College Principal Death Threat: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହଇଚଇ; କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ, ଗେଟ୍ରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର

ବିନିକା, ୧୪।୧୦: ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । କିନ୍ତୁ, ଏହା ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ଏକ ବଡ଼ଧରଣର ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ବିଳମ୍ବିତ ରାତିରେ କଲେଜର ଅଧ୍ୟକ୍ଷଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି କିଛି ଦୁର୍ବୃତ୍ତ କଲେଜର ମୁଖ୍ୟ ଫାଟକରେ ଏକ ଧଳା କପଡ଼ା ଟାଙ୍ଗି ଦେଇଥିଲେ । ସେହି କପଡ଼ା ଉପରେ ଅଧ୍ୟକ୍ଷଙ୍କୁ ଉଦ୍ଦେଶ୍ୟ କରି ବିଭିନ୍ନ ଧମକପୂର୍ଣ୍ଣ କଥା ଲେଖାଯାଇଥିଲା । ପୋଷ୍ଟରରେ ଅଭିଯୋଗ କରାଯାଇଛି ଯେ, ଅଧ୍ୟକ୍ଷ ଜଣକ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ କୌଣସି ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ କିମ୍ବା ଦଳକୁ ସମର୍ଥନ କରୁଛନ୍ତି ।
ଧମକପୂର୍ଣ୍ଣ ବାର୍ତ୍ତାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, “ଆଗାମୀ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଦୂରେଇ ରୁହ, ନଚେତ୍ ତୁମକୁ ହତ୍ୟା କରାଯିବ ।” ନିର୍ବାଚନ ପୂର୍ବରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର କଲେଜ ପରିସରରେ ଭୟର ବାତାବରଣ ଖେଳିଯାଇଛି । ଅଧ୍ୟକ୍ଷଙ୍କ ସୁରକ୍ଷାକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ପଛରେ କେଉଁ ଛାତ୍ର ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ହାତ ରହିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଲେଜ ଗେଟ୍ରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ପାଖାପାଖି ଅଞ୍ଚଳରୁ ସୁରାକ ହାତେଇବାକୁ ପୁଲିସ ପ୍ରୟାସ ଜାରି ରଖିଛି ।
ସୌଜନ୍ୟ ପ୍ରମେୟ




