ଆର୍ଥିକ ଅନଗ୍ରସର ପରିବାର, ଯେଉଁମାନେ ନିଜ ଝିଅମାନଙ୍କର ବିବାହ କରିବାରେ ଅସମର୍ଥ, ସେମାନଙ୍କୁ ଚିହ୍ନଟ କରାଯାଇ ବିବାହ କରାଇବେ ସରକାର। ସେଥିପାଇଁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏକ ସାମୂହିକ ବିବାହର ଆୟୋଜନ କରିଥିଲା ଗତ ମାର୍ଚ୍ଚ ମାସରେ, ଯେଉଁଠି ୬୧ ଜଣ ଝିଅଙ୍କର ବିବାହ କରାଯାଇଥିଲା। କିନ୍ତୁ ଅଭିଯୋଗ ହୋଇଛି ଯେ ସେହି ତାଲିକାରେ ଏମିତି କିଛି ଝିଅଙ୍କ ନାଁ ରହିଛି, ଯେଉଁମାନଙ୍କର ବିବାହ ପୂର୍ବରୁ ହୋଇସାରିଥିଲା। ସେମାନଙ୍କୁ ପୁଣି ଆଣି ବିବାହ କରାଯାଇଛି।
ସେହିପରି ଏହି ତାଲିକାରେ ରହିଛନ୍ତି ବାଲିଶଙ୍କରା ବ୍ଲକ ବେଲମୁଣ୍ଡାର ଅମୃତା ଟପ୍ପୋ ଓ ଶିକାଯୋର ଗାଁର ମାଧୁରୀ ତିର୍କି। ସରକାରୀ ରିପୋର୍ଟ ଅନୁସାରେ ଏହି ଦୁଇ ଜଣ ମଧ୍ୟ ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନାରେ ମାର୍ଚ୍ଚ ୧୨ରେ ବିବାହ କରିଛନ୍ତି। କିନ୍ତୁ ଅମୃତାଙ୍କ ବିବାହ ଗତ ଜାନୁଆରୀ ୧୪ ତାରିଖରେ ସଂପନ୍ନ ହୋଇସାରିଥିବା ବେଳେ ମାଧୁରୀଙ୍କ ବିବାହ ଜାନୁଆରୀ ୨୧ରେ ହୋଇଥିଲେ। ସେମାନଙ୍କୁ ସରକାରୀ ଯୋଜନାରେ ପୁଣି ବିବାହ କରାଯାଇଥିବା ଅଭିଯୋଗ ହୋଇଛି।
ପ୍ରଶ୍ନ ଉଠୁଛି, ଆବେଦନ ଫର୍ମଗୁଡ଼ିକୁ କାହିଁକି ସମାଜ ମଙ୍ଗଳ ବିଭାଗ ଅଧିକାରୀ ଯାଞ୍ଚ କଲେ ନାହିଁ। ପୂର୍ବରୁ ବିବାହ କରିଥିବା ଦମ୍ପତିଙ୍କ ସମ୍ପର୍କରେ ବିଭାଗ କେମିତି ଜାଣି ପାରିଲା ନାହିଁ ନା ସବୁ ଜାଣି ଲକ୍ଷ୍ୟ ପୂରଣ ପାଇଁ ମଣ୍ଡପରେ ବସାଇଦେଲା। ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ? ସରକାର ଗରିବଙ୍କ ପାଇଁ ଯୋଜନା ଆଣୁଛନ୍ତି। ସଠିକ୍ ଭାବେ ଏହା କାର୍ଯ୍ୟକାରୀ କରିବା ଦାୟିତ୍ୱ ପ୍ରାଶାସନିକ ଅଧିକାରୀଙ୍କ। ହେଲେ ଦାୟିତ୍ୱରେ ଥିବା ଅଧିକାରୀ ଯଦି ଏଭଳି ସାଂଘାତିକ କାର୍ଯ୍ୟ କରି ଯୋଜନାକୁ ବାଟବଣା କରନ୍ତି, ତେବେ ଏହାର ସୁଫଳ ଗରିବ ଲୋକେ ପାଇବେ କିପରି?
ଏ ସମ୍ପର୍କରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନାର ନୋଡାଲ ଅଫିସର ସୁରଜ ପଟ୍ଟନାୟକ କହିଛନ୍ତି, ଅଭିଯୋଗ ଗୁରୁତର। ଆବେଦନପତ୍ରଗୁଡ଼ିକୁ ସିଡିପିଓମାନେ ଯାଞ୍ଚ କରିଥିଲେ। କିପରି ଏଭଳି ତ୍ରୁଟି ହେଲା, ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୌଜନ୍ୟ ଓଡିଶା ରିପୋର୍ଟର

