ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ଇଲେକ୍ଟ୍ରିକ ଗାଡ଼ି(ଇଭି) କିଣିବା ପାଇଁ ଚଳିତ ଆର୍ଥିକ ବର୍ଷରୁ ଆଉ ସୁଧମୁକ୍ତ ଅଗ୍ରୀମ(ଆଡ଼ଭାନ୍ସ) ଟଙ୍କା ମିଳିବ ନାହିଁ। ପିଛିଲା ଭାବେ ଏପ୍ରିଲ ପହିଲାରୁ ଏହି ସୁବିଧାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି ବୋଲି ଆଜି ଅର୍ଥ ବିଭାଗ ଚିଠି ଲେଖି ସମସ୍ତ ବିଭାଗୀୟ ସଚିବଙ୍କୁ ଅବଗତ କରିଛି। ରାଜ୍ୟରେ ପରିବେଶ ପ୍ରଦୂଷଣ ରୋକିବା ଓ ଇଭି ଗାଡ଼ି କିଣିବା ପାଇଁ ନିଜର କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଓଡ଼ିଶା ଇଭି ପଲିସି-୨୦୨୧’ ଅନ୍ତର୍ଗତ ଏହି ସୁଧମୁକ୍ତ ଅଗ୍ରୀମ(ଆଡଭାନ୍ସ) ପ୍ରଦାନର ନିଷ୍ପତ୍ତି ନେଇଥିଲେ।
ରାଜ୍ୟ(Odisha) ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜିବ କୁମାର ମିଶ୍ର ଆଜି ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ, ବାଣିଜ୍ୟ ଓ ପରିବହନ ବିଭାଗର ‘ଓଡ଼ିଶା ଇଭି ପଲିସି-୨୦୨୧’ର ପ୍ରାବଧାନ ଆଧାରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ପରିବେଶ ଅନୁକୂଳ ଗାଡ଼ି କିଣିବାକୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ସମୟରେ ଗାଇଡଲାଇନ୍ ଜାରି ସହ ଏହି ସୁଧମୁକ୍ତ ଅଗ୍ରୀମ(ଋଣ) ପ୍ରଦାନର ସୁବିଧା ଦିଆଯାଉଥିଲା। ଏହି ସୁବିଧା ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୈଧ ଥିଲା, ଯାହାକୁ ରାଜ୍ୟ ସରକାର ପରେ ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଗତ ଫେବୃଆରୀ ୪ତାରିଖରେ ଅର୍ଥ ବିଭାଗ ଚିଠି ଲେଖି ଇଭି କିଣା ପାଇଁ ସରକାରୀ କର୍ମଚାରୀମାନଙ୍କୁ ସୁଧମୁକ୍ତ ଅଗ୍ରୀମ ପ୍ରଦାନର ଚୂଡ଼ାନ୍ତ ସମୟସୀମା ମଧ୍ୟ ଧାର୍ଯ୍ୟ କରିଥିଲା।

