଙ୍କିତ ପରିବାର ସଦସ୍ୟ ଶୁକ୍ରବାର ଜିଲ୍ଲା ପ୍ରଶାସନକୁ ଫେରାଦ ହୋଇଛନ୍ତି ।
ଜୟକ୍ରିଷ୍ଣାଙ୍କ ପିତା ଗୁନ୍ନମ ଭୋରା ଭେଙ୍କଟରାଓ ଉପଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଉପଜିଲ୍ଲାପାଳ ତାଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟକୁ ପଠାଇବା ପରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି, ନିଖୋଜ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନରୁ ଉଦ୍ୟମ ଆରମ୍ଭ ହୋଇଛି ।
ସୌଜନ୍ୟ ପ୍ରମେୟ




