ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଜିଲ୍ଲାର ରିଷଭଦେବ ପୁଲିସ ଜାତୀୟ ପକ୍ଷୀ ମୟୂର ଶିକାର ଏବଂ ରାନ୍ଧିବା ଅଭିଯୋଗରେ କଂଗ୍ରେସର ରିଷଭଦେବ ବ୍ଲକ ଅଧ୍ୟକ୍ଷଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଜଣ ମାଂସ ରାନ୍ଧୁଥିବାବେଳେ ପୁଲିସ ତିନିଜଣଙ୍କୁ ଧରିଥିଲା | ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପେଶାଗତ ଅପରାଧୀ ଥିବାବେଳେ ତାଙ୍କ ବିରୁଦ୍ଧରେ ୫୦ରୁ ଅଧିକ ମାମଲା ବିଚାରାଧୀନ ରହିଛି।

ଘଟଣାଟି ରବିବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ଜଣାପଡ଼ିଛି। ପୁଲିସ ଅଧିକାରୀ ହେମନ୍ତ କୁମାର ଆହାରୀ କହିଛନ୍ତି ଯେ ଜାତୀୟ ପକ୍ଷୀ ମୟୂରକୁ ହତ୍ୟା ଏବଂ ରନ୍ଧାଯାଉଥିବା ସୂଚନା ପାଇବା ପରେ ଏକ ପୁଲିସ ଦଳ ଏକ ଫାର୍ମହାଉସରେ ଚଢାଉ କରିଥିଲେ। ଏହି ଫାର୍ମହାଉସ କଂଗ୍ରେସର ରିଷଭଦେବ ବ୍ଲକ ଅଧ୍ୟକ୍ଷ ପ୍ରେମଶଙ୍କର ମୀନାଙ୍କ ପୁଅ ରୂପଲାଲଙ୍କର ବୋଲି ଜଣାପଡିଥିଲା।

ଏଠାରେ ରୂପଲାଲ ତାଙ୍କ ସାଥୀ ଅର୍ଜୁନଲାଲ ଏବଂ ରାକେଶଙ୍କ ସହିତ ଏକ ମୟୂର ଶିକାର କରି ଏହାର ମାଂସ ରାନ୍ଧିବା ପାଇଁ ପ୍ରସ୍ତୁତ ହେଉଥିଲେ। ପୁଲିସ ଘଟଣାସ୍ଥଳରୁ ତିନି ଜଣଙ୍କୁ ଗିରଫ କରି ମୟୂର ମାଂସ ଜବତ କରିଛି। ପୋଲିସ ଏବଂ ବନ ବିଭାଗର ମିଳିତ ଅଭିଯାନରେ, ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ଅଧିକ ପଚରାଉଚରା ଚାଲିଛି ଏବଂ ଶିକାରରେ ବ୍ୟବହୃତ ଉପକରଣ ମଧ୍ୟ ଯାଞ୍ଚ କରାଯାଉଛି।

ପୁଲିସ ତଦନ୍ତରୁ ଜଣାପଡିଛି ଯେ ତିନି ଅଭିଯୁକ୍ତ ଫାର୍ମହାଉସର ଏକ କୋଠରୀରେ ମୟୁର ମାଂସ ଲୁଚାଇ ରଖିଥିଲେ | ତଦନ୍ତ ପରେ, ବନ ବିଭାଗ ଜାତୀୟ ପକ୍ଷୀ ମୟୂର ଶିକାର କରାଯାଇଥିବା ନିଶ୍ଚିତ କରିଥିଲା। ପଚରାଉଚରା ସମୟରେ, ଅଭିଯୁକ୍ତମାନେ ଶିକାର କରିଥିବା ସ୍ୱୀକାର କରିଥିଲେ।

ପୁଲିସ ରେକର୍ଡ ଅନୁଯାୟୀ, ଅଭିଯୁକ୍ତ ଅର୍ଜୁନ ମୀନା ଜଣେ କୁଖ୍ୟାତ ଅପରାଧୀ। ତାଙ୍କ ବିରୁଦ୍ଧରେ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ୧୬ରୁ ଅଧିକ ଅପରାଧିକ ମାମଲା ସମେତ ୫୦ରୁ ଅଧିକ ଅପରାଧିକ ମାମଲା ରହିଛି। ଏହି ମାମଲାରେ ଚୋରି, ଡକାୟତି ଏବଂ ଆକ୍ରମଣ ଭଳି ଗୁରୁତର ଅପରାଧ ଅନ୍ତର୍ଭୁକ୍ତ।